ବାହୁଡ଼ିଲେ ତିନି ତାରକା

ଭୁବନେଶ୍ବର: ଭାରତୀୟ ଦଳରୁ ଖେଳି ଘରକୁ ବାହୁଡ଼ିଛନ୍ତି ତିନି ଓଡ଼ିଆ ତାରକା। ରବିବାର ଢ଼ାକାରେ କନିଷ୍ଠ କ୍ରିକେଟ୍ ଏସିଆ କପ୍ ଜିତିଥିବା ଭାରତୀୟ ଦଳର ଓଡ଼ିଆ ଦ୍ରୁତ ବୋଲର ରାଜେଶ ମହାନ୍ତି ଏବଂ କୁଆଲାଲମ୍ପୁରରେ ଏଏଫସି ୧୬ ବର୍ଷରୁ କମ୍ ଫୁଟବଲ୍ ପ୍ରତି‌ଯୋଗିତାରେ ୧୬ ବର୍ଷ ପରେ ଭାରତକୁ କ୍ବାର୍ଟରଫାଇନାଲ୍ ପହଞ୍ଚାଇଥିବା ବିକି ଓରାମ ଏବଂ ସମୀର କେରକେଟାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି। ରାଜେଶଙ୍କୁ ତାଙ୍କ ରାମେଶ୍ବର ସ୍ପୋର୍ଟିଂ କ୍ଲବ୍ ସାଥି ଖେଳାଳି ଏବଂ ମଉସା ସତ୍ୟବ୍ରତ ଛୋଟରାୟ ସ୍ବାଗତ ସମ୍ବର୍ଧନା ଜଣାଇଥିଳେ। ସେହିଭଳି ବିକି ଓ ସମୀରଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ବାଗତ କରାଯିବା ପରେ କାର୍ଯ୍ୟାଳୟଠାରେ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ନିର୍ଦେଶକ ଭିନିଲ କ୍ରିଷ୍ଣା ସାବାସୀ ଜଣାଇଥିଲେ।
କ୍ରିକେଟ୍ ତାରକା ରାଜେଶ ନିଜ ସଫଳତାରେ ୧୯୮୩ ବିଶ୍ବକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ବଲବିନ୍ଦର ସିଂହ ସାନ୍ଧୁଙ୍କ ପରାମର୍ଶ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହିଥିଲେ। ଏସିଆ କପ୍ ପୂର୍ବରୁ ଆମେ ବାଙ୍ଗାଲୋର୍ ଏନସିଏରେ ପ୍ରସ୍ତୁତ ହେବା ଅବସରରେ ସାନ୍ଧୁ ସାର ମୋତେ ଢ଼େର ପରାମର୍ଶ ଦେଇଥିଲେ। ପରେ ପରେ ଆମେ ଚତୁଃଷ୍କୋଣୀୟ ପ୍ରତିଯୋଗିତା ଖେଳିବା ମଧ୍ୟ ମୋତେ ଏସିଆ କପ୍‌ରେ ସଫଳ ହେବାରେ ସହାୟତା କରିଥିଲା ବୋଲି କହିଥିଲେ ୧୮ ବର୍ଷୀୟ ରାଜେଶ। ଏବେ ରାଜ୍ୟ ପାଇଁ ରଣଜୀ ଟ୍ରଫିରେ ଖେଳି ସଫଳ ହେ‌େଲ ବରିଷ୍ଠ ବର୍ଗରେ ଜାତୀୟଦଳରୁ ଖେଳିବା କଥା ଚିନ୍ତା କରିବି ବୋଲି ସୋମବାର ଭୁବନେଶ୍ବର ବିମାନବନ୍ଦରରେ ‘ସମ୍ବାଦ’ ସହିତ କଥା ହେବାବେଳେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, କନିଷ୍ଠ ଏସିଆ କପ୍ ଜିିତିବାରେ ରାଜେଶ ଦ୍ବିତୀୟ ଓଡ଼ିଆ ହେବାର‌ ଗୌରବ ଅର୍ଜନ କରିଛନ୍ତି। ୧୯୮୯ରେ ଭାରତୀୟ ୧୯ ବର୍ଷରୁ କମ୍ ଦଳର ନେତୃତ୍ବ‌ ନେଇଥିବା ଓଡ଼ିଆ ଅଲରାଉଣ୍ଡର୍ ରଂଜୀବ ବିଶ୍ବାଳ ମଧ୍ୟ ବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର