ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୧୮ ପାଇଁ ଗୁରୁବାର ରିଟେନ୍ସ ସେରିମନିର ଆୟୋଜନ ହୋଇଯାଇଛି। ଏପ୍ରିଲ ୪ରୁ ମଇ ୨୭ ମଧ୍ୟରେ ହେବାକୁ ଥିବା ଆଇପିଏଲ୍ର ଚେନ୍ନାଇ ସୁପର କିଙ୍ଗ୍ସକୁ ମହେନ୍ଦ୍ର ସିଂହ ଧୋନି ଫେରିଛନ୍ତି। ତାଙ୍କ ସାଥୀରେ ରବୀନ୍ଦ୍ର ଜଦେଜା ମଧ୍ୟ ଟିମ୍କୁ ‘ସିଏସ୍କେ’କୁ ଫେରିଛନ୍ତି। ସେହିଭଳି ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁର ଓ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ ପାଇଁ ଖେଳିବେ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ କୋଲକାତା ନାଇଟ୍ ରାଇଡର ପାଇଁ ଗତ ସଂସ୍କରଣରେ ଅଧିନାୟକ ଥିବା ଗୌତମ ଗମ୍ଭୀର ଓ ବେଙ୍ଗାଲୁର ଟିମ୍ର ଓପନର କ୍ରିସ ଗେଲଙ୍କୁ ଟିମ୍ରୁ ବାହାର କରି ଦିଆଯାଇଛି। ସେହିଭଳି ରାଜସ୍ଥାନ ରୟାଲ୍ସ ଷ୍ଟିଭ ସ୍ମିଥକୁ ଦଳରୁ ବାଦ ଦେଇଛି। ଆଇପିଏଲ୍ର ୧୧ତମ ସଂସ୍କରଣ ପାଇଁ ବେଙ୍ଗାଲୁରୁରେ ଜାନୁଆରି ୨୭ ଓ ୨୮ରେ ଖେଳାଳିଙ୍କ ନିଲାମ ହେବ।
ରିଟେନସନ୍ ସେରିମନି କ’ଣ?
ଆଇପିଏଲ ନିଲାମ ପୂର୍ବରୁ ଏହାର ସମସ୍ତ ଫ୍ରାଞ୍ଚାଇଜ୍ମାନଙ୍କୁ ଖେଳାଳିମାନଙ୍କ ତାଲିକା ଦାଖଲ କରିବାକୁ ପଡ଼ିଥାଏ। ଏଥିରେ କେଉଁ ଖେଳାଳି ନିଜର ପୂର୍ବ ଦଳକୁ ଫେରିବାକୁ ଚାହାଁନ୍ତି ତାହା ଉଲ୍ଲେଖ ରହିଥାଏ।
ଚେନ୍ନାଇକୁ ଫେରିବା ପାଇଁ ଧୋନିଙ୍କ ରାସ୍ତା କେମିତି ଖୋଲିଲା?
ଗତ ମାସରେ ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନସିଲ ବୈଠକ ପରେ ବିସିସିଆଇର କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ କହିଥିଲେ, ପ୍ରତ୍ୟେକ ଆଇପିଏଲ ଫ୍ରାଞ୍ଚାଇଜ୍ ପାଖରେ ୫ ଖେଳାଳିଙ୍କୁ ପୂର୍ବ ନିଲାମିରେ ୨ୟ ଥର କିଣିବା ଓ ରାଇଟ୍ ଟୁ ମ୍ୟାଚର ବିକଳ୍ପ ଦିଆଯିବ। ୨୦୧୫ରେ ସିଏସ୍କେ ଓ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳିଥିବା ଖେଳାଳି ଯିଏ କି ୨୦୧୭ରେ ଗୁଜରାଟ ଲାୟନ୍ସ ଓ ରାଇଜିଂ ପୁଣେ ସୁପରଜ୍ୟାଣ୍ଟ ତରଫରୁ ଖେଳିଥିଲେ ତାଙ୍କୁ ସିଏସ୍କେ ଓ ରାଜସ୍ଥାନ ରୟାଲ୍ସ ପାଖରେ ରଖିବାକୁ ସୁଯୋଗ ଦିଆଯାଇଥିଲା। ଏହି ଆଧାରରେ ଧୋନି ଚେନ୍ନାଇ ଟିମ୍କୁ ଫେରିବାକୁ ସୁଯୋଗ ପାଇଛନ୍ତି।