ରିଦ୍ଧିମାନ ୨ ମାସ ଖେଳିପାରିବେନି

ନୂଆଦିଲ୍ଲୀ: ଭାରତର ପ୍ରଥମ ପସନ୍ଦ ଓ୍ଵିକେଟ୍‌ରକ୍ଷକ ରିଦ୍ଧିମାନ ଶାହା କାନ୍ଧରେ ଆଘାତ ଯୋଗୁଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ତେବେ ସେ ପ୍ରାୟ ୨ ମାସ ଖେଳିପାରିବେନି ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି। ଏବେ ତାଙ୍କ ଆଘାତ କେତେ ଗୁରୁତର ସେନେଇ ଆକଳନ କରାଯିବା ପରେ ତାଙ୍କ କାନ୍ଧରେ ଅସ୍ତ୍ରୋପଚାର ଆବଶ୍ୟକତା ଉପରେ ବିଚାର କରାଯିବ। ହେଲେ ଦୁଇ ମାସ ପର୍ଯ୍ୟନ୍ତ ରିଦ୍ଧିମାନଙ୍କୁ ବ୍ୟାଟ୍‌ ଉଠାଇବାକୁ ମନା କରାଯାଇଛି। ଏହା ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ରିଦ୍ଧିମାନଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ମଧ୍ୟ ବେଙ୍ଗାଲୁରୁ ଜାତୀୟ କ୍ରିକେଟ୍‌ ଏକାଡେମିରେ ଚିକିତ୍ସିତ ହୋଇଥିଲେ। ମାତ୍ର ସେତେବେଳେ ବିସିସିଆଇ ଏହାକୁ ଲୋକଲୋଚନକୁ ଆଣିନଥିଲା। ଆଉ ଏବେ କାନ୍ଧ ଜନିତ ଗୁରୁତର ସମସ୍ୟା ତାଙ୍କୁ କ୍ରିକେଟ୍‌ରୁ ଦୂରେଇ ରହିବାକୁ ବାଧ୍ୟ କଲା। ଆହତ ଯୋଗୁଁ ଗତ ଆଫ୍‌ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରୁ ବାଦ୍‌ ପଡ଼ିଥିବା ରିଦ୍ଧିମାନ ଯେ ଚଳିତ ଇଂଲଣ୍ଡ ଗସ୍ତରୁ ବାଦ୍‌ ପଡ଼ିଲେ ତା ନୁହେଁ, ବରଂ ଚଳିତ ବର୍ଷ ଶେଷ ଭାଗରେ ଭାରତର ଅଷ୍ଟ୍ରେଲିଆ ଗସ୍ତରୁ ମଧ୍ୟ ବଞ୍ଚିତ ହେବାର ଆଶଙ୍କା ଉପୁଜିଛି। ଭାରତର ଅଷ୍ଟ୍ରେଲିଆ ଗସ୍ତ ବେଳକୁ ରିଦ୍ଧିମାନଙ୍କୁ ୩୪ ବର୍ଷ ହୋଇସାରିଥିବ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ କେତେଦୂର ତାଙ୍କୁ ଖେଳିବାକୁ ଅନୁମତି ଦେବ ତାହା କହିବା କଷ୍ଟକର। ଏବେ ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ତିନି ଟେଷ୍ଟରୁ ବାଦ୍‌ ପଡ଼ିଥିଲେ ମଧ୍ୟ ଅବଶିଷ୍ଟ ୨ ଟେଷ୍ଟକୁ ଫେରିବା ଅନିଶ୍ଚିତ ବୋଲି ମନୋନୟନ ସମିତି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି।

ସମ୍ବନ୍ଧିତ ଖବର