ନୂଆଦିଲ୍ଲୀ: ଦିଲ୍ଲୀ ଅଲ୍ରାଉଣ୍ଡର ରଜତ ଭାଟିଆ ବୁଧବାର ସବୁପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଘରୋଇ କ୍ରିକେଟ୍ରେ ପ୍ରାୟ ଦୁଇ ଦଶନ୍ଧୀ ଧରି ବେଶ୍ ଦବ୍ଦବା ରଖିଥିବା ଭାଟିଆ ୧୨୧ ମ୍ୟାଚ୍ ଖେଳି ୬୪୮୨ ରନ୍ ନିଜ ନାମରେ ରଖିଛନ୍ତି। ସେଥିରେ ୧୭ ଶତକ ସାମିଲ ଥିଲା ବେଳେ ତାଙ୍କ ହାରାହାରି ୪୯.୧୦ ରହିଛି। ଏହି ଡାହାଣହାତୀ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ୨୦୦୭ ରଣଜୀ ଟ୍ରଫିରେ ୫୧୨ ରନ୍ ସ୍କୋର୍ କରିଥିଲା ବେଳେ ଶେଷ ଥର ପାଇଁ ଦିଲ୍ଲୀ ମଧ୍ୟ ସେହି ଋତୁରେ ବିଜେତା ହୋଇଥିଲା। କେବଳ ବ୍ୟାଟିଂରେ ନୁହେଁ ବୋଲିଂରେ ମଧ୍ୟ ଭାଟିଆ କମାଲ କରୁଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୨୭.୯୭ ହାରରେ ସେ ୧୩୭ ୱିକେଟ୍ ଅକ୍ତିଆର କରିଛନ୍ତି। ପୁଣି ଲିଷ୍ଟ-ଏ କ୍ରିକେଟ୍ରେ ଭାଟିଆ ୪୧.୦୫ ହାରରେ ୩୦୩୮ ରନ୍ ସଂଗ୍ରହ କରିଥିଲା ବେଳେ ୩ ଶତକ ତାଙ୍କ ନାମରେ ରହିଛି। ଲିଷ୍ଟ-ଏରେ ସେ ମଧ୍ୟ ୯୩ ୱିକେଟ୍ ଦଖଲ କରିଛନ୍ତି। ସେଥିପାଇଁ ତାଙ୍କୁ ଘରୋଇ କ୍ରିକେଟର୍ ଅନ୍ୟତମ କୁଶଳୀ ବ୍ୟାଟ୍ସମ୍ୟାନ୍ ତଥା ଅଲ୍ରାଉଣ୍ଡର ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଘରୋଇ କ୍ରିକେଟ୍ରେ ଦମ୍ଦାର ପ୍ରଦର୍ଶନ ସତ୍ତ୍ବେ ଭାଟିଆ କଦାପି ଭାରତୀୟ ଦଳରେ ସ୍ଥାନ ପାଇପାରିନଥିବା ତାଙ୍କ ପାଇଁ ଅବସୋସ ହୋଇ ରହିଯାଇଛି।
୧୯୯୯-୨୦୦୦ ଘରୋଇ ଋତୁରେ ଭାଟିଆ ତାମିଲନାଡୁ ପକ୍ଷରୁ ଖେଳି ନିଜର ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ।
ଏହାର ଦୁଇ ବର୍ଷ ପରେ ନିଜ ଘରୋଇ ସହର ଦିଲ୍ଲୀ ଚାଲିଯାଇଥିଲେ। ସେବେଠାରୁ ୨୦୧୫ ପର୍ଯ୍ୟନ୍ତ ଦିଲ୍ଲୀ ପାଇଁ ଖେଳିଥିଲା ବେଳେ ତା'ପରେ ଉତ୍ତରାଖଣ୍ଡ ସ୍ଥାନାନ୍ତର ହୋଇଥିଲେ। ୨୦୧୯ ରଣଜୀ ଟ୍ରଫି ଥିଲା ଭାଟିଆଙ୍କ ପାଇଁ ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍। ୨୦୧୮-୧୯ ଋତୁ ରଣଜୀ ଟ୍ରଫିରେ ସେ ୧୭୫ ହାରରେ ୭୦୦ ରନ୍ ସଂଗ୍ରହ କରିଥିଲେ। ପୁଣି ତାଙ୍କ ମଧ୍ୟମଗତି ବୋଲିଂ ବିଶେଷକରି ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ରେ ବ୍ୟାଟ୍ସମ୍ୟାନ୍ଙ୍କୁ ଅଡ଼ୁଆରେ ପକାଉଥିଲା। ଆଇପିଏଲ୍ରେ ଭାଟିଆ କୋଲ୍କାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଏବଂ ରାଇଜିଂ ପୁନେ ସୁପରଜିଆଣ୍ଟ୍ ପକ୍ଷରୁ ଖେଳିଥିଲେ। ଗୌତମ ଗମ୍ଭୀରଙ୍କ ନେତୃତ୍ବାଧୀନ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ୨୦୧୨ରେ ପ୍ରଥମ ଥର ଲାଗି ଆଇପିଏଲ୍ ବିଜେତା ହୋଇଥିଲା ବେଳେ ଭାଟିଆ ହିଁ ସେହି ଋତୁରେ ୧୩ ୱିକେଟ୍ ଦଖଲ କରିଥିଲେ। କେକେଆର୍ ପାଇଁ ୩ ଋତୁ ଖେଳିବା ପରେ ରାଜସ୍ଥାନ ରୟାଲ୍ସ ୨୦୧୪ ନିଲାମରେ ତାଙ୍କୁ ୧.୭ କୋଟି ଟଙ୍କାରେ କିଣିଥିଲା। ରୟାଲ୍ସ ପାଇଁ ଖେଳି ସେହି ଋତୁରେ ଭାଟିଆ ମଧ୍ୟ ୧୨ ୱିକେଟ୍ ଅକ୍ତିଆର କରିଥିଲେ। ସେ ମଧ୍ୟ ଦୁଇ ବର୍ଷ ରାଇଜିଂ ପୁନେ ସୁପରଜିଆଣ୍ଟ୍ ପକ୍ଷରୁ ଖେଳିଥିଲେ। ଆଇପିଏଲ୍ରେ ତାଙ୍କ ମୁହଁ ଶେଷଥର ପାଇଁ ୨୦୧୭ରେ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/rajat-bhatia.jpg)