ହକି ଗୁରୁ ଅମୂଲ୍ୟାନନ୍ଦଙ୍କ ଅବସର, ବହୁ ଆନ୍ତର୍ଜାତିକ ଖେଳାଳିଙ୍କୁ ଦେଇଥିଲେ ପ୍ରଶିକ୍ଷଣ

ରାଉରକେଲା: ପାନପୋଷ କ୍ରୀଡ଼ା (ହକି) ଛାତ୍ରାବାସକୁ ଦେଶର ଏକ ଶ୍ରେଷ୍ଠ ହକି କେନ୍ଦ୍ରରେ ପରିଣତ କରିଥିବା ବରିଷ୍ଠ ହକି ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ ରବିବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ବିଜୁ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଥିବା ଶ୍ରୀ ବିହାରୀ ୩୪ ବର୍ଷରୁ ଅଧିକ ସମୟ ହକିର ସେବା କରିଛନ୍ତି। ଗତ ଶୁକ୍ରବାର ତାଙ୍କୁ ପ୍ରଶାସନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଥିରେ କ୍ରୀଡ଼ା ବିଭାଗର ଉପନିର୍ଦ୍ଦେଶକ ଅଲିମ୍ପିଆନ୍‌ ଲାଜରୁସ ବାର୍ଲା ଉପସ୍ଥିତ ଥିଲେ। ତାଙ୍କ ସ୍ଥାନରେ ବିଜୟ ଲାକଡ଼ା ଛାତ୍ରାବାସର ନୂଆ ପ୍ରଭାରୀ ରୂପେ ନିଯୁକ୍ତ ହୋଇଛନ୍ତି।

ଢେ଼ଙ୍କାନାଳରେ ଜନ୍ମିତ ଶ୍ରୀ ବିହାରୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ, ଗ୍ବାଲିୟର ଲକ୍ଷ୍ମୀବାଇ ରାଷ୍ଟ୍ରୀୟ ଶାରୀରିକ ପ୍ରଶିକ୍ଷଣ କେନ୍ଦ୍ରରୁ ଏମ୍‌ଏ ଓ ପତିଆଲା ରାଷ୍ଟ୍ରୀୟ କ୍ରୀଡ଼ା ସଂସ୍ଥାରୁ ପ୍ରଶିକ୍ଷକ ଡିପ୍ଲୋମା ହାସଲ କରିବା ପରେ ୧୯୮୬ରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ନିଯୁକ୍ତ ହୋଇଥିଲେ। ତାଙ୍କ ଚାକିରି କାଳର ଅଧିକାଂଶ ସମୟ ସେ ପାନପୋଷରେ ହିଁ ବିତାଇଛନ୍ତି। ୧୯୯୧ରେ ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ୧୯୯୨ରେ ଛତ୍ରପୁରରେ ପ୍ରଶିକ୍ଷକ ଭାବେ ଅଳ୍ପ କାଳ ରହିଥିଲେ। ଶ୍ରୀ ବିହାରୀ ତାଙ୍କର ଚାକିରି କାଳରେ ଜାତୀୟ ସ୍ତରର ଶହ ଶହ ଖେଳାଳି ତିଆର କରିଛନ୍ତି। ତନ୍ମଧ୍ୟରୁ ଅନେକ ଖେଳାଳି ଅଲିମ୍ପିକ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶର ପ୍ରତିନିଧତ୍ବ କରିଛନ୍ତି। ତାଙ୍କ ଦ୍ବାରା ପ୍ରଶିକ୍ଷିତ ଖେଳାଳିଙ୍କ ଲମ୍ବା ସୂଚୀରେ ଅଛନ୍ତି ଅଲିମ୍ପିଆନ୍‌ ଲାଜରୁସ ବାର୍ଲା, ଇଗ୍ନେସ ତିର୍କି, ୱିଲିୟମ ଖାଲଖୋ, ସୁନିତା ଲାକଡ଼ା, ନମିତା ଟୋପୋ, ଲିଲିମା ମିଞ୍ଜ ଓ ଅନ୍ତର୍ଜାତୀୟ ତାରକା ପ୍ରବୋଧ ତିର୍କି, ସୁଭଦ୍ରା ପ୍ରଧାନ, ବିନିତା ଟପୋ, ନିଳିମା କୁଜୁର, ଅନୁପା ବାର୍ଲା, ବିନିତା ଖେସ, ଏଗ୍ନିସିଆ ଲୁଗୁନ, ଆନ୍ନାରିତା କେର୍କେଟା, ରୋଜାଲିନ ଡୁଙ୍ଗଡୁଙ୍ଗ, ମୁକ୍ତାପ୍ରଭା ବାର୍ଲା, ପୁନମ ଟପୋ ଓ ସରିତା ଲାକଡ଼ାଙ୍କ ଭଳି ଅନେକ ଖେଳାଳି। ଶ୍ରୀ ବିହାରୀଙ୍କ ତତ୍ତ୍ବାବଧାନରେ ପାନପୋଷ ଛାତ୍ରାବାସ ଓ ରାଜ୍ୟ ଦଳ ଅନେକ ଗୁଡ଼ିଏ ପ୍ରତିଯୋଗିତାରେ ବିଜୟର ବାନା ଉଡ଼ାଇଛନ୍ତି।

୨୦୦୧ରେ କୋରଵା (ଛତିଶଗଡ଼)ରେ ଅନୁଷ୍ଠିତ ରାଷ୍ଟ୍ରୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ଥର ପାଇଁ ବିଜେତା ହୋଇଥିଲା। ୨୦୦୦ରେ ଚେନ୍ନାଇରେ ରାଷ୍ଟ୍ରୀୟ କନିଷ୍ଠ ବାଳିକା ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଥିଲା। କରୋନା ମହାମାରୀ ପୂର୍ବର ରାଷ୍ଟ୍ରୀୟ ଉପକନିଷ୍ଠ ବାଳକ ପ୍ରତିଯୋଗିତାରେ ଓଡ଼ିଶାକୁ ସେ ବିଜେତା କରାଇଛନ୍ତି। ଜାତୀୟ ପ୍ରତିଯୋଗିତା ବ୍ୟତୀତ ତାଙ୍କ ନେତୃତ୍ବରେ ପାନପୋଷ ଛାତ୍ରାବାସ ଦଳ ଅନେକ ଥର ନେହରୁ କପ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଛି। ହକିକୁ ଶ୍ରୀ ବିହାରୀଙ୍କର ଅବଦାନ ପାଇଁ ରାଜ୍ୟ ସରକାର ତାଙ୍କୁ ୨୦୦୭ରେ ଶ୍ରେଷ୍ଠ ପ୍ରଶିକ୍ଷକ ବିବେଚିତ କରି ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ।

ଅବସର ଗ୍ରହଣ ଅବସରରେ ‘ସମ୍ବାଦ’ ସହ କଥାବାର୍ତ୍ତାରେ ଶ୍ରୀ ବିହାରୀ ଅନେକ ମଧୁର ସ୍ମୃତିକୁ ମନେ ପକାଇଥିଲେ। ‘‘୧୯୮୮ରେ ପ୍ରଥମ ଥର ପାଇଁ ପାନପୋଷ ଦଳ (ମ୍ୟୁନିସିପାଲ ସ୍କୁଲ, ପାନପୋଷ) ଉପକନିଷ୍ଠ ବାଳକ ନେହରୁ କପ୍‌ ଜିଣିଥିଲା। କ୍ରୀଡ଼ା ଛାତ୍ରାବାସ ସ୍ଥାପନାର ମାତ୍ର ୩ ବର୍ଷ ଭିତରେ ନେହରୁ କପ୍‌ ଜିଣି ଆମେ ପାନପୋଷ ଛାତ୍ରାବାସକୁ ଦେଶର ଅନ୍ୟତମ କ୍ରୀଡ଼ା ଛାତ୍ରାବାସ ରୂପେ ସ୍ଥାପିତ କରିବାରେ ସକ୍ଷମ ହୋଇଥିଲୁ। ପାନପୋଷ ଛାତ୍ରାବାସ ପ୍ରତି ସରକାର ପୂର୍ବପରି ଧ୍ୟାନ ଦେବା ଉଚିତ। ତାହେଲେ ପ୍ରତିଭାର ପୂରା ସଦୁପଯୋଗ କରାଯାଇ ପାରିବ। ସୁନ୍ଦରଗଡ଼ରେ ହକି ପ୍ରତିଭା ପ୍ରଚୁର ରହିଛନ୍ତି। ଏମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଅନ୍ତର୍ଜାତୀୟ ସ୍ତରକୁ ନେବାର ସବୁ ଯତ୍ନ ନିରନ୍ତର ଜାରି ରଖିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ। କନିଷ୍ଠ ସ୍ତରରେ ସର୍ବଦା ପ୍ରଶଂସନୀୟ ପ୍ରଦର୍ଶନ କରିଆସୁଥିବା ଓଡ଼ିଶା କାହିଁକି ବରିଷ୍ଠ ବିଭାଗରେ ବିଜେତା ହୋଇପାରୁନାହିଁ? ଏହାର ଉତ୍ତର ଦେଇ ଶ୍ରୀ ବିହାରୀ କହିଲେ, ‘‘ଏଥିପାଇଁ ଆମର ଶ୍ରେଷ୍ଠ ଖେଳାଳିମାନେ ଅନ୍ୟ ରାଜ୍ୟକୁ ପଳାଉଥିବାର ଧାରାକୁ ରୋକିବା ଆବଶ୍ୟକ। ଭଲ ଚାକିରି ମିଳିଲେ ସେମାନେ ରାଜ୍ୟରେ ରହିବେ ଓ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ରାଜ୍ୟରେ ହକିର ଭବିଷ୍ୟତ ଉଜ୍ଜଳ ବୋଲି ପ୍ରକାଶ କରି ଶ୍ରୀ ବିହାରୀ କହନ୍ତି, ‘‘ଆମ ଆଦିବାସୀ ଖେଳାଳିମାନଙ୍କର ଆତ୍ମବିଶ୍ବାସ ବହୁ ପରିମାଣରେ ବଢ଼ିଛି। ସେମାନେ ଆହୁରି ଆଗକୁ ଯିବାଲାଗି ଉଦ୍ୟମ କରୁଛନ୍ତି। ଏହା ରାଜ୍ୟ ହକିର ଭବିଷ୍ୟତ ପାଇଁ ଶୁଭଙ୍କର।

ସମ୍ବନ୍ଧିତ ଖବର