ଗତବର୍ଷ ଫାଇନାଲ୍‌ର ପ୍ରତିଶୋଧ: ବିଜେତା ଅଷ୍ଟ୍ରେଲିଆକୁ ୮୯ ରନ୍‌ରେ ହରାଇଲା ନ୍ୟୁଜିଲାଣ୍ଡ୍‌

କୋହଲିଙ୍କ ରେକର୍ଡ ଭାଙ୍ଗିଲେ କନ୍‌ୱେ

ସିଡନି: ଗତବର୍ଷର ଆଇସିସି ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ଅଷ୍ଟ୍ରେଲିଆ ଏହି ଫର୍ମାଟର ବିଶ୍ବ ଟ୍ରଫି ଜିତିବାର ସ୍ବପ୍ନ ସାକାର କରିଥିଲା। ଶନିବାର ଅଷ୍ଟମ ସଂସ୍କରଣର ମୁଖ୍ୟ ରାଉଣ୍ଡ୍‌ ଉଦ୍‌ଘ‌ାଟନୀ ମୁକାବିଲାରେ ପୁଣି ଥରେ ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ ମଧ୍ୟ କେନ୍‌ ୱିଲିୟମସନ୍‌ଙ୍କ ଦଳ ୮୯ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇ ବର୍ଷକ ଭିତରେ ମଧୁର ପ୍ରତିଶୋଧ ନେଇଯାଇଛି। ଡେଭନ୍‌ କନୱେ (୫୮ ବଲ୍‌ରୁ ୯୨* ରନ୍)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସାଙ୍ଗକୁ ଶୀର୍ଷକ୍ରମଙ୍କ ଉପଯୋଗୀ ଅବଦାନ କାରଣରୁ ନ୍ୟୁଜିଲାଣ୍ଡ୍‌ ୨୦ ଓଭରରେ ୩ ୱିକେଟ୍ ହରାଇ ୨୦୦ ରନ୍‌ ସଗ୍ରହ କରିନେଇଥିଲା। ବିଶ୍ବକପ୍‌ ପଦାର୍ପଣ କରିଥିବା ଫିନ୍ ଆଲେନ୍‌ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ମାତ୍ର ୧୬ ବଲ୍‌ରୁ ୪୨ ରନ୍‌ କରି ନ୍ୟୁଜିଲାଣ୍ଡ୍‌ର ଦୃଢ଼ ଦୂଳଦୁଆ ପକାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଆଲେନଙ୍କ ପାଳିରେ ୫ ଚୌକା ଓ ୩ ଦର୍ଶନୀୟ ଛକା ସାମିଲ ଥିଲା। ୱିଲିୟମସନ୍‌ ୨୩ ବଲ୍‌ରୁ ୨୩ ରନ୍‌ ଏବଂ ଜାମି ନିସାମ ୧୩ ବଲ୍‌ରୁ ୨୬* ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କମିନ୍ସ ସର୍ବାଧିକ ୪୧ ରନ୍‌ ବ୍ୟୟ କରିଥିଲେ ଏବଂ ଜୋସ୍ ହାଜେଲଉଡ୍ ସର୍ବାଧିକ ୨ ୱିକେଟ୍ ନେଇଥିଲେ। ଶେଷ ୪ ଓଭରରେ ନ୍ୟୁଜିଲାଣ୍ଡ୍‌ ୪୮ ରନ୍‌ ଯୋଡିଥିଲା।

ଜବାବରେ ଅଷ୍ଟ୍ରେଲିଆକୁ ନ୍ୟୁଜିଲାଣ୍ଡ୍‌ର ଶୃଙ୍ଖଳିତ ବୋଲିଂ ଓ ଦମ୍‌ଦାର ଫିଲଡିଂ ଆଗରେ ହାର ମାନିବାକୁ ପଡ଼ିଥିଲା। ଡେଭିଡ୍‌ ୱାର୍ଣ୍ଣର (୫), ଆରୋନ୍‌ ଫିଞ୍ଚ୍ (୧୩), ମାର୍କସ ଷ୍ଟୋଇନିସ୍‌, ଟିମ୍ ଡେଭିଡ୍‌ (୧୧), ମ୍ୟାଥ୍ୟୁ ୱେଦ୍ (୨) ପ୍ରମୁଖ ବିଫଳ ହେବା ଘରୋଇ ଅଷ୍ଟ୍ରେଲିଆ ପାଇଁ ଚିନ୍ତାର କାରଣ ହୋଇଥିଲା। ଫର୍ମକୁ ନେଇ ସଂଘର୍ଷ କରୁଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ ସର୍ବାଧିକ ୨୮ ରନ୍‌ (୨୦ ବଲ୍‌, ୩ ଚୌକା, ୧ ଛକା) କରିଥିଲେ। ଦ୍ବିତୀୟ ସର୍ବାଧିକ ୨୧ ରନ୍ ସଂଗ୍ରହ କରିଥିଲେ ପ୍ୟାଟ୍ କମିନ୍ସ। ନ୍ୟୁଜିଲାଣ୍ଡ୍‌ର ପେସ୍‌ ଓ ସ୍ପିନ୍‌ ବୋଲିଂ ଆକ୍ରମଣ ମିଳିତ ଭାବେ ଅଷ୍ଟ୍ରେଲିଆ ପାଳିକୁ ୧୭.୧ ଓଭରରେ ୧୧୧ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲା। ଟିମ୍ ସାଉଦି ସବୁଠୁ ପ୍ରଶଂସନୀୟ ବୋଲିଂ ଚିତ୍ର (୨.୧-୦-୬-୩) ପାଇଥିବା ବେଳେ ମିଚେଲ୍ ସାଣ୍ଟନର୍ (୪-୦-୩୧-୩) ମଧ୍ୟ ସଫଳ ଥିଲେ। ବୋଲ୍ଟ ଶେଷ ଭାଗରେ ୨ ୱିକେଟ୍ ଅକ୍ତିଆର କରିଥିଲେ। ଫର୍ଗୁସନ୍‌ ଓ ସୋଢ଼ିଙ୍କ ସହ ପ୍ରତି କ୍ବିୱି ବୋଲର୍‌ ଅନ୍ୟୂନ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।
ଟର୍ଣ୍ଣିଂ ପଏଣ୍ଟ୍‌: ଡେଭନ୍‌ କନ୍‌ୱେଙ୍କ ବିସ୍ଫୋରକ ୯୨ ରନ୍‌, ‌ଗ୍ଲେନ ଫିଲିପ୍ସଙ୍କ ଚମକପ୍ରଦ କ୍ୟାଚ୍‌ ଏବଂ ସାଉଦି-ସାଣ୍ଟନର୍‌ଙ୍କ ବୋଲିଂ ପ୍ରଭାବ ଏହି ମ୍ୟାଚ୍‌ର ନିର୍ଣ୍ଣାୟକ ଥିଲା। ମାର୍କସ ଷ୍ଟୋଇନିସ୍‌ଙ୍କ କ୍ୟାଚ୍‌କୁ ଗ୍ଲେନ ଫିଲିପ୍ସ ପ୍ରାୟ ୨୯ ମିଟର୍‌ ଦୌଡ଼ି ଦୌଡ଼ି ନେବା ବିଶ୍ବକପ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ହୋଇ ରହିବ ବୋଲି କ୍ରିକେଟ୍ ବିଶାରଦମାନେ କହିଛନ୍ତି। ଫିଲିପ୍ସ କେବଳ କଭର୍‌ ଅଞ୍ଚଳରୁ ୨୯ ମିଟର୍‌ ଦୌଡ଼ିନଥିଲେ ନିଜ ଡାହାଣକୁ ଉଡ଼ି ବଲ୍‌କୁ କାବୁ କରିନେଇଥିଲେ। ଫଳରେ ଫାଙ୍କା ଅଞ୍ଚଳକୁ ଖେଳିଥିଲେ ମଧ୍ୟ ଚୌକା ପାଇବା ଦୂରର କଥା ଷ୍ଟୋଇନିସ୍‌ କଟ୍‌ ହୋଇ ବିଦାୟ ନେବାକୁ ବାଧ୍ୟ ହୋଇଥିଲେ। ବୋଲର ଥିଲେ ମିଚେଲ୍ ସାଣ୍ଟନର୍‌।

୨୦୦୯ ପରେ ପ୍ରଥମ: ୨୦୦୯ ମସିହା ଫେବ୍ରୁଆରି ମାସ ପରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ଏକ ଧଳାବଲ୍‌ ମ୍ୟାଚ୍‌ରେ ପ୍ରଥମ ଥର ନ୍ୟୁଜିଲାଣ୍ଡ୍‌ ପରାସ୍ତ କରିଛି। ଅର୍ଥାତ୍‌ ଦୀର୍ଘ ସାଢ଼େ ୧୩ ବର୍ଷ ପରେ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ଟ୍ବେଣ୍ଟି-୨୦/ଦିନିକିଆ କ୍ରିକେଟ୍‌ରେ ହରାଇବାରେ ନ୍ୟୁଜିଲାଣ୍ଡ୍‌ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆର ୧୧୧ ରନ୍‌ ମଧ୍ୟ ଘରୋଇ ମାଟିରେ ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର୍‌। ପୂର୍ବ ସର୍ବନିମ୍ନ ୧୨୭ ରନ୍‌ ୨୦୧୦ରେ ମେଲ୍‌ବର୍ଣ୍ଣରେ ପାକିସ୍ତାନ ବିପକ୍ଷରେ କରିଥିଲା ଅଷ୍ଟ୍ରେଲିଆ। ସେହିଭଳି ନ୍ୟୁଜିଲାଣ୍ଡ୍‌ର ୮୯ ରନ୍‌ ବିଜୟ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦ୍ବିତୀୟ ସର୍ବୋଚ୍ଚ ବ୍ୟବଧାନ ବିଜୟ। ୨୦୧୨ରେ କଲମ୍ବୋରେ ଇଂଲଣ୍ଡକୁ ଭାରତ ୯୦ ରନ୍‌ରେ ହରାଇବା ଶୀର୍ଷରେ ରହିଛି। ୨୦୧୪ରେ ମୀରପୁରଠାରେ ପାକିସ୍ତାନକୁ ୱେଷ୍ଟଇଣ୍ଡିଜ୍‌ ୮୪ ରନ୍‌ରେ ହରାଇବା ତୃତୀୟ ସ୍ଥାନରେ ରହିଛି।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍‌ ୨୦ ଓଭରରେ ୨୦୦/୩ (ଡେଭନ୍‌ କନୱେ-୯୨*, ଫିନ୍ ଆଲେନ୍‌-୪୨, ଜାମି ନିସାମ୍‌-୨୬*, ଜୋସ ହାଜେଲଉଡ୍‌-୨/୪୧, ଆଦାମ ଜାମ୍ପା-୧/୩୯)। ଅଷ୍ଟ୍ରେଲିଆ ୧୭.୧ ଓଭରରେ ୧୧୧/୧୦ (ଗ୍ଲେନ୍ ମ୍ୟାକ୍ସୱେଲ୍‌-୨୮, ପ୍ୟାଟ୍ କମିନ୍ସ-୨୧, ଟିମ୍ ସାଉଦି-୩/୬, ମିଚେଲ୍ ସାଣ୍ଟନର୍‌-୩/୩୧, ଟ୍ରେଣ୍ଟ୍ ବୋଲ୍ଟ-୨/୨୪, ଲୋକି ଫର୍ଗୁସନ୍‌-୧/୨୦, ଈଶ ସୋଢ଼ି-୧/୨୯)।

କୋହଲିଙ୍କ ରେକର୍ଡ ଭାଙ୍ଗିଲେ କନ୍‌ୱେ

ସିଡ୍‌ନି: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର-୧୨ ପର୍ଯ୍ୟାୟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ବିଜେତା ତଥା ଏଥରର ଆୟୋଜକ ଅଷ୍ଟ୍ରେଲିଆକୁ ବଡ଼ ବ୍ୟବଧାନରେ ପରାସ୍ତ କରି ନ୍ୟୁଜିଲାଣ୍ଡ୍‌ ଜବରଦସ୍ତ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍‌ରେ ଓପ୍‌ନର ଡେଭନ୍‌ କନ୍‌ୱେ ୯୨ ରନ୍‌ର ଅପରାଜିତ ପାଳି ଖେଳି ନ୍ୟୁଜିଲାଣ୍ଡ ବିଜୟର ନାୟକ ବନିଯାଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏହା ମଧ୍ୟ କନ୍‌ୱେଙ୍କ ପ୍ରଥମ ଅର୍ଦ୍ଧଶତକ ଥିଲା। ସେ ୩୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ପରେ ଆଉ ୧୪ ରନ୍‌ ଯୋଡ଼ି ନିଜ ‌ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ କ୍ୟାରିୟରରେ ୧୦୦୦ ରନ୍‌ ମଧ୍ୟ ପୂରଣ କରିଥିଲେ। ପାଳିର ୧୪ତମ ଓଭରରେ ପ୍ୟାଟ୍‌ କମିନ୍ସଙ୍କ ବଲ୍‌ରୁ ୩ ରନ୍‌ ଚୋରାଇ କନ୍‌ୱେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ଏଥିସହିତ ଟ୍ବେଣ୍ଟି-୨୦ ଆନ୍ତର୍ଜତିକରେ ପାଳି ଭିତ୍ତିରେ ଦ୍ରୁତତମ ୧୦୦୦ ରନ୍‌ କରିବାରେ କନ୍‌ୱେ ମଧ୍ୟ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡକୁ ପଛରେ ପକାଇ ଦେଇଥିଲେ। କୋହଲି ୨୭ ପାଳିରୁ ୧୦୦୦ ରନ୍‌ ପୂରଣ କରିଥିଲା ବେଳେ କନ୍‌ୱେ ମାତ୍ର ୨୬ ପାଳିରୁ ଏହି ମାଇଲଖୁଣ୍ଟ ଅତିକ୍ରମ କରିଯାଇଛନ୍ତି। ଏକ୍ଷେତ୍ରରେ ସେ ମଧ୍ୟ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ (୨୬ ପାଳି)ଙ୍କ ସମକକ୍ଷ ହୋଇଛନ୍ତି। ଏବେ କନ୍‌ୱେଙ୍କ ଉପରକୁ ଏହି ତାଲିକାରେ ଇଂଲଣ୍ଡ ବ୍ୟାଟର ଦାୱିଦ୍‌ ମଲାନ ଏବଂ ଆଫ୍‌ଗାନିସ୍ତାନର ସାବାଉନ୍‌ ଦାଭିଜି ଦ୍ରୁତତମ କୀର୍ତ୍ତିମାନ ନିଜ ନିଜ ନାମରେ ରଖିଛନ୍ତି। ଉଭୟେ ୨୪ ଲେଖାଏଁ ପାଳିରୁ ୧୦୦୦ ରନ୍‌ ପୂରଣ କରି ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର