ରିଚାର୍ଡସ୍‌-ଶାସ୍ତ୍ରୀ ମିଳନ

ଆଣ୍ଟିଗୁଆ : ବିଗତ ଦିନର ଦୁଇ କ୍ରିକେଟ୍‌ ତାରକା ରବି ଶସ୍ତ୍ରୀ ଓ ଭିଭି ରିଚାର୍ଡସ୍‌ଙ୍କ ମିଳନ ଘଟିଛି। ବର୍ତମାନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଶାସ୍ତ୍ରୀ ଏବଂ ପୂର୍ବତନ ବିସ୍ଫୋରକ ୱେଷ୍ଟଇଣ୍ଡିଜ୍‌ ତାରକା ରିଚାର୍ଡସ୍‌ ବୁଧବାର ଏକାଠି ଉଠାଇଥିବା ଫଟୋ ଟ୍ବିଟରରେ ଦେଖିବାକୁ ମିଳିଛି। ଦୁହିଁଙ୍କ ମିଳନ ଅବସରରେ ଶାସ୍ତ୍ରୀଙ୍କୁ ରିଚାର୍ଡସ୍‌ ‘କିଙ୍ଗ୍‌’ ଆଖ୍ୟା ଦେଇଥିଲା ବେଳେ ଶାସ୍ତ୍ରୀ ଟ୍ବିଟରରେ ଛାଡ଼ିଥିବା ଫଟୋ ପାଖରେ ‘ୱିଥ୍‌ ମାଇ ମ୍ୟାନ୍‌, ଦି କିଙ୍ଗ୍‌ ଇନ୍‌ ହିଜ୍‌ କିଙ୍ଗ୍‌ଡମ୍‌’ (ମୋ ପସନ୍ଦର ଖେଳାଳିଙ୍କ ସହିତ, ଯିଏକି ନିଜ ସାମ୍ରାଜ୍ୟ‌ର ସମ୍ରାଟ) ବୋଲି ଉଲ୍ଲେଖ କରିଛନ୍ତି।

୬୭ ବର୍ଷ ବୟସ୍କ ରିଚାର୍ଡସ ଏବେ ବି ପଡ଼ିଆ ବାହାରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ରହିଛନ୍ତି। ୧୯୮୦ ଦଶକରେ ୱେଷ୍ଟଇଣ୍ଡିଜ୍‌ ଦଳର ସେ ହିଁ ଗୁରୁତ୍ବପୂର୍ଣ୍ଣ ଖେଳାଳି ଥିଲେ। ତାଙ୍କ ଆନ୍ତର୍ଜାତିକ କ୍ରିକେଟ ଜୀବନ କାଳରେ ରିଚାର୍ଡସ୍‌ ୧୨୧ ଟେ‌ଷ୍ଟ୍‌ରୁ ୮୫୪୦ ରନ୍‌ କରିଥିଲା ବେଳେ ଦିନିକିଆ ଫର୍ମାଟ୍‌ରେ ୪୭ ହାରରେ ୬୭୨୧ ରନ୍‌ କରିଥିଲେ। ଅନ୍ୟପକ୍ଷରେ ରବି ଶାସ୍ତ୍ରୀ ୮୦ ଟେଷ୍ଟ୍‌ ୧୫୦ ଦିନିକିଆ ଭାରତ ପାଇଁ ଖେଳିଥିଲା ବେଳେ ଯଥାକ୍ରମେ ୩୮୩୦ ଓ ୩୧୦୮ ରନ୍‌ କରିଥିଲେ। ଜଣେ ଅଲ୍‌ରାଉଣ୍ଡର ଭାବେ ସେ ମଧ୍ୟ ଟେ‌ଷ୍ଟ୍‌ରେ ୧୫୧ ଏବଂ ଦିନିକିଆରେ ୧୨୯ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର