ଦୁବାଇ: ମୋଟେରା ଓ ଲର୍ଡସର ଦୁଃଖ ଲିଭିଛି ଦୁବାଇରେ। ଅଷ୍ଟ୍ରେଲିଆଠାରୁ ୨୦୨୩ ମସିହାର ଡବଲ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ। ବୋଲରଙ୍କ ମିଳିତ ପ୍ରୟାସ ପରେ ବିରାଟ କୋହଲିଙ୍କ ନେତୃତ୍ବରେ ବ୍ୟାଟିଂ ବୋବାଲ୍ ବଳରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଯାଇଛି। ଏଥି ସହିତ ଆଇସିସି ନକ୍ ଆଉଟ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆଠାରୁ ହାରିବାର ଧାରାକୁ ଭାରତ ଭାଙ୍ଗି ଦେଇଛି। ଶେଷ ଥର ପାଇଁ ଭାରତ ୨୦୧୧ ଦିନିକିଆ ବିଶ୍ବକପ୍ କ୍ବାର୍ଟରଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏଥିସହ ୨୦୨୩ ମସିହାର ଦିନିକିଆ ବିଶ୍ବକପ୍ (ମୋଟେରା, ଅହମଦାବାଦ) ଏବଂ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ (ଲର୍ଡସ) ପରାଜୟର ମଧୁର ପ୍ରତିଶୋଧ ନେଇଯାଇଛି ରୋହିତ ଶର୍ମାଙ୍କ ଦଳ। ରୋହିତ ମଧ୍ୟ ପ୍ରଥମ ଭାରତୀୟ ଅଧିନାୟକ ଭାବେ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍ ପ୍ରବେଶର ବିରଳ ସଫଳତା ପାଇଛନ୍ତି। ୨୦୨୩ରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଏବଂ ଦିନିକିଆ ବିଶ୍ବକପ୍ ସହ ୨୦୨୪ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଖେଳିଥିଲା ତାଙ୍କ ଦଳ। ଏବେ ଚତୁର୍ଥ ଫାଇନାଲ୍ ଖେଳିବ ରୋହିତ ସେନା। କ୍ରମାଗତ ଫାଇନାଲ୍ ପ୍ରବେଶ କରିଥିବା ଭାରତ ରବିବାରର ଟାଇଟଲ୍ ଲଢ଼େଇରେ ନ୍ୟୁଜିଲାଣ୍ଡ୍ କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିବ।
ଦୁବାଇର ମନ୍ଥର ପିଚ୍ରେ ୨୬୫ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିବା ଭାରତ ପାଇଁ କଷ୍ଟକର ହେବ ବୋଲି ବିଶ୍ବାସ କରାଯାଉଥିଲା। ରୋହିତ ଶର୍ମା ତାଙ୍କ ପାରମ୍ପରିକ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ଚୌକା ଓ ଛକାରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ସମୟ ରହିପାରି ନଥିଲେ। ତଥାପି ୨୯ ବଲ୍ରୁ ୨୮ ରନ୍ କରି ମୂଳଦୁଆ ପକାଇଥିଲେ। ଏହା ପୂର୍ବରୁ ଗିଲ୍ଙ୍କୁ ଦାରସିସ୍ ବୋଲ୍ଡ କରି ଦେଇଥିଲେ। ଏହି ସମୟରେ ବିରାଟ କୋହଲି ଓ ଶ୍ରେୟସ ଆୟର ତୃତୀୟ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ି ଭାରତ ପାଳିକୁ ସଜାଡ଼ି ଦେଇଥିଲେ। ଆଦାମ ଜାମ୍ପାଙ୍କ ଦ୍ବାରା ବୋଲ୍ଡ ହେବା ସହ ଆୟର ମାତ୍ର ୫ ରନ୍ ପାଇଁ କ୍ରମାଗତ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। କୋହଲି କିନ୍ତୁ ୪୩ତମ ଓଭର ପର୍ଯ୍ୟନ୍ତ ତିଷ୍ଠି ରହିଥିଲେ।
୯୮ ବଲ୍ରୁ ୮୪ ରନ୍ କରି ସେ ମଧ୍ୟ ଜାମ୍ପାଙ୍କ ଶିକାର ହୋଇଥିଲେ। କିନ୍ତୁ ଭାରତକୁ ବିଜୟମୁହାଁ କରି ସାରିଥିଲେ। ଅବଶିଷ୍ଟ କାର୍ଯ୍ୟକୁ କେଏଲ୍ ରାହୁଲ୍ ଓ ହାର୍ଦିକ ପାଣ୍ଡ୍ୟା ସୁନ୍ଦର ଭାବେ ଶେଷ କରିଥିଲେ। ଜାମ୍ପାଙ୍କଠାରୁ କିନ୍ତୁ ପ୍ରତିଶୋଧ ନେଇଥିଲେ ହାର୍ଦିକ ପାଣ୍ଡ୍ୟା। ପାଦ ମୋଡ଼ି ହୋଇଯିବା ପରେ ହାର୍ଦିକ ଦୌଡ଼ିବା ପରିବର୍ତ୍ତେ ୪୭ତମ ଓଭର ଶେଷ ଦୁଇ ବଲ୍କୁ ତାଙ୍କ ମୁଣ୍ଡ ଉପରେ ଛକା ମାରି ଚାପ ହଟାଇ ଦେଇଥିଲେ। ସେ ୨୪ ବଲ୍ରୁ ୨୮ ରନ୍ କରି ଆଉଟ୍ ହୋଇଥିଲେ। ୪୯ତମ ଓଭର ବୋଲିଂ କରିଥିବା ଗ୍ଳେନ୍ ମ୍ୟାକ୍ସୱେଲ୍ଙ୍କ ପ୍ରଥମ ବଲ୍କୁ ଛକା ମାରି କେଏଲ୍ ରାହୁଲ୍ (୩୪ ବଲ୍ରୁ ୪୨* ରନ୍) ମ୍ୟାଚ୍କୁ ଷ୍ଟାଇଲ୍ରେ ଶେଷ କରିଥିଲେ। କୋହଲି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ଓ ଅନଭିଜ୍ଞ କୁପର୍ କନୋଲ୍ଲି ସତର୍କତାର ସହ ଆରମ୍ଭ କରିଥିଲେ। ଉଭୟ ମହମ୍ମଦ ସାମି ଓ ହାର୍ଦିକ ପାଣ୍ଡ୍ୟା ନିଜ ନିଜ ପ୍ରଥମ ବଲ୍ ୱାଇଡ୍ରୁ ବି ଆରମ୍ଭ କରିଥିଲେ। ୨୧ ବର୍ଷୀୟ କନୋଲ୍ଲିଙ୍କୁ କିନ୍ତୁ ଖାତା ଖୋଲିବାକୁ ଦେଇ ନଥିଲେ ମହମ୍ମଦ ସାମି। ୱିକେଟ୍ ପଛପଟେ ତାଙ୍କ କ୍ୟାଚ୍ ନେଇଥିଲେ କେଏଲ୍ ରାହୁଲ୍। ଭାରତ ପାଇଁ ସବୁବେଳେ ବିପଦ ସାବ୍ୟସ୍ତ ହେଉଥିବା ଟ୍ରାଭିସ୍ ହେଡ୍ ମଧ୍ୟ ପ୍ରଥମ ରନ୍ ପାଇଁ ୯ ଡଟ୍ ବଲ୍ ଖେଳିଥିଲେ। ଏହା ପରେ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ ମଧ୍ୟ ପାୱାର ପ୍ଲେ ଭିତରେ ହେଡ୍ ଆଉଟ୍ ହୋଇଯାଇଥିଲେ। ୩୩ ବଲ୍ରୁ ୩୯ ରନ୍ କରିଥିବା ବେଳେ ଭାରତର ରହସ୍ୟମୟ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଯାଇଥିଲେ। ବରୁଣ ରାଉଣ୍ଡ୍ ଦ ୱିକେଟ୍ ବୋଲିଂ କରିବା ପରେ ବଡ଼ ସଟ୍ ଚକ୍କରରେ ଯାଇଥିବା ହେଡ୍ ଲଙ୍ଗ୍ ଅଫ୍ରେ ଶୁବମନ ଗିଲ୍ଙ୍କ ହାତରେ ଧରାପଡ଼ିଥିଲେ। ଏହି ସମୟରେ କିନ୍ତୁ ମଝି ପଡ଼ିଆରେ ଏକାଠି ହୋଇଥିବା ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ ଲବୁସେନ୍ ୫୬ ରନ୍ର ଭାଗୀଦାରି କରି ପାଳି ଗଢ଼ିଥିଲେ।
ଲବୁସେନଙ୍କୁ କିନ୍ତୁ ରବୀନ୍ଦ୍ର ଜାଡ଼େଜା ଏଲ୍ବିଡବ୍ଲ୍ୟୁ କରି ଦେବା ପରେ ଅଷ୍ଟ୍ରେଲିଆ ୧୧୦/୩ରେ ପହଞ୍ଚିଯାଇଥିଲା। ୪ ଓଭର ପରେ ଜୋସ୍ ଇଙ୍ଗଲିସ୍ (୧୧)ଙ୍କୁ ବିଦାୟ ରାସ୍ତା ଦେଖାଇ ଜାଡ଼େଜା ଭାରତକୁ କ୍ରମାଗତ ସଫଳତା ଦେଇଥିଲେ। ଅଧିନାୟକ ଷ୍ଟିଭେନ୍ ସ୍ମିଥଙ୍କ ସହ ଯୋଗ ଦେଇଥିବା ଆଲେକ୍ସ କ୍ୟାରି କିନ୍ତୁ ପ୍ରଥମରୁ ଆକ୍ରମଣାତ୍ମକ ଆଭିମୁଖ୍ୟରେ ଖେଳିବାରୁ ଅଷ୍ଟ୍ରେଲିଆର ସ୍କୋର୍ ୩୮ ଓଭରରେ ୨୦୦ ଟପିଯାଇଥିଲା। ସ୍ମିଥ୍ଙ୍କ ସୁନ୍ଦର ପାଳି (୯୬ ବଲ୍ରୁ ୭୩ ରନ୍)କୁ ମହମ୍ମଦ ସାମି ଶେଷ କରିଦେବାର ପରବର୍ତ୍ତୀ ଓଭରରେ ଅକ୍ଷର ପଟେଲ୍ ଡେଞ୍ଜର୍ମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ (୭)ଙ୍କୁ ବିଦାୟ କରିଥିଲେ। ସ୍ମିଥ୍ଙ୍କୁ ଏକ ଫୁଲ୍ ଟସ୍ ବଲ୍ରେ ବୋଲ୍ଡ କରି ହାସ୍ୟରୋଳ ଆଣି ଦେଇଥିଲେ। ସେହିଭଳି ଆସୁଆସୁ ଅକ୍ଷରଙ୍କୁ ଛକା ମାରିବାର ପର ବଲ୍ରେ ମ୍ୟାକ୍ସୱେଲଙ୍କ ମିଡିଲ୍ ଷ୍ଟମ୍ପ୍ ଉଡ଼ାଇ ମଧୁର ପ୍ରତିଶୋଧ ନେଇଯାଇଥିଲେ ଅକ୍ଷର। ଏକଦା ୨୮୦/୩୦୦ ରନ୍ ସମ୍ଭାବନା ସୃଷ୍ଟି କରିଥିବା ଅଷ୍ଟ୍ରେଲିଆ ଏହି ଦୁଇ ୱିକେଟ୍ ପରେ ଦବି ଯାଇଥିଲା। ବେନ୍ ଦାରସିସ୍ଙ୍କ ପ୍ରୟାସକୁ ବରୁଣ ଏବଂ ନାଥନ୍ ଏଲିସ୍ଙ୍କୁ ମହମ୍ମଦ ସାମି ବିଦାୟ ରାସ୍ତା ଦେଖାଇଥିଲେ। ଆଦାମ ଜାମ୍ପାଙ୍କୁ ହାର୍ଦିକ ପ୍ରଥମ ଶିକାର କରିନେବାରୁ ଅଷ୍ଟ୍ରେଲିଆ ୩ ବଲ୍ ପୂର୍ବରୁ ସମସ୍ତ ୱିକେଟ୍ ହରାଇ ୨୬୪ ରନ୍ରେ ଅଟକିଯାଇଥିଲା। ମହମ୍ମଦ ସାମି ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିଲେ। ବରୁଣ ଚକ୍ରବର୍ତ୍ତୀ ଓ ରବୀନ୍ଦ୍ର ଜାଡ଼େଜା ୨ଟି ଲେଖାଏଁ ଏବଂ ହାର୍ଦ୍ଦିକ-ଅକ୍ଷର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/Wo9kWmE1ff0unByVEVDM.jpg)