ଦୁବାଇ : ୟୁଏଇରେ ସଂପ୍ରତି ଭୀଷଣ ଗରମ ଅନୁଭୂତ ହେଉଛି। ଦିନବେଳାର ତାପମାତ୍ରା ୪୦ ଡ୍ରିଗ୍ରିରୁ ଅଧିକ ରହୁଛି। ଏଭଳି ପରିସ୍ଥିତିରେ ମାତ୍ରାଧିକ ଅଭ୍ୟାସ କରିବା ଠିକ୍ ନୁହେଁ। ଏହା ହୁଏତ ଖେଳାଳିଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏଭଳି ଚେତାବନୀ ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ। ଦିଲ୍ଲୀ କ୍ୟାପିଟାଲ୍ସ ପର୍ଯ୍ୟାପ୍ତ ଅଭ୍ୟାସ ଅଧିବେସନ କରି ସାରିଥିଲା ବେଳେ ଆଗାମୀ ଅଭ୍ୟାସ ଅଧିବେସନର ସମୟ ୟୁଏଇର ପାଗ ଓ ପରିବେଶ ଉପରେ ନିର୍ଭର କରିବ ବୋଲି ସେ ସଙ୍କେତ ଦେଇଛନ୍ତି।
୬ ଦିନର ବାଧ୍ୟତାମୂଳକ ସଙ୍ଗରୋଧ ପରେ ପଣ୍ଟିଂ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ଅଭ୍ୟାସ ଅଧିବେସନକୁ ପ୍ରଥମ ଥର ପାଇଁ ପରିଚାଳନା କରିଥିଲେ। ‘‘ଏଥର ଆମ ପାଖରେ ଏକ ଛୋଟକାଟିଆ ଦଳ ରହିଛି। ଏଣୁ ଗତବର୍ଷଠାରୁ ଚଳିତବର୍ଷର ଅଭ୍ୟାସ ଅଧିବେସନର ସଂଖ୍ୟା ଓ ମାତ୍ରାରେ କିଛିଟା ପରିବର୍ତ୍ତନ ନିଶ୍ଚିତ କରାଯିବ। ପ୍ରଥମ ତିନି ସପ୍ତାହରେ ଆମକୁ ଅଧିକ ଅଭ୍ୟାସ କରିବାର ଆବଶ୍ୟକତା ନଥିବା ଆମ ଖେଳାଳିମାନଙ୍କୁ ମୁଁ କହିସାରିଛି। ପ୍ରଥମ ମ୍ୟାଚ୍ ପୂର୍ବରୁ ୨୦ ଅଭ୍ୟାସ ଅଧିବେସନ ଲାଗି ଆମେ ଯୋଜନା କରିଥିଲୁ। ହେଲେ ଏହା ଆବଶ୍ୟକତାଠାରୁ ଅଧିକ ହୋଇଯିବ ବୋଲି ମୁଁ ହୃଦୟଙ୍ଗମ କରୁଛି। ଏଣୁ ଖେଳାଳିମାନେ କିଭଳି ୟୁଏଇ ପରିବେଶରେ ନିଜକୁ ଖାପ ଖୁଆଉଛନ୍ତି, ତାହା ଦେଖି ଆମେ ପରବର୍ତ୍ତୀ ନିଷ୍ପତ୍ତି ନେବୁ’’ ବୋଲି ୪୫ ବର୍ଷୀୟ ପଣ୍ଟିଂ କହିଛନ୍ତି।
ପଣ୍ଟିଂଙ୍କ ମାର୍ଗଦର୍ଶନରେ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ୨୦୧୨ ମସିହା ପରେ ପ୍ରଥମ ଥର ପାଇଁ ଗତବର୍ଷ ପ୍ଲେ ଅଫ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ସଫଳତାକୁ ମନେ ରଖିବାକୁ ଅଷ୍ଟ୍ରେଲିଆର ଏହି ବିଶ୍ବବିଜୟୀ ଅଧିନାୟକ ନିଜ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି। ସେହିଭଳି କରୋନା ସଙ୍କଟ ପାଇଁ ସୃଷ୍ଟି କରାଯାଇଥିବା ଜୈବ ବଳୟକୁ ଯେଉଁ ଦଳ ଯେତେ ଭଲ ଭାବରେ ପରିଚାଳନା କରିବ, ପଡ଼ିଆ ଭିତରେ ସେହି ଦଳ ସେତେ ଭଲ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତୃତୀୟ ଋତୁ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ଥିବା ପଣ୍ଟିଂ ଦଳର ଦୁଇ ନୂଆ ସଦସ୍ୟ ରବିଚନ୍ଦ୍ରନ୍ ଅଶ୍ବିନ ଓ ଅଜିଙ୍କ୍ୟ ରାହାଣେଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଉଭୟ ଅଶ୍ବିନ ଓ ରାହାଣେ ବିଶ୍ବସ୍ତରୀୟ କ୍ରିକେଟର। ସେମାନେ ଆସିବା ପରେ ଆମ ଦଳ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଛି। ଶ୍ରେୟସ୍ ଆୟରଙ୍କ ରୂପରେ ଆମର ଜଣେ ଯୁବ ଅଧିନାୟକ ଅଛନ୍ତି। ଏଣୁ ଅଭିଜ୍ଞ ଓ ବରିଷ୍ଠ ଖେଳାଳି ତାଙ୍କ ଚାରିପଟେ ରହିବା ବହୁତ ଭଲ କଥା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Ponting-Delhi-IPL_571_855.jpg)