ରିଷି ରଚିଲେ ଇତିହାସ: ବଲ୍‌ ବୟ ହେବାରେ ପ୍ରଥମ ଭାରତୀୟ

ବାଙ୍ଗାଲୋର: ଚଳିତ ଫିଫା ବିଶ୍ୱକପ୍‌ରେ ଭାରତୀୟ ଫୁଟ୍‌ବଲ୍‌ ଦଳର ସଂପୃକ୍ତି ନଥିଲେ ମଧ୍ୟ ଜଣେ ଭାରତୀୟ ଭାବେ ରିଷି ତେଜ୍‌ ରୁଷିଆରେ ଇତିହାସ ରଚିଛନ୍ତି। ଗତ ସୋମବାର ସୋଚିରେ ଖେଳାଯାଇଥିବା ବେଲ୍‌ଜିୟମ୍‌-ପାନାମା ମ୍ୟାଚ୍‌ରେ ବଲ୍‌ ବୟ ଭାବେ ରହି ୧୦ ବର୍ଷ ବୟସ୍କ ରିଷି ପ୍ରଥମ ଭାରତୀୟ ହେବାର ଗୌରବ ବହନ କରିଛନ୍ତି। ଫିସ୍ତ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ରିଷି ବଲ୍‌ ଧରି ପଡ଼ିଆକୁ ପ୍ରବେଶ କରିବା ଭାରତ ପାଇଁ ଗର୍ବର ମୁହୂର୍ତ୍ତ ଥିଲା। ରିଷି ବିଶ୍ୱକପ୍‌ ପାଇଁ ମସ୍କୋ ଯିବା ପୂର୍ବରୁ ଏତେ ଉଲ୍ଲସିତ ହୋଇପଡ଼ିଥିଲେ ଯେ ପ୍ରାୟ ଗୋଟିଏ ସପ୍ତାହ ପାଇଁ ଭଲରେ ଶୋଇ ପାରିନଥିଲେ। ବିଶ୍ୱକପ୍‌ ମ୍ୟାଚ୍‌ରେ ବଲ୍‌ ବୟ ଭାବେ ରହିବାର ଖୁସି ଏତେମାତ୍ରାରେ ଥିଲା ଯେ ତାହା କଳନା କରିହେବ ନାହିଁ। ତେବେ ଏଭଳି ସ୍ୱପ୍ନ ସୋମବାର ରାତିରେ ପୂରଣ ହୋଇଥିବାରୁ ସେ ଖୁବ୍‌ ଉତ୍‌ଫୁଲିତ ହୋଇପଡ଼ିଛନ୍ତି ବୋଲି ବାଙ୍ଗାଲୋର ବାଳକ ରିଷି କହିଛନ୍ତି। ବଲ୍‌ ବୟ ଭାବେ ପଡ଼ିଆକୁ ଯିବାପରେ ଆନନ୍ଦର ଚରମସୀମାରେ ପହଞ୍ଚି ଯାଇଥିଲି ଏବଂ ନିକଟରେ ବିଶ୍ୱକପ୍‌ ମ୍ୟାଚ୍‌କୁ ବେଶ୍‌ ଉପଭୋଗ କରିଥିଲି। ସେହି ମ୍ୟାଚ୍‌ରେ ବେଲ୍‌ଜିୟମ୍‌ ୩-୦ ଗୋଲ୍‌ରେ ପାନାମାକୁ ପରାସ୍ତ କରିଥିଲା। ଏତେ ବଡ଼ବଡ଼ ଖେଳାଳି କିପରି ଖେଳୁଛନ୍ତି ତାହା ମଧ୍ୟ ନୀରିକ୍ଷଣ କରିଥିଲି ବୋଲି ରିଷି କହିଛନ୍ତି। ତେବେ ରିଷିଙ୍କ ପରେ ଆଉ ଜଣେ ଭାରତୀୟ ବାଳକ ମଧ୍ୟ ଏହି ବିଶ୍ୱକପ୍‌ରେ ବଲ୍‌ ବୟ ଭାବେ ରହିଛନ୍ତି। ସେ ହେଲେ ତାମିଲନାଡୁର ୧୧ ବର୍ଷ ବୟସ୍କ ବାଳକ ନାଥନିଆ ଜନ୍‌ କାଣ୍ଡାଥିଲ୍‌। ନାଥନିଆ ଆସନ୍ତା ୨୨ ତାରିଖ ଦିନ ବ୍ରାଜିଲ୍‌ ଓ କୋଷ୍ଟାରିକା ମ୍ୟାଚ୍‌ରେ ବଲ୍‌ ବୟ ଦାୟିତ୍ୱ ତୁଲାଇବେ। ଏଥିପାଇଁ ମଧ୍ୟ ସେ ବ୍ୟଗ୍ର ଅଛନ୍ତି ବୋଲି ନାଥନିଆ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଫିଫା ଚଳିତ ବିଶ୍ୱକପ୍‌ ପାଇଁ ବିଭିନ୍ନ ଦେଶରୁ ମୋଟ ୬୪ ବିଦ୍ୟାଳୟ ପିଲାଙ୍କୁ ବଲ୍‌ ବୟ ଭାବେ ସ୍ୱୀକୃତି ଦେଇଥିଲା ବେଳେ ସେମାନଙ୍କ ମଧ୍ୟରେ ଭାରତରୁ କେବଳ ୨ ଜଣ (ରିଷି ଓ ନାଥନିଆ) ସାମିଲ ହେବାର ଗୌରବ ବହନ କରିଛନ୍ତି।

ସମ୍ବନ୍ଧିତ ଖବର