ଅହମଦାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୬ତମ ସଂସ୍କରଣର ୫୧ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଗୁଜୁରାଟ, ଲକ୍ଷ୍ନୌକୁ ୫୬ ରନରେ ପରାସ୍ତ କରିଛି | ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଟସ୍ ଜିଣି ଲକ୍ଷ୍ନୌ ଟିମ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ୍ ବ୍ୟାଟିଂ କରିଥିଲା। ଘରୋଇ ଦଳ ଶୁଭମନ୍ ଗିଲ ଓ ଋଦ୍ଧିମାନ ଶାହଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍ ହରାଇ ୨୨୭ ରନ୍ କରିଥିଲା ।
ତେବେ ଲକ୍ଷ୍ନୌ ୭ ଉଇକେଟ ବିନିମୟରେ ୧୭୧ ରନ ହିଁ କରିପାରିଥିଲା | ତେବେ ଆଜି ପଡ଼ିଆରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫିଲ୍ଡିଂ ସମୟରେ ଗୁଜୁରାଟ ଦଳର ୱିକେଟ୍ କିପର ରିଦ୍ଧିମାନ ଶାହା ଓଲଟା ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା | ଆଉ ବର୍ତ୍ତମାନ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଫିଲ୍ଡିଂ ସମୟରେ ଦୁଇ ଓଭର ପରେ ରିଦ୍ଧିମାନ ଶାହା ପଡ଼ିଆରୁ ଚାଲିଯାଇଥିଲେ | ବାସ୍ତବରେ ଯେତେବେଳେ ଲକ୍ଷ୍ନୌର ଇନିଂସ ଆରମ୍ଭ ହେବାକୁ ଯାଉଥିଲା, କେ.ଏସ୍ ଭରତ ୱିକେଟ୍ କିପିଙ୍ଗ କରିବାକୁ ଆସୁଥିଲେ | ତେବେ ଅନ୍-ଫିଲ୍ଡ ଅମ୍ପାୟାରମାନେ ଏହାକୁ ବିରୋଧ କରିଥିଲେ ଏବଂ ପରେ ଶାହାଙ୍କୁ ଶୀଘ୍ର ପ୍ରସ୍ତୁତ ହେବାକୁ ପଡିଲା ଏବଂ ବ୍ୟସ୍ତତା ଭିତରେ ସେ ଓଲଟା ପ୍ୟାଣ୍ଟ ପିନ୍ଧି ପଡିଆକୁ ଆସିଯାଇଥିଲେ |