ଭାରତୀୟ ହକି ଦଳର ନୂଆ ପ୍ରଶିକ୍ଷକ ହେବେ ରିଡ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗ୍ରାହାମ୍‌ ରିଡ୍‌ ଭାରତୀୟ ପୁରୁଷ ହକି ଦଳର ନୂଆ ପ୍ରଶିକ୍ଷକ ଭାବେ ଭାବେ ଖୁବ୍‌ ଶୀଘ୍ର ଦାୟିତ୍ବ ନେବେ। ଏହି ପଦ ପାଇଁ ରିଡ୍‌ଙ୍କ ନାମ ଉପରେ ମଙ୍ଗଳବାର ଉଭୟ ହକି ଇଣ୍ଡିଆ ଓ ସାଇ ସହମତି ପ୍ରକାଶ କରିଛନ୍ତି। ରିଡ୍‌ଙ୍କ ସମେତ ଅନ୍ୟତମ ଅଷ୍ଟ୍ରେଲୀୟ ୱାରେନ୍‌ ବିର୍ମିଙ୍ଗ୍‌ହାମ୍‌, ବ୍ରେଣ୍ଟ୍‌ ଲିଭରମୋର ଏବଂ ଜୟ ଷ୍ଟାସିଙ୍କ ନାମ ମଧ୍ୟ ଏହି ପଦ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟକୁ ପଠାଯାଇଛି। ଚଳିତ ସପ୍ତାହରେ ରିଡ୍‌ଙ୍କ ନାମରେ କ୍ରୀଡ଼ା ମନ୍ତ୍ରଣାଳୟର ଚୂଡାନ୍ତ ମୋହର ଲାଗିପାରେ ବୋଲି କୁହାଯାଉଛି। ଫଳରେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ୫୪ ବର୍ଷ ବୟସ୍କ ରିଡ୍‌ ଦାୟିତ୍ବ ଗ୍ରହଣ କରିବା ସମ୍ଭାବନା ରହିଛି। ରିଡ୍‌ ମଧ୍ୟ ସାଇର ଚୁକ୍ତି ଅନ୍ତର୍ଗତ ସମସ୍ତ ନିୟମାବଳୀକୁ ନେଇ ରାଜି ହୋଇଛନ୍ତି। ଯଦି ରିଡ୍‌ଙ୍କ ନାମରେ ମୋହର ଲାଗେ ତେବେ ଭାରତୀୟ ପୁରୁଷ ହକି ଦଳରେ ସମସ୍ତ ପ୍ରଶିକ୍ଷକମଣ୍ଡଳୀ ଅଷ୍ଟ୍ରେଲୀୟ ହୋଇଯିବେ। ଏବେ ମଧ୍ୟବର୍ତିକାଳୀନ ପ୍ରଶିକ୍ଷକ ତଥା ହାଇ ପର୍ଫରମାନ୍‌ସ ଡାଇରେକ୍ଟର ଥିବା ଡେଭିଡ୍‌ ଲାନ୍‌ ଜନ୍‌ ଏବଂ ଦଳର ଆନାଲିଟିକାଲ ପ୍ରଶିକ୍ଷକ କ୍ରିସ୍‌ ସିରିଏଲୋ ମଧ୍ୟ ଅଷ୍ଟ୍ରେଲୀୟ ଅଛନ୍ତି। ରିଡ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଜଣେ ଖେଳାଳି ଭାବେ ୧୯୯୨ ଅଲିମ୍ପିକ୍ସ ଏବଂ ୧୯୯୦ ବିଶ୍ବକପ୍‌ ଖେଳିଥିଲେ। ସେଥିରେ ଅଷ୍ଟ୍ରେଲିଆ ଅଲିମ୍ପିକ୍ସରେ ରୌପ୍ୟ ଏବଂ ବିଶ୍ବକପ୍‌ରେ କାଂସ୍ୟ ପଦକ ଜିତିଥିଲା। ଏହାପରେ ଅଷ୍ଟ୍ରେଲୀୟ ପୁରୁଷ ଦଳର ପ୍ରଶିକ୍ଷକ ଭାବେ ରିଡ୍‌ ସଫଳତା ପାଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଷ୍ଟ୍ରେଲିଆ ଦୁଇଥର ଚାମ୍ପିଅନ୍‌ସ ଟ୍ରଫି ଜିତିଥିଲା ବେଳେ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ୨୦୦୯ରୁ ଅଷ୍ଟ୍ରେଲିଆ ଦଳର ସହକାରୀ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ରିଡ୍‌ ୨୦୧୪ରେ ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ। ତେବେ ୨୦୧୬ ରିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆର କ୍ବାର୍ଟର ଫାଇନାଲ୍‌ ପରାଜୟ ପରେ ରିଡ୍‌ ପଦତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର