ପନ୍ତ୍‌ଙ୍କୁ ଇଂଲଣ୍ଡ ଡକରା

ଲଣ୍ଡନ୍: ଯୁବ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଋଷବ ପନ୍ତ୍‌ଙ୍କୁ ବୁଧବାର ଇଂଲଣ୍ଡରୁ ବିଶ୍ବକପ୍‌ ଡକରା ମିଳିଛି। ଆହତ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଶିଖର ଧାୱନଙ୍କ ଷ୍ଟାଣ୍ଡବାଇ ଖେଳାଳି ଭାବେ ତାଙ୍କୁ ଇଂଲଣ୍ଡ ପହଞ୍ଚିବାକୁ କୁହାଯାଇଛି। ବୁଧବାର ସୁଦ୍ଧା‌ ସେ ଇଂଲଣ୍ଡରେ ପହଞ୍ଚୁଥିଲେ ମଧ୍ୟ ଗୁରୁବାରର ନ୍ୟୁଜିଲାଣ୍ଡ୍ ବିପକ୍ଷ ମ୍ୟାଚ୍‌ରେ ଖେଳିବେ ନାହିଁ। ଧାୱନଙ୍କ ଉପଲବ୍‌ଧ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆନଯିବା ପର୍ଯ୍ୟନ୍ତ ପନ୍ତ୍‌ଙ୍କ ଖେଳିବା ନେଇ ଅନିଶ୍ଚିତତା ଜାରି ରହିବ। ଧାୱନଙ୍କୁ ଯଦି ଫିଟ୍ ହେବାକୁ ଅଧିକ ସମୟ ଲାଗିବା କଥା ଜଣାପଡ଼ିବ ତେବେ ପନ୍ତ୍‌ଙ୍କୁ ବିକଳ୍ପ ଖେଳାଳି ଭାବେ ଦଳରେ ନିଆଯିବ। ଏଥିରେ ଆଇସିସି ମୋହର ଲାଗିଗଲେ ଧାୱନ ଆଉ ଦଳକୁ ଫେରିପାରିବେ ନାହିଁ। ଅବଶ୍ୟ ଅନ୍ୟ ଜଣେ ଆହତ ହେଲେ ଧାୱନଙ୍କୁ ସୁଯୋଗ ମିଳିବାର ବିକଳ୍ପ ରହିବ। ଭାରତ ଗୁରୁବାର ନ୍ୟୁଜିଲାଣ୍ଡ୍ ସହିତ ଖେଳିବା ପରେ ରବିବାର (ଜୁନ୍‌ ୧୬) ପାକିସ୍ତାନ ସହ ଖେଳିବ। ଏହାର ୬ ଦିନ ପରେ ୨୨ ତାରିଖରେ ଆଫଗାନିସ୍ତାନ ସହିତ ଖେଳିବ। ଏହି ୧୧ ଦିନ ଭିତରେ ଧାୱନ ଫିଟ୍‌ ହୋଇଯାଇଥିଲେ ପନ୍ତ୍‌ଙ୍କୁ ବିକଳ୍ପ ଖେଳାଳି ଭାବେ ନିଆଯିବ ନାହିଁ। ଜୁନ୍‌ ୨୭ ତାରିଖରେ ଭାରତ ନିଜର ପରବର୍ତୀ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିବାକୁ ଥିବାରୁ ଧାୱନଙ୍କୁ ଆଉ ୫ ଦିନ ମଧ୍ୟ ମିଳିଯିବ। ପନ୍ତ୍‌ଙ୍କୁ କେବଳ ଧାୱନଙ୍କ ବିକଳ୍ପ ଭାବେ ରଖିବାକୁ ଡକାଯାଇଛି, ବଦଳ ଖେଳାଳି ନୁହେଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ୨୧ ବର୍ଷୀୟ ପନ୍ତ୍‌ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ୍ ଶତକ ମାରିବା ସହିତ ଗତ ମାସରେ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥି‌ଲେ। ଗତ ଏକ ବର୍ଷ ଭିତରେ ଭଲ ଖେଳୁଥିବାରୁ ପନ୍ତ୍‌ଙ୍କୁ ପ୍ରଥମରୁ ବିଶ୍ବକପ୍‌ ଦଳରେ ନ ନିଆଯାଇଥିବାରୁ ବହୁ ସମାଲୋଚନା ହୋଇଥିଲା।
ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ପ୍ୟାଟ୍ କମିନ୍ସଙ୍କ ରାଇଜିଂ ବଲ୍‌ ଧାୱନ୍‌ଙ୍କ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ଏଥି ପାଇଁ ଧାୱନ ଅଷ୍ଟ୍ରେଲିଆ ବ୍ୟାଟିଂ ବେ‌ଳେ ‌‌‌କ୍ଷେତ୍ରରକ୍ଷଣ କରିପାରିନଥିଲେ। ସମ୍ପୂର୍ଣ୍ଣ ୫୦ ଓଭର ପଡ଼ିଆ ବାହାରେ ବସିବାରୁ ରବୀନ୍ଦ୍ର ଜାଦେଜାଙ୍କୁ କ୍ଷେତ୍ରରକ୍ଷଣ କରିବାକୁ ପଡ଼ିଥିଲା। ମଙ୍ଗଳବାର ଲିଡ୍‌ସରେ ତାଙ୍କ ଫୁଲା ଆଙ୍ଗୁଠିର ସ୍କାନ୍ କରାଯିବା ପରେ ସାମାନ୍ୟ ଫାଟିଥିବା ସ୍ପଷ୍ଟ ହୋଇଥିଲା। ଯାହାକୁ ସମ୍ପୂର୍ଣ୍ଣ ଠିକ୍ ହେବାକୁ ଅନ୍ୟୁନ ୩ ସପ୍ତାହ ଲାଗିଯିବ ବୋଲି ପ୍ରାରମ୍ଭିକ ରିପୋର୍ଟରୁ କୁହାଯାଇଥିଲା। ଧାୱନ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୯ ବଲ୍‌ରୁ ୧୧୭ ରନ୍ କରିଥିଲେ। ଧାୱନଙ୍କ ଅନୁପସ୍ଥିତି ନିଶ୍ଚିତ ଭାରତକୁ ଏହାର ସଫଳତମ ପ୍ରାରମ୍ଭିକ ଯୋଡ଼ିଙ୍କ ବିନା ଖେଳିବାକୁ ବାଧ୍ୟ କରିବ। ଏବେ କିଛି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହିତ ଲୋକେଶ ରାହୁଲ ପାଳି ଆରମ୍ଭ କରିବା ନିଶ୍ଚିତ।
ଧାୱନ କହିଲେ ‘ବିଶ୍ବକପ୍‌ ଅଭିଯାନ ସରିନି’
ଅନ୍ୟୁନ ୩ଟି ପରବର୍ତୀ ବିଶ୍ବକପ୍‌ ମ୍ୟାଚ୍‌ରୁ ବଞ୍ଚିତ ହେବାକୁ ଯାଉଥିବା ଶିଖର ଧାୱନ ବୁଧବାର କହିଛନ୍ତି ‘ମୋ ବିଶ୍ବକପ୍‌ ଅଭିଯାନ ଏବେ ବି ଶେଷ ହୋଇନାହିଁ’। ଟ୍ବିଟର୍ ପୃଷ୍ଠାରେ ଏକ ପ୍ରେରଣାଦାୟୀ କବିତା ସହିତ ଧାୱନ ଏଭଳି ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ୩୩ ବର୍ଷୀୟ ଏହି ବାମହାତୀ ବ୍ୟାଟସମ୍ୟାନ୍‌ ଖ୍ୟାତନାମା ଉର୍ଦୁ କବି ରାହାତ ଇନ୍ଦୁରୀଙ୍କ ପଂକ୍ତି ଉଦ୍ଧାର କରି ଏହାକୁ ଟ୍ବିଟର୍ ପୃଷ୍ଠାରେ ପୋଷ୍ଟ୍ କରିଥିଲେ। ‘କଭି ମେହେକ କି ତରାହ ହମ୍‌ ଗୁଲୋଁ ସେ ଉଡ୍‌ତେ ହୈ..କଭି ଧୂ‌‌ୟେଁ କି ତରହା ହମ୍ ପର୍ବତୋଁ ସେ ଉଡ୍‌ତେ ‌ହୈ..ୟେ କୈଇଁଚିୟାଁ ହମେଁ ଉଡ୍‌ନେ ସେ ଖାକ୍ ରୋକେଙ୍ଗି..କେ ହମ୍‌ ପରୋଁ ସେ ନହିଁ ହସଲୋଁ ସେ ଉଡ୍‌ତେ ହୈ.. (ବେଳେ ବେଳେ ଆମେ ଫୁଲର ମହକ.. ବେଳେ ବେଳେ ପାହାଡରୁ ନିର୍ଗତ ଧୂଆଁ..ଆମେ ଢ଼େଣାରେ ନୁହେଁ ସାହସରେ ଉଡୁଥିବାରୁ କଇଁଚି କେମିତି ଏହାକୁ କାଟିବ)।

ସମ୍ବନ୍ଧିତ ଖବର