ଆରଏଫ୍ ଯୁବ ପ୍ରତିଯୋଗିତାରେ ଅଂଶିକାଙ୍କୁ ସ୍ୱର୍ଣ୍ଣ

ଜାତୀୟ ଭାରୋତ୍ତୋଳନ : କୀର୍ତ୍ତିମାନ ସହ ମୁନାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ବର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ‌ ଅଭ୍ୟାସ ପଡ଼ିଆରେ ରିଲାଏନ୍ସ ଫାଉଣ୍ଡେସନ୍ ଯୁବ କ୍ରୀଡ଼ା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଏବଂ ଦୌଡ଼କୁଦ ପ୍ରତିଯୋଗିତାରେ ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳଙ୍କ ଝିଅ ଅଂଶିକା ରାଉତରାୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବୁଧବାର କନିଷ୍ଠ ବାଳିକା ସଟ୍‌ପୁଟ୍‌ରେ ସାଇ ଇଣ୍ଟରନ୍ୟାସ୍‌ନାଲ ଛାତ୍ରୀ ଅଂଶିକା ୧୧.୩୩ ମିଟର ଦୂର ଫିଙ୍ଗି ପ୍ରଥମ ସ୍ଥାନରେ ରହିଥିଲେ। ତାଙ୍କ ପଛକୁ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ଅର୍ପିତା ସାହୁ (୧୦.୩୮ ମିଟର) ରୌପ୍ୟ ଓ କିସ୍‌ ସ୍କୁଲ୍‌ର ଶିବାନୀ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ। ଏହି ୩ ଦିନିଆ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହେବ।

ଜାତୀୟ ଭାରୋତ୍ତୋଳନ : କୀର୍ତ୍ତିମାନ ସହ ମୁନାଙ୍କୁ ସ୍ୱର୍ଣ୍ଣ

ବ୍ରହ୍ମପୁର : ବିହାରର ଗୟାଠାରେ ଅନୁଷ୍ଠିତ ହେଉଥିବା ଜାତୀୟ କନିଷ୍ଠ ଓ ଯୁବ ବର୍ଗ ଭାରୋତ୍ତୋଳନ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଓଡ଼ିଶା ପ୍ରଥମ ପଦକ ହାସଲ କରିଛି। ୫୫ କେଜି ବର୍ଗରେ ମୁନା ନାୟକ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ସ୍ନାଚ୍‌ରେ ୧୦୬ କେଜି ଭାରୋତ୍ତୋଳନ କରି ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ସେ କ୍ଲିନ୍‌ ଆଣ୍ଡ ଜର୍କରେ ୧୨୮କେଜି ‌ସହ ମୋଟ ୨୩୪ କେଜି ଭାରୋତ୍ତୋଳନ କରିଥିଲେ। ମୁନାଙ୍କ ଘର ବ୍ରହ୍ମପୁର ଉପଖଣ୍ଡ ମହୁଡ଼ା ଅଂଚଳରେ। ସେ ୨୦୧୬ ମସିହାରୁ ପୁନେ ସ୍ଥିତ ଆର୍ମି ସ୍ପୋର୍ଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାଲିମ୍‌ ନେଉଛନ୍ତି। ଏହା ପୂର୍ବରୁ ୨୦୧୫ରେ ସେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ରହି ଭାରୋତ୍ତୋଳନ ପ୍ରଶିକ୍ଷଣ ନେଉଥିଲେ। ଗତବର୍ଷ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି ମୁନା ନିଜ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ମୋଟ ୩୫ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର