ଫେରିଲା ଟେନିସ୍‌: କ୍ବିତୋଭାଙ୍କୁ ଅଲ୍‌-ଚେକ୍‌ ମୁକୁଟ

ପ୍ରାଗ୍: କୋଭିଡ୍‌-୧୯ ମହାମାରୀ ଯୋଗୁଁ ପାଖାପାଖି ଅଢ଼େଇ ମାସ ଧରି ବନ୍ଦ ରହିଥିବା କ୍ରୀଡ଼ା କାର୍ଯ୍ୟକଳାପ ଆସ୍ତେ ଆସ୍ତେ ପୁନଃଆରମ୍ଭ ହେବାରେ ଲାଗିଛି। ସାରା ବିଶ୍ବରେ କରୋନା ଭୂତାଣୁଜନିତ ଲକ୍‌ଡାଉନ୍‌ ସ୍ଥିତିରେ କିଛିଟା କୋହଳ ହେବା ପରେ ଟେନିସ୍‌ ଚେକ୍‌ ଗଣରାଜ୍ୟକୁ ଫେରିଛି। ଏଥି ସହିତ ଟେନିସ୍‌ ତାରକାମାନେ ମଧ୍ୟ ଆକ୍‌ସନ୍‌କୁ ଫେରିଛନ୍ତି। ଆଉ ଏହି ଫେରନ୍ତା ପଥରେ ବିଶ୍ବ ମାନ୍ୟତାର ଦ୍ବାଦଶ ମହିଳା ଖେଳାଳି ପେଟ୍ରା କ୍ବିତୋଭା ଅଲ୍‌-ଚେକ୍‌ ପ୍ରତିଯୋଗିତାରେ ମୁକୁଟ ଜିତି ନେଇଛନ୍ତି। କେବଳ ଚେକ୍‌ ଗଣରାଜ୍ୟର ପ୍ରମୁଖ ପୁରୁଷ ଓ ମହିଳା ଖେଳାଳିଙ୍କୁ ନେଇ ପ୍ରାଗ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ କୋଭିଡ୍‌-୧୯ ମହାମାରୀ ନିୟମ ଅନୁଯାୟୀ କୌଣସି ଦର୍ଶକ ଗହଳି ନଥିଲା। ପୁଣି ବଲ୍‌ ବୟ ଓ ଗର୍ଲମାନେ ଗ୍ଲୋବ୍‌ସ ଓ ମାସ୍କ ପରିଧାନ କରିଥିଲେ। ତିନି ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କ୍ବିଟୋଭା ଗୋଟିଏ ହେଲେ ସେଟ୍‌ ହାରିନଥିଲେ। ବର୍ଷା ବାଧାପ୍ରାପ୍ତ ଫାଇନାଲ୍‌ ମ୍ୟାଚ୍‌ରେ ସେ ବିଶ୍ବ ମାନ୍ୟତାର ୨୬ତମ କାରୋଲିନା ମୁଚୋଭାଙ୍କୁ ୬-୩ ଓ ୬-୩ ସେଟ୍‌ରେ ପରାସ୍ତ କରି ବିଜେତା ହୋଇଥିଲେ। ଏଥି ସହିତ ଚଳିତ ବର୍ଷର ଦ୍ବିତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଫ୍ରେଞ୍ଚ୍‌ ଓପନ୍‌ ପ୍ରସ୍ତୁତିକୁ ଆଗକୁ ବଢ଼ାଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ କ୍ରୀଡ଼ା ବାତିଲ ହେବା ପୂର୍ବରୁ ୨ ଥର ୱିମ୍ବିଲଡନ୍‌ ବିଜୟିନୀ କ୍ବିତୋଭା ତାଙ୍କ ଶେଷ ମ୍ୟାଚ୍‌ ଭାବେ ଫେବ୍ରୁଆରିରେ କାତାର ଓପନ୍‌ ଖେଳିଥିଲେ। ଆଉ ସେଠାରେ ଫାଇନାଲ୍‌ରେ ବେଲାରୁଷର ଆରୢାନା ସାବାଲେଙ୍କାଙ୍କଠୁ ହାରି ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ।

କେଭିଡ୍‌-୧୯ ପରବର୍ତୀ ଫେରନ୍ତା ଟେନିସ୍‌ ପ୍ରତିଯୋଗିତା ପ୍ରାଗ୍‌ରେ ଆୟୋଜିତ ହୋଇଥିଲା ବେଳେ ମହିଳାରେ କ୍ବିତୋଭାଙ୍କ ପରେ ପୁରୁଷରେ ୨୦ ବର୍ଷ ବୟସ୍କ ମାଇକେଲ ଭେବେନ୍‌ସ୍କି ଟ୍ରଫି କରାୟତ କରିଛନ୍ତି। ସେ ଫାଇନାଲ୍‌ରେ ଜେନେକ କୋଲାରଙ୍କୁ ୬-୪, ୬-୭ ଓ ୧୦-୮ ସେଟ୍‌ରେ ପରାସ୍ତ କରିଥିଲେ। ବିଜେତା ତଥା ବିଶ୍ବ ମାନ୍ୟତାର ୬୫ ମାଇକେଲ ପ୍ରଥମ ରାଉଣ୍ଡରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜିରି ଭେସେଲିଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର