ବେଙ୍ଗାଲୁରୁ: ଶନିବାର ରାତିରେ ଆଇପିଏଲ୍ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ ପାଇଁ ଶେଷ ଓଭରରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୧୭ ରନ୍ ଆବଶ୍ୟକ ଥିଲା। କ୍ରିଜ୍ରେ ଥିଲେ ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଡ଼େଜା। ପ୍ରତିଦ୍ବନ୍ଦ୍ବୀ ବୋଲର୍ ଥିଲେ ୟଶ ଦୟାଲ ଯିଏ ଗତବର୍ଷ ଶେଷ ଓଭରରେ ୩୦ ରନ୍ ବ୍ୟୟ କରି ନିନ୍ଦିତ ହୋଇଥିଲେ। ଏଥର କିନ୍ତୁ ୟଶ ଦୟାଲ ଖଳ ନାୟକରୁ ନାୟକ ପାଲଟିଯାଇଛନ୍ତି। ଦୟାଲଙ୍କ ପ୍ରଥମ ବଲ୍କୁ ଧୋନି ଛକା ମାରିଥିଲେ କିନ୍ତୁ ପରବର୍ତ୍ତୀ ବଲ୍ରେ ଦୟାଲ୍ ପ୍ରତିଶୋଧ ନେଇଯାଇଥିଲେ। ପରବର୍ତ୍ତୀ ୪ ବଲ୍ରେ ସେ ମାତ୍ର ଗୋଟିଏ ରନ୍ ଦେଇ ଆର୍ସିବିକୁ ଅପ୍ରତ୍ୟାଶିତ ଭାବେ ପ୍ଳେଅଫ୍ ଯୋଗ୍ୟତା ପ୍ରଦାନ କରିଥିଲେ। ଏହି ବିଜୟ ପରେ ଆର୍ସିବି ଟ୍ରଫି ଜିତିବା ଭଳି ଉତ୍ସବ ପାଳିଛି। କେବଳ ୟଶ ଦୟାଲଙ୍କ ପାଇଁ ଏହା ସମ୍ଭବ ହୋଇଥିବାରୁ ପ୍ରତି ଖେଳାଳି ତାଙ୍କୁ ସବୁ ଶ୍ରେୟ ଦେଇଛନ୍ତି। ଏପରିକି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିବା ପରେ ଅଧିନାୟକ ଫାପ୍ ଡୁ ପ୍ଲେସିସ୍ ଏହାକୁ ଦୟାଲଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଦେଇଛନ୍ତି।
ଶନିବାର ରାତି ବିଜୟ ପରେ ଦୟାଲଙ୍କୁ କିନ୍ତୁ ବଡ଼ ଆଶ୍ବସ୍ତି ମିଳିଛି। ବର୍ଷକ ତଳେ ଗୁଜରାଟ ଟାଇଟନ୍ସ ପାଇଁ ଖେଳୁଥିବା ବେଳେ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ରିଙ୍କୁ ସିଂହ ଶେଷ ଓଭରରେ ଦୟାଲଙ୍କୁ ୫ ଛକା ମାରି ମ୍ୟାଚ୍ ଛଡ଼ାଇ ନେଇଥିଲେ। ଦୁଃଖ ଓ ଅବସାଦ ଦୟାଲଙ୍କୁ ଦୋହଲାଇ ଦେଇଥିଲା। ସାମାଜିକ ଗଣମାଧ୍ୟମରେ ସମାଲୋଚିତ ହେବାରୁ ୩ ଦିନ ପର୍ଯ୍ୟନ୍ତ ଘରୁ ବାହାରି ପାରି ନଥିଲେ ଏବଂ ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ। ପୁଅର ଅବସାଦରେ ପ୍ରଭାବିତ ହୋଇ ତାଙ୍କ ମା’ ରାଧା ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। କିନ୍ତୁ ଏବର ବିଜୟ ତାଙ୍କୁ ଆଶ୍ବସ୍ତି ଦେଇଛି। ମ୍ୟାଚ୍ ପରେ ଶନିବାର ଦୟାଲ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି, ‘ଭଗବାନଙ୍କ ଯୋଜନା ଥିଲା..’। ଏପରିକି ଶନିବାର ବିଜୟ ପରେ ସେ ଭିଡିଓ କଲ୍ କରି ମା’ର ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ‘କିଭଳି ଅନୁଭବ କରୁଛୁ ମା’ ବୋଲି ପ୍ରଶ୍ନ କରିଥିଲେ। କିଂବଦନ୍ତି ମହେନ୍ଦ୍ର ସିଂହ ଧୋନିଙ୍କୁ ସେ ରୋକିପାରିବାର ଆତ୍ମବିଶ୍ବାସ ରଖିଥିଲେ ବୋଲି ମଧ୍ୟ ମା’କୁ କହିଥିଲେ। ଦୟାଲଙ୍କ ପିତା ଚନ୍ଦ୍ରପାଲ୍ କହିଛନ୍ତି ‘ଧୋନି ପ୍ରଥମ ବଲ୍କୁ ୧୧୦ ମିଟର ଛକା ମାରିବା ପରେ ଗତବର୍ଷର ସେହି ଭୟଙ୍କର ଦିନ ପୁଣି ଆସିବ ବୋଲି ଡରିଯାଇଥିଲି। କିନ୍ତୁ ଭିତରେ ଭିତରେ ଭାବୁଥିଲି ଏଥର କିଛି ଭଲ ହେବ। ଦଳର ବିଜୟ ପରଠାରୁ ଏତେ ଟେଲିଫୋନ୍ କଲ୍ ଆସୁଛି ଯେ ମୁଁ ଖାଇବାକୁ ବି ଫୁରସତ ପାଉନି। ୟଶ ସହିତ ମଧ୍ୟ କଥା ହେବାକୁ ବେଳ ପାଇନାହିଁ। ତା’ ମା ଓ ଭଉଣୀ କଥା ହେବାବେଳେ କେବଳ ପାଖରୁ ଶୁଣିପାରିଛି’।
ଗତ ଋତୁରେ ନିଜ ଉତ୍ତରପ୍ରଦେଶ ଦଳୀୟ ସାଥୀ ରିଙ୍କୁ ସିଂହଙ୍କ ୫ ଛକା ମାଡ଼ ପରଠାରୁ ୟଶ ଅନେକ ବଦଳି ଯାଇଛନ୍ତି। ସେହି ଦୁଃସ୍ବପ୍ନର ରାତି ପରେ ଗୁଜରାଟ ଟାଇଟନ୍ସ ତାଙ୍କ ଉପରୁ ଆସ୍ଥା ହରାଇଥିଲା। ଦଳରୁ ମଧ୍ୟ ସେ ମୁକ୍ତ ହୋଇଯାଇଥିଲେ। ତାଙ୍କ ପିତା ହିଁ ତାଙ୍କୁ ପ୍ରବର୍ତ୍ତାଇଥିଲେ ଏବଂ ନୂଆ ରୂପରେ ଆବିର୍ଭାବ ହେବାକୁ ମନୋବଳ ଯୋଗାଇଥିଲେ। ୨୦୦୭ ବିଶ୍ବକପ୍ରେ ଷ୍ଟୁଆର୍ଟ ବ୍ରଡଙ୍କ ଭଳି ବଡ଼ ବୋଲରଙ୍କୁ ଯୁବରାଜ ସିଂହ ୬ ଛକା ମାରିଥିବା କଥା କହି ବୁଝାଇଥିଲେ। ‘ମୁଁ କେବେ କ୍ରିକେଟ୍ ସମ୍ପର୍କରେ ୟଶ ସହ କଥା ହୋଇନାହିଁ। ସେ ଈଶ୍ବର ଦତ୍ତ ପ୍ରତିଭା ଓ ଜଣେ ସମ୍ପୂର୍ଣ୍ଣ ଦ୍ରୁତ ବୋଲର’ ବୋଲି ଚନ୍ଦ୍ରପାଲ ପ୍ରକାଶ କରିଥିଲେ। ୟଶଙ୍କ ପିଲାଦିନର ପ୍ରଶିକ୍ଷକ ଅମିତ ପାଲ୍ କହିଛନ୍ତି ‘ଧୋନି ଓ ଜାଡ଼େଜାଙ୍କୁ ରୋକିବା ବଡ଼ ଆଶ୍ବସ୍ତି ଦେଇଛି। ମାନସିକ ଦୃଢ଼ତା ନଥିଲେ ଏହା ସମ୍ଭବ ହୋଇନଥାନ୍ତା। କଠିନ ପରିଶ୍ରମ କରି ସେ ଏଠାକୁ ଆସିଛି ଏବଂ ୟଶ ମଧ୍ୟ ନିମ୍ନକ୍ରମରେ ସେ ଭଲ ବ୍ୟାଟିଂ ବି କରିପାରନ୍ତି।’’
ଧୋନିଙ୍କ ଛକା ଆର୍ସିବିକୁ ଜିତାଇଲା: କାର୍ତ୍ତିକ
ବେଙ୍ଗାଲୁରୁ: ଶନିବାର ରାତିରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ପ୍ଲେଅଫ୍ରେ ପହଞ୍ଚିଥିଲା। ଭେଟେରାନ ଖେଳାଳି ମହେନ୍ଦ୍ର ସିଂହ ଧୋନି ଶେଷ ଓଭରରେ ୟଶ ଦୟାଲଙ୍କୁ ଏକ ବିରାଟ ଛକା ମାରିଥିଲେ। ଏହି ୧୧୦ ମିଟର ଦୂରତାର ଛକା ପଡ଼ିଆ ବାହାରକୁ ଚାଲିଯାଇଥିଲା। ଏହାପରେ ନୂଆ ବଲ୍ ଆସିଥିଲା। ନୂଆ ବଲ୍ ଆର୍ସିବିର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲା ବୋଲି ଡ୍ରେସିଂରୁମ୍ରେ ଦୀନେଶ କାର୍ତ୍ତିକ ଏହି ବିଷୟରେ ବିଶ୍ଳେଷଣ କରିଥିଲେ। ‘‘ଆଜିର ଭଲ ଘଟଣା ହେଉଛି, ପଡ଼ିଆ ବାହାରକୁ ଯାଇଥିବା ଧୋନିଙ୍କ ଛକା। କାରଣ ଏଥିପାଇଁ ଆମେ ନୂଆ ବଲ୍ ପାଇଥିଲୁ। ଏହା ଶୁଖିଲା ଥିବାରୁ ବୋଲିଂ କରିବାକୁ ପୂର୍ବାପେକ୍ଷା ଭଲ ହୋଇଥିଲା। ୟଶ ଭଲ ବୋଲିଂ କଲେ। ସେ ସର୍ବଦା ଲେଗ୍ଷ୍ଟମ୍ପ୍ ବାହାରେ ପିଚା ଉଚ୍ଚ ଫୁଲ୍ ଟସ୍ ପକାଉଥିଲେ। ବଲ୍ ଓଦା ବେଳେ ଏଭଳି କୌଶଳ ଆପଣାଯାଏ। କିନ୍ତୁ ନୂଆ ବଲ୍ ଅସିବା ପରେ ଏହା ଦୟାଲଙ୍କୁ ଗ୍ରିପ୍ରେ ରହିଥିଲା। ଯାହା ପାଇଁ ପରବର୍ତ୍ତୀ ୫ ବଲ୍ରେ ଗୋଟିଏ ୱିକେଟ୍ ସହ କେବଳ ୧ ରନ୍ ଦେଇଥିଲେ’’ ବୋଲି କାର୍ତ୍ତିକ କହିଛନ୍ତି।