ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତା: ତୃତୀୟ ରାଉଣ୍ଡରେ ସିସିପାସ, ସାବାଲେଙ୍କା, ସ୍ବିତୋଲିନା

ଗାର୍ସିଆ, ଓଷ୍ଟାପେଙ୍କୋ ବିଦା

ପ୍ୟାରିସ : ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରୁ ପଞ୍ଚମ ମାନ୍ୟତାପ୍ରାପ୍ତ କାରୋଲିନ୍‌ ଗାର୍ସିଆ ଏବଂ ୨୦୧୭ ବିଜୟିନୀ ଜେଲିନା ଓଷ୍ଟାପେଙ୍କୋ ବିଦାୟ ନେଇଛନ୍ତି। ବୁଧବାର ମହିଳା ଏକକ ମୁକାବିଲାରେ ଫ୍ରାନ୍ସର ଗାର୍ସିଆ ୬-୪, ୩-୬, ୫-୭ ସେଟ୍‌ରେ ରୁଷିଆର ୨୪ ବର୍ଷୀୟା ଆନ୍ନା ବ୍ଲିନକୋଭାଙ୍କଠୁ ଏବଂ ୧୭ ମାନ୍ୟତାପ୍ରାପ୍ତ ଲାଟଭିଆର ଓଷ୍ଟାପେଙ୍କୋ ୩-୬, ୬-୧, ୨-୬ ସେଟ୍‌ରେ ଆମେରିକାର ପେଟନ ଷ୍ଟିର୍ନ୍ସଙ୍କଠୁ ହାରି ଯାଇଥିଲେ। ତେବେ ଅନ୍ୟ ତାରକା ମହିଳା ଖେଳାଳି ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନ‌ା ସାବାଲେଙ୍କା, ତୃତୀୟ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା, ନବମ ମାନ୍ୟତାପ୍ରାପ୍ତ ଦାରିଆ କାସାତକିନା, ଏଲିନା ସ୍ବିତୋଲିନା ତୃତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ସାବାଲେଙ୍କା ୭-୫, ୬-୨ ସିଧାସଳଖ ସେଟ୍‌ରେ ଈରିନା ସିଭାନୋଭିକ୍‌ଙ୍କୁ ପରାସ୍ତ କରିଥିଲା ବେଳେ ପେଗୁଲା ବିନା ସଂଘର୍ଷରେ ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଥିଲେ। ତାଙ୍କ ପ୍ରତିପକ୍ଷ ଇଟାଲି କାମିଲା ଜିସର୍ଗି ୨-୬ରେ ପଛୁଆ ଥିଲା ବେଳେ ଓହରି ଯିବାରୁ ପେଗୁଲାଙ୍କୁ ୱାକ୍‌ଓଭର ମିଳିଥିଲା। ରୁଷିଆର କାସାତକିନା ୬-୩, ୬-୪ ସେଟ୍‌ରେ ଚେକ୍‌ ଗଣରାଜ୍ୟର ମାର୍କେଟା ଭଣ୍ଡ୍ରୁସୋଭାଙ୍କୁ ଏବଂ ୟୁକ୍ରେନ୍‌ର ୨୮ ବର୍ଷୀୟା ସ୍ବିତୋଲିନା ୨-୬, ୬-୩, ୬-୧ ସେଟ୍‌ରେ ଅଷ୍ଟ୍ରେଲିଆର ଷ୍ଟ୍ରମ ସାଣ୍ଡରଙ୍କୁ ହରାଇଥିଲେ। ପୁରୁଷ ଏକକରେ ପଞ୍ଚମ ମାନ୍ୟତାପ୍ରାପ୍ତ ଷ୍ଟିଫାନୋସ ସିସିପାସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୦ ବର୍ଷୀୟ ସ୍ପେନ୍‌ର ସିସିପାସ ୬-୩, ୭-୬, ୬-୨ ସେଟ୍‌ରେ ରୋବର୍ତୋ କାର୍ବାଲେସ ବାଏନାଙ୍କୁ ହରାଇଥିଲେ।

ମିନେନି-ଭାମ୍ବ୍ରି ଆଗେଇଲେ; ବୋପାନ୍ନା ବିଦା
ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସକେତ ମେନେନି ଓ ୟୁକି ଭାମ୍ବ୍ରି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମେନେନି ଓ ଭାମ୍ବ୍ରି ୬-୩, ୬-୨ ସେଟ୍‌ରେ ଫ୍ରାନ୍ସର ଅର୍ଥର ରିଣ୍ଡେର୍କନେଚ ଓ ଏଞ୍ଜେ କୁଆକୌଡଙ୍କୁ ପରାସ୍ତ କରିଥିଲେ। ତେବେ ଭେଟେରାନ ‌ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ସାଥୀ ମାଥ୍ୟୁ ଏଦେନ ୫-୭, ୬-୭ରେ ଫ୍ରାନ୍ସର ସାଦିଓ ଦୌମ୍ବିଆ ଓ ଫାବିଅନ ରିବୁଲଙ୍କଠୁ ହାରି ବିଦାୟ ନେଇଛନ୍ତି। ସେହିପରି ଅନ୍ୟ ଏକ ଭାରତୀୟ ଯୋଡ଼ି ଜୀବନ ନେନ୍ଦୁଚେଝିଆନ୍‌ ଓ ଏନ୍‌ ଶ୍ରୀରାମ ବାଲାଜୀ ୩-୬, ୪-୬ ସେଟ୍‌ରେ ବେଲାରୁଷ-ଅଷ୍ଟ୍ରେଲିଆ ଯୋଡ଼ି ଲିଆ ଇଭାସ୍କା ଓ ଆଲେକ୍ସେଇ ପପିରିନ୍‌ଙ୍କଠୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର