ମୁମ୍ବାଇ: ଆଇପିଏଲ୍-୨୦୨୨ ତଥା ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଗତବର୍ଷ ଫାଇନାଲ୍ର ମଧୁର ପ୍ରତିଶୋଧ ନେଇଛି। ରବୀନ୍ଦ୍ର ଜାଦେଜାଙ୍କ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୬ ୱିକେଟ୍ରେ ହରାଇ ଦେଇଛି ଶ୍ରେୟସ ଆୟରଙ୍କ ଦଳ। ଚେନ୍ନାଇକୁ ୧୩୧ ରନ୍ରେ ରୋକିବା ପରେ କୋଲକାତା ଅଜିଙ୍କ୍ୟ ରାହାଣେଙ୍କ ଦୃଢ଼ ମୂଳଦୁଆ ଓ ସାମ ବିଲିଙ୍ଗ୍ସ, ଶ୍ରେୟସ ଆୟରଙ୍କ ଉପଯୋଗୀ ପାଳି ବଳରେ ୯ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା। ଚମତ୍କାର ବୋଲିଂ କରିଥିବାରୁ ଉମେଶ ଯାଦବ (୪-୦-୨୦-୨)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ୱାଙ୍ଖଡେ ଷ୍ଟାଡିୟମ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନ୍ୱେଙ୍କୁ ନେଇ ପାଳି ଆରମ୍ଭ କରିଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ସଅଳ ଉଭୟଙ୍କୁ ହରାଇଥିଲା। ଉମେଶ ଯାଦବ ଉଭୟଙ୍କୁ ଆଉଟ୍ କରିଥିଲେ। ରବିନ୍ ଉଥପ୍ପା ଆକର୍ଷଣୀୟ ୨୮ ରନ୍ କରିବା ପରେ ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍ରେ ପରାସ୍ତ ହୋଇ ଷ୍ଟମ୍ପି ହୋଇଯାଇଥିଲେ। ଅମ୍ବାତି ରାୟୁଡୁ ଜମି ଆସୁଥିବା ବେଳେ ରବୀନ୍ଦ୍ର ଜାଦେଜାଙ୍କ ସହ ତାଳ ନରଖି ରନ୍ ଆଉଟ୍ ହୋଇଯାଇଥିଲେ। ଶିବମ ଦୁବେଙ୍କୁ ଆନ୍ଦ୍ରେ ରସେଲ୍ ଆଉଟ୍ କରିବା ବେଳେ ସିଏସ୍କେ ୬୧/୫ରେ ସଂଘର୍ଷ କରିଥିଲା। ବିଦାୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫୦*, ୩୮ ବଲ୍, ୭ ଚୌକା, ୧ ଛକା) ଏବଂ ଅଧିନାୟକ ରବୀନ୍ଦ୍ର ଜାଦେଜା (୨୬*, ୨୮ ବଲ୍, ୧ ଛକା) କିନ୍ତୁ ଷଷ୍ଠ ୱିକେଟ୍ ପାଇଁ ୫୫ ବଲ୍ରୁ ୭୦ ରନ୍ ଯୋଡ଼ି ୧୩୧ ରନ୍ର ସମ୍ମାନଜନକ ସ୍କୋର୍ କରିଥିଲେ। ଏହି ଅଭିଜ୍ଞ ଯୋଡ଼ି ଶେଷ ୩ ଓଭରରୁ ୪୭ ରନ୍ ଆଦାୟ କରିବାରୁ ମ୍ୟାଚ୍ ଲଢ଼ିବା ସ୍ଥିତିକୁ ଆସିଥିଲା। ଧୋନିଙ୍କ ବ୍ୟାଟ୍ରୁ ୩ ବର୍ଷ ପରେ ଏକ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା।
କୌଣସି ଆଇପିଏଲ୍ ଦଳର ନେତୃତ୍ବ ନେବା ପୂର୍ବରୁ ସର୍ବାଧିକ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ଏବେ ରବୀନ୍ଦ୍ର ଜାଦେଜା (୨୦୦)ଙ୍କ ନାମରେ ରହିଲା। ତାଙ୍କ ପୂର୍ବରୁ ମନୀଷ ପାଣ୍ଡେ (୧୫୩), କିରଣ ପୋଲାର୍ଡ (୧୩୭), ଆର୍ ଅଶ୍ବିନ୍ (୧୧୧), ସଞ୍ଜୁ ସାମସନ୍ (୧୦୭), ଭୁବନେଶ୍ବର କୁମାର (୧୦୩) ଏହି କ୍ଲବ୍ରେ ଥିଲେ। ଶନିବାର ଅମ୍ବାତି ରାୟୁଡଙ୍କ ରନ୍ ଆଉଟ୍ ମଧ୍ୟ ତାଙ୍କୁ ଏକ ଅଲୋଡ଼ା କୀର୍ତ୍ତିମାନ କ୍ଲବ୍ର ଦ୍ବିତୀୟ ସ୍ଥାନକୁ ଉନ୍ନୀତ କରିଥିଲା। ଦ୍ବିତୀୟ ସର୍ବାଧିକ ୧୫ ଥର ରନ୍ ଆଉଟ୍ ହେବାରେ ସେ ସୁରେଶ ରାଇନାଙ୍କ ସମକକ୍ଷ ହୋଇଥିଲେ। ଏବି ଡି’ଭିଲିୟର୍ସ (୧୪)ଙ୍କୁ ସେ ପଛରେ ପକାଇଥିଲେ। ଶିଖର ଧାୱନ ଓ ଗୌତମ ଗମ୍ଭୀର ସମାନ ୧୬ ଥର ଲେଖାଏଁ ରନ୍ ଆଉଟ୍ ହୋଇ ମିଳିତ ଶୀର୍ଷରେ ରହିଛନ୍ତି। କେକେଆର୍ ପାଳି ବେଳେ ସର୍ବାଧିକ ୩ ୱିକେଟ୍ ନେଇଥିବା ଡ୍ବାନ୍ ବ୍ରାଭୋ ମଧ୍ୟ ଆଇପିଏଲ୍ର ଅଗ୍ରଣୀ ବୋଲରଙ୍କ ତାଲିକାର ଶୀର୍ଷରେ ଥିବା ଲସିଥ୍ ମାଲିଙ୍ଗାଙ୍କ ସମକକ୍ଷ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/fhs654h65fssfhsfhfh.jpg)