ଟ୍ରାକ୍‌କୁ ଫେରିଲେ ଅଲିମ୍ପିକ୍ସ ଆଶାୟୀ: ଇଣ୍ଡିଆନ୍ ଗ୍ରାଁ ପ୍ରିରେ ଦୂତିଙ୍କୁ ସ୍ବର୍ଣ୍ଣ, ଅମିୟ ଜିତିଲେ କାଂସ୍ୟ

ଭୁବନେଶ୍ବର: କୋଭିଡ୍ ସଙ୍କଟ ପରେ ଦେଶରେ ଖେଳାଯାଇଥିବା ପ୍ରଥମ ବରିଷ୍ଠ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଦୌଡ଼ରାଣୀ ଦୂତି ଚାନ୍ଦ ପୁଣି ଥରେ ନିଜ କମାଲ ଦେଖାଇଛନ୍ତି। ଦୀର୍ଘ ଦିନ ପର୍ଯ୍ୟନ୍ତ ରନିଂ ଟ୍ରାକ୍‌ରୁ ଦୂରେଇ ରହିବା ସତ୍ତ୍ବେ ସବୁ ବାଧାବିଘ୍ନକୁ ପଛରେ ପକାଇ ନିୟମିତ କଠିନ ଅଭ୍ୟାସ ଜାରି ରଖିଥିବା ଦୂତି ପାତିଆଲାରେ ଗୁରୁବାର ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୧ର ମହିଳା ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମୋଟ ୮୫ ଜଣ ପ୍ରତିଯୋଗୀଙ୍କୁ ନେଇ ଆୟୋଜିତ ହୋଇଥିବା ଚଳିତବର୍ଷର ଏହି ପ୍ରଥମ ଗ୍ରାଁ ପ୍ରି ପ୍ରତିଯୋଗିତାରେ ଦେଶର ଦ୍ରୁତତମ ଧାବକ ତଥା ଅନ୍ୟତମ ସଫଳ ଓଡ଼ିଆ ଆଥଲେଟ୍ ଅମିୟ ମଲ୍ଲିକ ପୁରୁଷ ୧୦୦ ମିଟରରେ କାଂସ୍ୟ ପଦକ ହାସଲ କରିଛନ୍ତି। ତିନିଟି ପର୍ଯ୍ୟାୟରେ ଆୟୋଜିତ ‌ହେବାକୁ ଥିବା ଇଣ୍ଡିଆନ୍ ଗ୍ରାଁ ପ୍ରିର ପରବର୍ତ୍ତୀ ଦୁଇ ପ୍ରତିଯୋଗିତା‌ ଫେବ୍ରୁଆରି ୨୫ ଓ ମାର୍ଚ ୫ ତାରିଖରେ ଆୟୋଜିତ ହେବ। ଏହି ତିନିଟି ପ୍ରତିଯୋଗିତା ମଧ୍ୟ ମାର୍ଚ ୧୫ ତାରିଖ‌ରେ ଆୟୋଜିତ ହେବାକୁ ଥିବା ଫେଡେରେସନ୍ କପ୍ ଆଥଲେଟିକ୍ସ ଲାଗି ଖେଳାଳିଙ୍କ ପାଇଁ ପ୍ରସ୍ତୁତି ପର୍ବ ସଦୃଶ ହେବ।

ଆଜିର ମହିଳା ୧୦୦ ମିଟର ଦୌଡ଼ରେ ଦୂତି ୧୧.୫୧ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କର୍ଣ୍ଣାଟକର ଏଟି ଧନେଶ୍ବରୀ ୧୧.୮୬ ସେକେଣ୍ଡ ସମୟ ସହ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ମହାରାଷ୍ଟ୍ରର ଡିଆଣ୍ଡ୍ରା ଭାଲଡା ୧୧.୯୭ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ମହାରାଷ୍ଟ୍ରର କୃଷ୍ଣକୁମାର ସତୀଶ ରାୟ (୧୦.୬୮ ସେକେଣ୍ଡ) ଓ କେରଳର ମହମ୍ମଦ ଆନସ (୧୦.୭୦ ସେକେଣ୍ଡ) ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଥିଲା ବେଳେ ଅମିୟ (୧୦.୮୯ ସେକେଣ୍ଡ) କାଂସ୍ୟ ପଦକ ଜିତିଥିଲେ। ଏହି ଦୁଇ ବର୍ଗର ଜାତୀୟ କୀର୍ତ୍ତିମାନ ଦୂତି (୧୧.୨୨ ସେକେଣ୍ଡ) ଓ ଅମିୟ (୧୦.୨୬ ସେକେଣ୍ଡ)ଙ୍କ ନାମରେ ଥିଲା ବେଳେ ଉଭୟ ଏହି ସଫଳତାକୁ ଦୋହରାଇ ପାରିନାହାନ୍ତି। ଏହି ପ୍ରତିଯୋଗିତାରେ ଟୋକିଓ ଅଲିମ୍ପିକ୍ସ ଖେଳିବାର ଆଶା ରଖିଥିବା ଆରୋକିଆ ଦେବୀ, ନୋଆ ନିର୍ମଳ ଟମ୍, ଅମୋଜ ଜାକବ, ଧରୁନ ଆୟାସାମି, ଅଞ୍ଜଳି ଦେବୀ, ଶୁଭା ଭେଙ୍କଟେସନ୍, ଏମ୍ ଆର ପୁଭାମ୍ମା ପ୍ରମୁଖ ମୁଖ୍ୟ ଆକର୍ଷଣ ଥିଲେ।

ସମ୍ବନ୍ଧିତ ଖବର