ୱିକେଟ୍ ରକ୍ଷଣରେ ପଛୁଆ ପଡ଼ିଲେ ପନ୍ତ

ମୁମ୍ବାଇ: ଭାରତୀୟ ବିଶ୍ବକପ୍ ଦଳକୁ ‌ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜୟ ଶଙ୍କରଙ୍କ ଚୟନକୁ ବହୁ ପୂବର୍ତନ କ୍ରିକେଟର୍‌ ସ୍ବାଗତ କରିଛନ୍ତି। ହେଲେ ଋଷବ ପନ୍ତଙ୍କୁ ଦଳରେ ସ୍ଥାନ ନମିଳିବା ନେଇ ସୁନୀଲ ଗାଭାସ୍କରଙ୍କ ସମେତ କେତେକ ପୂର୍ବତନ କ୍ରିକେଟର ବିସ୍ମୟ ପ୍ରକଟ କରିଛନ୍ତି। ପନ୍ତ କିନ୍ତୁ କାହିଁକି ବିଶ୍ବକପ୍ ଟିକେଟ ପାଇଲେନି ତା’ର କାରଣ ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦ ଦର୍ଶାଇଛନ୍ତି।
ପନ୍ତଙ୍କୁ ନେଇ ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲୁ। ସମସ୍ତେ ଏକମତ ଥିଲୁ ଯେ ଧୋନି ଆହତ ହେଲେ ‌କାର୍ତିକ ଏବଂ ପନ୍ତଙ୍କ ଭିତରୁ ଜଣେ ଆସିବେ। ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ କିନ୍ତୁ ୱିକେଟରକ୍ଷଣର ଢେର ଗୁରୁତ୍ବ ରହିଥାଏ। ଏହି କାରଣରୁ ଆମେ ଦୀନେଶ କାର୍ତିକଙ୍କ ସପକ୍ଷରେ ନିଷ୍ପତ୍ତି ନେଲୁ। ପନ୍ତ ବିଶ୍ବକପ୍ ଟିକେଟର ଦ୍ବାର ଦେଶରେ ଥିଲେ, ହେଲେ ଦୁର୍ଭାଗ୍ୟଜନକ ଭାବେ ଏହାକୁ ହାସଲ କରି ପାରିଲେନି।
-ଏମଏସ୍‌କେ ପ୍ରସାଦ, ଭାରତୀୟ କ୍ରିକେଟ୍ ଦଳ ମୁଖ୍ୟ ଚୟନକର୍ତା
ପନ୍ତ୍‌ ବିଶ୍ବକପ୍ ସୁଯୋଗ ନପାଇବା ମୋତେ ଚକିତ କରିଛି। ଚମତ୍କାର ବ୍ୟାଟିଂ କରିବା ସହ ଗତ ଏକ ବର୍ଷ ମଧ୍ୟରେ ତାଙ୍କ ୱିକେଟରକ୍ଷଣ ଦକ୍ଷତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। କେବଳ ଆଇପିଏଲ୍ ନୁ‌ହେଁ ଅନ୍ୟ ପ୍ରତିଯୋଗିତାରେ ମଧ୍ୟ ସେ ଭଲ କରୁଛନ୍ତି। ପନ୍ତ ଥିଲେ ଭାରତକୁ ଶୀର୍ଷ ୬ରେ ଆଉ ଏକ ବାମହାତୀ ବିକଳ୍ପ ମିଳି ଥାଆନ୍ତା। ଇଂଲିସ୍ ପରିବେଶରେ ପ୍ରତିପକ୍ଷ ବୋଲରଙ୍କ ବିପକ୍ଷରେ ଏହା ବହୁତ ପ୍ରଭାବୀ ହୋଇଥାଆନ୍ତା।
-ସୁନୀଲ ଗାଭାସ୍କର, ପୂର୍ବତନ ଭାରତୀୟ ଅଧିନାୟକ
ଶଙ୍କର ବେଶ୍ ଭାଗ୍ୟଶାଳୀ। ବିଶ୍ବକପ୍ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ ମାଇଲଖୁଣ୍ଟ। ତ୍ରିମୁଖୀ ଗୁଣ ପାଇଁ ହିଁ ସେ ଦଳରେ ରହିଲେ। ଗତ ଏକବର୍ଷ ଭିତରେ ଅବଶ୍ୟ ଢେର ଉନ୍ନତି କରିଛନ୍ତି। କାର୍ତିକଙ୍କୁ ନେଇ କିନ୍ତୁ ମୁଁ ବିସ୍ମିତ।
-ସଞ୍ଜୟ ମଞ୍ଜରେକର, ପୂର୍ବତନ ଭାରତୀୟ କ୍ରିକେଟର
କାମ କରିବ କି ନାହିଁ ନଜାଣି, ଭାରତ ୪ ନମ୍ବର ପାଇଁ ଶଙ୍କରଙ୍କୁ ବାଛିଛି। ଧୋନି ଆହତ ହେଲେ ହିଁ ଡିକେଙ୍କୁ ସୁଯୋଗ ମିଳିବ। ଦଳରେ ଚତୁର୍ଥ ସିମର ମଧ୍ୟ ନାହାନ୍ତି। ମଜାଦାର ପସନ୍ଦ। ଆଶା କରୁଛି ଏହା କାମ କରିବ। ବିଶ୍ବକପ୍ ପାଇଁ ଶୁଭକାମନା।
-ଆକାଶ ଚୋପ୍ରା, ପୂର୍ବତନ ଭାରତୀୟ କ୍ରିକେଟର
ଦୀନେଶ କାର୍ତିକଙ୍କ ରୂପରେ ସେମାନେ ଅଭିଜ୍ଞତା ଏବଂ ଧୈର୍ଯ୍ୟକୁ ବାଛିଛନ୍ତି। ମଧ୍ୟକ୍ରମକୁ ଦେଖିବା ସବୁଠାରୁ ଅଧିକ ମଜାଦାର ହେବ। ରାହୁଲ କିମ୍ବା କାର୍ତିକ ୪ ନମ୍ବରରେ ଖେଳି ପାରିବେ। ୫/୬ରେ କେଦାର ଯାଦବ କିମ୍ବା ଧୋନି ରହିବେ। ଅନ୍ୟ ସ୍ଥାନଗୁଡ଼ିକରେ ବିଶେଷ ଅଦଳ ବଦଳର ସମ୍ଭାବନା କମ୍।
-ଆର ପି ସିଂହ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର
ବିଶ୍ବକପ୍ ଦଳରେ ପନ୍ତଙ୍କ ନା ନାହିଁ, ମୁଁ ଭାବୁଛି ଭାରତ ନିଶ୍ଚିତ ଭାବେ ବଙ୍କରରେ ରହୁଛି।
-ମାଇକେଲ୍ ଭନ୍, ପୂର୍ବତନ ଇଂଲଣ୍ଡ ଅଧିନାୟକ
୬ ମାସ ପୂର୍ବେ ଧଳା ବଲ୍ କ୍ରିକେଟ୍ ପାଇଁ କେହି ସାମିଙ୍କୁ ବିଚାରକୁ ନେଉ ନଥିଲେ। ହେଲେ କିଛି ‌ଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଖେଳିବାର ସୁଯୋଗ ଦେଲା। ସାମି ଓ ଜାଦେଜା ସଂଘର୍ଷ କରି ବିଶ୍ବକପ୍ ଟିକେଟ୍‌ ହାସଲ କରିଛନ୍ତି।
-ମହମ୍ମଦ କୈଫ, ପୂର୍ବତନ ଭାରତୀୟ କ୍ରିକେଟର

ସମ୍ବନ୍ଧିତ ଖବର