ନୂଆଦିଲ୍ଲୀ: ଭାରତୀୟ ୱିକେଟ୍କିପର ବ୍ୟାଟର୍ ରିଦ୍ଧିମାନ ସାହା ସୋମବାର ସମସ୍ତ ଫର୍ମାଟ୍ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସେ ଚଳିତ ରଣଜୀ ଋତୁ ପରେ କ୍ରିକେଟ୍ରୁ ଅବସର ନେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ରିଦ୍ଧି ଲେଖିଛନ୍ତି ‘‘କ୍ରିକେଟ୍ର ଏହି ପ୍ରିୟ ଯାତ୍ରା ଚଳିତ ଋତୁ ପରେ ଶେଷ ହେବ। ଅବସର ପୂର୍ବରୁ ରଣଜୀ ଟ୍ରଫିରେ ବେଙ୍ଗଲ ପକ୍ଷରୁ ଖେଳିବାର ସୁଯୋଗ ପାଇଥିବାରୁ ଗୌରବ ଅନୁଭବ କରୁଛି।
ଯେଉଁମାନେ ମୋର ଏହି ଯାତ୍ରାରେ ସାମିଲ ଅଛନ୍ତି ସମସ୍ତଙ୍କୁ ଧନ୍ୟବାଦ। ଚାଲନ୍ତୁ ଏହି ଋତୁକୁ ସ୍ମରଣୀୟ କରିବା’’। ରିଦ୍ଧିମାନ ୨୦୧୦ରୁ ୨୦୨୧ ମଧ୍ୟରେ ଭାରତ ପକ୍ଷରୁ ୪୦ ଟେଷ୍ଟ୍ ଓ ୯ ଦିନିକିଆ ଖେଳିଛନ୍ତି। ସେ ୩ ଶତକ ଓ ୬ ଅର୍ଦ୍ଧଶତକ ସହ ୧୩୦୦ରୁ ଅଧିକ ରନ୍ କରିଛନ୍ତି। ଟେଷ୍ଟ୍ରେ ୯୨ କ୍ୟାଚ୍ ନେବା ସହ ୧୨ ଷ୍ଟମ୍ପିଂ କରିଛନ୍ତି। ସେ ମଧ୍ୟ ୧୭୦ ଆଇପିଏଲ୍ ମ୍ୟାଚ୍ରେ ବିଭିନ୍ନ ଦଳ କୋଲ୍କାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସ, ସନ୍ରାଇଜର୍ସ ହାଇଦ୍ରାବଦ ଓ ଗୁଜରାଟ ଜାଏଣ୍ଟ୍ସରୁ ପ୍ରତିନିଧିତ୍ବ କରିଛନ୍ତି। ୨୦୦୭ରେ ବେଙ୍ଗଲ ପକ୍ଷରୁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ୧୫ ବର୍ଷ ଏହି ଦଳ ପକ୍ଷରୁ ଖେଳିବା ପରେ ତ୍ରିପୁରାରୁ ପ୍ରତିନିଧିତ୍ବ କରିଥିଲେ। ୨୦୨୨ ଆଇପିଏଲ୍ ବିଜେତା ଗୁଜରାଟ ଜାଏଣ୍ଟ୍ସର ସେ ସଦସ୍ୟ ଥିଲେ।