୧୯୦୪ ମସିହାରେ ବିଶ୍ୱ ଫୁଟ୍‌ବଲ୍‌ର ପରିଚାଳନା ସଂସ୍ଥା ‘ଫିଫା’ (ଫେଡେରେସନ୍‌ ଅଫ୍‌ ଇଣ୍ଟର୍‌ନ୍ୟାସନାଲ୍‌ ଫୁଟ୍‌ବଲ୍‌ ଆସୋସିଏସନ୍‌ସ) ଗଠିତ ହୋଇଥିଲେ ମଧ୍ୟ ପ୍ରଥମ ସଂସ୍କରଣର ବିଶ୍ୱକପ୍‌ ୧୯୩୦ ମସିହାରେ ଅନୁଷ୍ଠିତ ହୋଇଥିଲା। ୧୯୨୪ ଏବଂ ୧୯୨୮ରେ ଦୁଇ ଥର ଅଲିମ୍ପିକ୍‌ ବିଜେତା ହୋଇଥିବା ଉରୁଗୁଏକୁ ଆୟୋଜନ ଅଧିକାର ମିଳିଥିଲା। ସବୁ ‘ପ୍ରଥମ’ର ଉତ୍ସୁକତା ଓ ଉତ୍କଣ୍ଠା ଭଳି ଫୁଟ୍‌ବଲ ବିଶ୍ୱକପ୍‌ ବି ଉରୁଗୁଏ ପାଇଁ ଦୁଇଗୁଣା ଖୁସି ଆଣି ଦେଇଥିଲା। ରାଜଧାନୀ ମଣ୍ଟେଭିଡିଓରେ ଏହି କ୍ରୀଡା ମହୋତ୍ସବର ଅଧିକାଂଶ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଆଧୁନିକ ଫୁଟ୍‌ବଲର ପ୍ରଶଂସକଙ୍କୁ ଅବିଶ୍ୱାସ ଲାଗି ପାରେ। ୧୯୩୦ ମସିହାରେ ଅନୁଷ୍ଠିତ ପ୍ରଥମ ସଂସ୍କରଣ ବିଶ୍ୱକପ୍‌କୁ ୪ଟି ଦଳ ଗୋଟିଏ ନୌକାରେ ଆସିଥିଲେ। ଫ୍ରାନସ, ରୋମାନିଆ, ବେଲଜିୟମ୍‌ ଏବଂ ବ୍ରାଜିଲ୍‌ ଦଳ ଏଭଳି ପରିସ୍ଥିତିରେ ଆସିଥିଲେ। ଅର୍ଧନିର୍ମିତ ଷ୍ଟାଡିୟମରେ ବି ଖେଳ ହୋଇଥିଲା। ଜୁଲାଇ ୩୦ ତାରିଖରେ ଅନୁଷ୍ଠିତ ଫାଇନାଲକୁ ଦେଖିଥିଲେ ୮୦,୦୦୦ ଦର୍ଶକ।

Advertisment

୩୦,୦୦୦ ଦର୍ଶକ ବି ରିଭର ପ୍ଲେଟ୍‌ ପାରି ହୋଇ ଇଷ୍ଟେଡିଆ ସେଣ୍ଟେନାରିଓ ଷ୍ଟାଡିୟମ ପହଞ୍ଚିଥିଲେ। ଫାଇନାଲରେ ପଡୋଶୀ ଆର୍ଜେଣ୍ଟିନାକୁ ୪-୨ ଗୋଲ୍‌ରେ ହରାଇ ଆୟୋଜକ ଉରୁଗୁଏ ପ୍ରଥମ ସଂସ୍କରଣ ବିଜେତା ହେବାର ସୌଭାଗ୍ୟ ପାଇଥିଲା। ଆମେରିକା ଓ ୟୁଗୋସ୍ଲାଭିଆ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଦଖଲ କରିଥିଲେ। ଆର୍ଜେଣ୍ଟିନାର ଗୁଲେର୍ମୋ ଷ୍ଟାବାଇଲ ସୁନା ଜୋତାର ବିଜେତା ହୋଇଥିଲେ। ମୋଟ ୧୩ଟି ଦଳକୁ ନେଇ ଖେଳାଯାଇଥିବା ଏହି ପ୍ରଥମ ସଂସ୍କରଣରେ ୧୮ଟି ମ୍ୟାଚ୍‌ରୁ ୭୦ଟି ଗୋଲ ସ୍କୋର ହୋଇଥିଲା। ଶତବାର୍ଷିକୀ ବର୍ଷରେ ଉରୁଗୁଏ କେବଳ ଏହି ଫୁଟ୍‌ବଲ ବିଶ୍ୱକପ୍‌ର ସଫଳ ଆୟୋଜକ ନ ଥିଲା ବିଜେତା ହୋଇ ଖୁସିକୁ ଦ୍ଵିଗୁଣିତ କରିଥିଲା। ଫିଫା ସଭାପତି ଜୁଲେସ ରିମେଟ୍‌ଙ୍କ ସ୍ୱପ୍ନ ସାକାର ରୂପ ନେଇଥିଲା ସଫଳ ସମାପନ ସହ। ଫିଫା ବିଶ୍ୱକପ୍‌ ଥିଲା ତାଙ୍କ ମାନସପୁତ୍ର। ୧୯୨୦ ଦଶକରେ ଅଲିମ୍ପିକ୍‌ର ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ସୌଖିନ୍‌ (ଆମେଚର୍‌) ଖେଳାଳିଙ୍କ ପାଇଁ ମୁକ୍ତ କରାଯିବା ପରେ ଜୁଲ୍‌ସ ରିମେଟ୍‌ ଏହି ଖେଳ ପାଇଁ ସ୍ୱତନ୍ତ୍ର ବିଶ୍ୱକପ୍‌ର ପରିକଳ୍ପନା କରିଥିଲେ।