ବନ୍ଧୁକ ଚାଳନାର ନୂଆ ନାୟକସୌରଭ

ଜାକର୍ତା/ପାଲେମବାଙ୍ଗ: ସେ ମାତ୍ର ୩ ବର୍ଷ ତଳେ ବନ୍ଧୁକ ଚାଳନା ରେଞ୍ଜ୍‌ରେ ପାଦ ଥାପିଥିଲେ। ଗରିବ ଚାଷୀ ପରିବାରରୁ ଆସିଥିବାରୁ ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସମୟ ମିଳୁନଥିଲା। କୃଷି କ୍ଷେତ୍ରରେ ହିଁ ତାଙ୍କର ଅଧିକ ସମୟ କଟୁଥିଲା। ହେଲେ ମାତ୍ର ୧୬ ବର୍ଷ ବୟସରେ ଏସୀୟ ସ୍ୱର୍ଣ୍ଣ ଜିତିବାର ଐତିହାସିକ ସଫଳତା ଲାଭ କରିବାରୁ ସୌରଭଙ୍କୁ ଏସବୁ ପ୍ରତିବନ୍ଧକ ରୋକି ପାରିନଥିଲା। ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ଶାନ୍ତ ସରଳ କିଶୋର ମଙ୍ଗଳବାର ବହୁ ବିଶ୍ୱ ବିଜେତାଙ୍କୁ ପାଣି ପିଆଇ ଏସୀୟ କ୍ରୀଡ଼ାର ବନ୍ଧୁକ ଚାଳନା ରେଞ୍ଜ୍‌ରେ ବିଜୟ ବାନା ଉଡ଼ାଇଛନ୍ତି। ପଦାର୍ପଣରେ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ବନ୍ଧୁକ ଚାଳନାର ନୂଆ ନାୟକ ଭାବେ ଉଭା ହୋଇଛନ୍ତି।
ଉତ୍ତର ପ୍ରଦେଶ ମିରଟ ସହରର କାଲିନା ଗ୍ରାମର ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ସୌରଭ ଚୌଧୁରୀ ଦୁଇ ମାସ ତଳେ ଜର୍ମାନିରେ ଆୟୋଜିତ କନିଷ୍ଠ ବିଶ୍ୱକପ୍‌ରେ ବିଶ୍ୱ କୀର୍ତ୍ତିମାନ କରିଥିଲେ। ସେଥିପାଇଁ ତାଙ୍କଠାରୁ ବହୁତ କିଛି ଆଶା କରାଯାଉଥିଲା। ସେ ମଧ୍ୟ ନିରାଶ କରି ନଥିଲେ। ଯଶପାଲ ରାଣା, ରଣଧୀର ସିଂହ, ଜିତୁ ରାଏ ଓ ରଞ୍ଜନ ସୋଢ଼ୀଙ୍କ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ପଞ୍ଚମ ଭାରତୀୟ ବନ୍ଧୁକ ଚାଳକ ହୋଇଥିଲେ। ନୂଆ ଏସୀୟ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଥିଲେ। ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବା ସୌରଭ ଏହା ପରେ ବିଶ୍ୱ ଚାମ୍ପିଅନସିପ୍‌ ଉପରେ ନଜର ପକାଇଛନ୍ତି।
ସୌରଭ ମାତ୍ର ୧୩ ବର୍ଷ ବୟସରେ ମିରଟଠାରୁ ୫୩ କିଲୋମିଟର ଦୂରରେ ଥିବା ବାଗପତର ବେନୋଲିରେ ଥିବା ଅମିତ ସେରନ୍‌ ବନ୍ଧୁକ ଚାଳନା ଉତ୍କର୍ଷକେନ୍ଦ୍ରରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ସ୍ୱର୍ଣ୍ଣ ପଦକ ଜିତିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ବନ୍ଧୁକ ଚାଳନାର ନୂଆ ନାୟକ ଉପାଧୀକୁ ମଧ୍ୟ ସେ ସେତେଟା ଗୁରୁତ୍ୱ ଦେଇ ନାହାନ୍ତି। ମୁଁ ଚାଷ କାମକୁ ଭଲ ପାଏ। ଅଭ୍ୟାସରୁ ସମୟ ମିଳିବା କ୍ଷଣି ହିଁ ମୁଁ ଆମ ଜମିରେ ବାପାଙ୍କୁ ସାହାଯ୍ୟ କରିଥାଏ। ଗାଁକୁ ଯାଇ ମୁଁ ଏବେ ବାପାଙ୍କୁ ଆଗଭଳି ସାହଯ୍ୟ କରିବି। ସ୍ୱର୍ଣ୍ଣ ଜିତିବା ପରେ ଉତ୍ତର ପ୍ରଦେଶ ସରକାର ତାଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରି ଖେଳିଯାଇଛି।
୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ଜିତିଥିବା ୨୯ ବର୍ଷୀୟ ଅଭିଷେକ ବର୍ମା ମଧ୍ୟ ବିଳମ୍ବରେ ବନ୍ଧୁକ ଚାଳନା ଆରମ୍ଭ କରି କାଂସ୍ୟ ଜିତିଛନ୍ତି। ପେସାରେ ଜଣେ ଆଇନଜୀବୀ ଅଭିଷେକ ହେଉଛନ୍ତି ହରିଆଣାର ରୋହତକ ବାସିନ୍ଦା। ସେପଟେ ମିଶ୍ରିତ ଟ୍ରାପ୍‌ରେ ଲକ୍ଷ୍ୟ ସେରନ୍‌ ଏବଂ ଶ୍ରେୟାସୀ ସିଂହ ଷଷ୍ଠ ସ୍ଥାନରେ ରହି ପଦକ ପାଇବାରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର