ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ପରିଚାଳିତ ରିଲାଏନ୍ସ ଫାଉଣ୍ଡେସନ୍ ଓଡ଼ିଶା ଆଥ୍ଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର୍ (ଏଚ୍ସିପି)ର ପ୍ରତିଯୋଗିତା ଶୃଙ୍ଖଳା ରବିବାର ଉଦ୍ଯାପିତ ହୋଇଛି। ଅକ୍ଟୋବର ୨୪ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ଚାଲିଥିବା ଏହି ପ୍ରତିଯୋଗିତାରେ ବହୁ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ନଜରକୁ ଆସିଛି। ବୟସ ଓ ଲିଙ୍ଗଗତ ନିର୍ବିଶେଷରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦେଶର ଶୀର୍ଷସ୍ତରର ୨୦୦ ମିଟର୍ ସ୍ପ୍ରିଣ୍ଟର୍ ଅମ୍ଳାନ ବର୍ଜୋହାଁ ବ୍ୟକ୍ତିଗତ ଶ୍ରେଷ୍ଠ ୨୧.୨୦ ସେକେଣ୍ଡ୍ ପ୍ରଦର୍ଶନ କରିଥିଲେ। ୧୦୦ ମିଟରରେ ମଧ୍ୟ ସେ ୧୦.୬୩ ସେକେଣ୍ଡ୍ ସମୟ ସହିତ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ଅର୍ଜନ କରିଥିଲେ। ୧୦୦ ଓ ୨୦୦ ମିଟରରେ ସେ ୩ ଲେଖାଏଁ ଦୌଡ଼ରେ ମୋଟ ୬ ଥର ଭାଗ ନେଇ ଶ୍ରେଷ୍ଠ ଦଳଗତ ପୁରୁଷ ବିଜେତା ହୋଇଛନ୍ତି। ଏପ୍ରିଲ୍ ମାସରେ ଯୋଗ ଦେଇଥିବା ଏହି ୨୨ ବର୍ଷୀୟ ଧାବକ ୭ ମାସ ମଧ୍ୟରେ ନିଜର ଶ୍ରେଷ୍ଠତ୍ବ ଅର୍ଜନ କରିଛନ୍ତି। ଭବିଷ୍ୟତରେ ବରିଷ୍ଠ ବର୍ଗରେ ଭାରତର ପ୍ରତିନିଧିତ୍ବ ଆଶା ରଖିଥିବା ଅମ୍ଳାନ ଏବେ ୨୧ ସେକେଣ୍ଡ୍ ଦଳକୁ ଆସିବା ଉପରେ ଏକାଗ୍ର ରହିଥିବା ପ୍ରକାଶ କରିଛନ୍ତି।
ମହିଳା ବର୍ଗରେ ୧୫ ବର୍ଷୀୟ ସୁନ୍ଦରଗଡ଼ର ବାଧାଦୌଡ଼ାଳି ସବିତା ଟୋପ୍ପୋ ଅଗଷ୍ଟ ମାସରେ ଯୋଗ ଦେଇଥିଲେ ମଧ୍ୟ ନିଜ ୬ ଦୌଡ଼ ମଧ୍ୟରୁ ୪ଟିରେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ଦେଇ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ନିଜର ପ୍ରିୟ ୧୦୦ ମିଟର୍ ବାଧାଦୌଡ଼ରେ ସେ ୧୪.୫୪ ସେକେଣ୍ଡ୍ ସମୟ ନେଇ ଶ୍ରେଷ୍ଠ ସମୟ ପାଇଥିଲେ। କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଚାଲିଥିବା ଏହି ଏଚ୍ପିସିରେ ୨୦ ଜଣ ଓଡ଼ିଆ ଖେଳାଳି ବି ପ୍ରଶିକ୍ଷଣ ନେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଅଲମାଗିର୍ ହୁସେନ୍ ଶ୍ରେଷ୍ଠ ପୁରୁଷ ପ୍ରଦର୍ଶନକାରୀ, ବଳଭଦ୍ର ଭତ୍ରା ସବୁଠୁ ଉନ୍ନତ ପ୍ରଦର୍ଶନକାରୀ, ଦେବୀ ପ୍ରସାଦ କର ସବୁଠୁ ସ୍ଥିର ପ୍ରଦର୍ଶନକାରୀ, ମହେନ୍ଦ୍ର ସାନ୍ତା, ଲକ୍ଷ୍ମୀପ୍ରିୟା କିଷାନ, ବୀର୍ଷା ଗଗରାଇ ପ୍ରମୁଖ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ବୀର୍ଷା ଗଗରାଇ, ଅରୢନ ଏକ୍କା, ସାୱନ ଟୋପ୍ପୋ, ଅମ୍ଳାନ ବର୍ଜୋହାଁ, ଲକ୍ଷ୍ମୀପ୍ରିୟା କିଷାନ ପ୍ରମୁଖ ଖେଳାଳିଙ୍କ ଭୋଟିଂରେ ବର୍ଷର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fhfh4sfh7sfh987hf98fh7fshsfhsfh.jpg)