କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ନିଜ ଶେଷ ୭ ଘରୋଇ ମ୍ୟାଚ୍ ଜିତିଥିଲା। ଅନ୍ୟପକ୍ଷରେ ଆମେ ସପ୍ତମ ପରାଜୟ ଆଶଙ୍କାରେ ଥିଲୁ। ଏସବୁ ସତ୍ତ୍ବେ ଆମ ମୁହଁରେ ହସ ଫୁଟିଲା। ଆଉ ଏକ ଉତ୍କଣ୍ଠାପୂର୍ଣ୍ଣ ଶେଷ ଓଭରିଆ ଲଢ଼େଇରେ ଆମେ ପରିଶେଷରେ ବିଜୟର ସ୍ବାଦ ଚାଖିଲୁ। ଚଳିତ ଆଇପିଏଲ୍ ଏକ ଅଦ୍ଭୂତ ଓ ବିସ୍ମୟକର ପ୍ରତିଯୋଗିତାରେ ପରିଣତ ହେବାରେ ଲାଗିଛି। ସାରା ଦେଶର ଷ୍ଟାଡିୟମ୍ ଉତ୍ସାହୀ ଏବଂ କ୍ରିକେଟ୍ ପାଗଳ ପ୍ରଶଂସକଙ୍କ ଦ୍ବାରା ଭରି ଯାଉଛି। ୮ଟି ଯାକ ଦଳ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳୁଛନ୍ତି। ଫଳରେ ବିଜୟ ଓ ପରାଜୟ ମଧ୍ୟରେ କେବଳ ମାତ୍ର ସୂତା ଖିଅର ଫରକ ରହୁଛି। ଗୋଟିଏ କ୍ୟାଚ୍, ଏକ ବଡ଼ ଛକା କିମ୍ବା ଗୋଟିଏ ଶାଣିତ ୟର୍କର ମ୍ୟାଚ୍ର ଗତି ପଥ ବଦଳାଇ ଦେଉଛି। ଏକଥା ମଧ୍ୟ ସତ ଯେ ଆରସିବି ଲଗାତାର ଅଧଡଜନେ ମ୍ୟାଚ୍ ହାରିଛି। ସେଥିମଧ୍ୟରୁ ଆମେ ଅନ୍ୟୁନ ତିନିଟି ମ୍ୟାଚ୍ ଜିତିବା କଥା। ଆମେ ମୋହାଲିରେ ଦୁଇ ପଏଣ୍ଟ ଅର୍ଜନ କଲୁ। କିଙ୍ଗ୍ସ ଇଲେଭେନ୍ ପଞ୍ଜାବ କିନ୍ତୁ ଜୋରଦାର ଲଢ଼େଇ କରିଥିଲା। ଆମ ପଶ୍ଚାତଧାବନର ଊନ୍ନବିଂଶ ଓଭର ପର୍ଯ୍ୟନ୍ତ ସେମାନେ ବିଜୟ ଆଶା ଛାଡ଼ି ନଥିଲେ। ଗଣାମଧ୍ୟମ ମ୍ୟାଚ୍ ଫଳାଫଳ ପାଇଁ କିଛି ବି ପ୍ରତିକ୍ରିୟା ପ୍ରକାଶ କରିପାରେ। ଖେଳାଳି ଭାବେ ଆମକୁ ସମସ୍ତଙ୍କ ଖେଳକୁ ସମ୍ମାନ ଦେବାକୁ ପଡ଼ିଥାଏ। କଠିନ ପରିଶ୍ରମ କରି ମ୍ୟାଚ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିବାକୁ ହୋଇଥାଏ। ଶନିବାର ଆମେ ଏକ ଛୋଟିଆ ପାଦ ଆଗକୁ ବଢ଼ାଇଲୁ। କାରଣ ମଝି ଓଭରଗୁଡ଼ିକରେ ଆମ ବୋଲରମାନେ ଭଲ ବୋଲିଂ କଲେ। ଆମ କ୍ଷେତ୍ରରକ୍ଷଣର ସ୍ତର ମଧ୍ୟ କିଛି ମାତ୍ରାରେ ବଢ଼ିଥିଲା। ଗୁରୁତ୍ବପୂର୍ଣ୍ଣ ମୁହୂର୍ତରେ ଆମେ ଦଳଗତ ଭାବେ ଲଢ଼େଇ କରି ବିଜୟୀ ହେଲୁ। ଆମ ପରବର୍ତୀ ଲକ୍ଷ୍ୟ ହେଲା ମୁମ୍ବାଇ ବିପକ୍ଷ ମୁକାବିଲାରେ ମୋହାଲି ପ୍ରଦର୍ଶନକୁ ଦୋହରାଇବା। ଡେଲ୍ ଷ୍ଟେନ୍ ଚଳିତ ସପ୍ତାହରେ ଆମ ଦଳରେ ଯୋଗ ଦେଉଛନ୍ତି। ୧୫ ବର୍ଷ ପୂର୍ବେ ଆମେ ଦୁହେଁ ଏକାଠି ପ୍ରଥମ ଶ୍ରେଣୀ ଓ ଟେଷ୍ଟ୍ ମ୍ୟାଚ୍ ପଦାର୍ପଣ କରିଥିଲୁ। ଏହି ଦେଢ଼ ଦଶନ୍ଧି ଭିତରେ ଆମେ କଠିନ ପରିଶ୍ରମ କରିବା, ସହଜରେ ହାର୍ ନମାନିବା ଓ ଘଡ଼ିସନ୍ଧି ମୁହୂର୍ତରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଶିଖିଛୁ। ଏହା ଆମ ଜୀବନର ସବୁଠାରୁ ରୋମାଞ୍ଚକର କ୍ଷଣ ବୋଲି କହିପାରେ।
ମୋହାଲି ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟ, ଏବି ଡି’ଭିଲିୟର୍ସ
/sambad/media/post_attachments/wp-content/uploads/2019/04/What-made-AB-upset-LG_0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)