ମହେନ୍ଦ୍ର ସିଂହ ଧୋନି ଯେଊଁ ସଫଳତା ପାଇଛନ୍ତି, ତାହାକୁ ହାସଲ କରିବା ପାଇଁ ପନ୍ତଙ୍କୁ ୧୫ ବର୍ଷ ଲାଗିବ : ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଯାହା ହାସଲ କରିଛନ୍ତି, ତାହାକୁ ପାଇବା ପାଇଁ ଯୁବ କ୍ରିକେଟର ଋଷଭ ପନ୍ତଙ୍କୁ ୧୫ ବର୍ଷ ଲାଗିବ। ଋଷଭ ପନ୍ତ ଟି-୨୦ ଓ ଦିନିକିଆ କ୍ରିକେଟରେ ଆଶାନୁରୂପକ ପ୍ରଦର୍ଶନ କରିପାରୁ ନାହାନ୍ତି। ଏହା ସତ୍ତ୍ୱେ ବି ଅଧିନାୟକ ବିରାଟ କୋହଲି, ଉପ-ଅଧିନାୟକ ରୋହିତ ଶର୍ମା ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଯୁବ କ୍ରିକେଟର ପନ୍ତଙ୍କୁ ସମର୍ଥନ ଦେଉଛନ୍ତି। ଅନ୍ୟପକ୍ଷରେ ପନ୍ତ କ୍ରମାଗତ ଭାବେ ଆଲୋଚନା ଓ ସମାଲୋଚନାର ଶିକାର ହେଉଛନ୍ତି। ଋଷଭ ପନ୍ତ ପଡ଼ିଆରେ ଯେତେବେଳେ ଓ୍ଵିକେଟ ପଛରେ ଥାଆନ୍ତି, ଅନେକ ପ୍ରଶଂସକ ଧୋନି-ଧୋନି କହି ତାଙ୍କୁ ବିରକ୍ତ କରାଇଥାନ୍ତି।

ସୌରଭ ଗାଙ୍ଗୁଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି, ପନ୍ତଙ୍କ ପାଇଁ (ଆଲୋଚନା ଓ ଧୋନି-ଧୋନି ଶ୍ଲୋଗାନ ଦେବା) ଏହା ଭଲ। ତାଙ୍କୁ କିଛି ସମୟ ଯାଏଁ ଚାପରେ ରହିବାକୁ ପଡ଼ିବ। ସେ ଚାପରେ ରହିଲେ ଭଲ ଖେଳିପାରିବେ।

ବିସିସିଆଇ ସଭାପତି କହିଛନ୍ତି, ମହେନ୍ଦ୍ର ସିଂହ ଧୋନି ବର୍ଷ ବର୍ଷ ଧରି ଭଲ ପ୍ରଦର୍ଶନ କରିଛନ୍ତି। ଏବେ ଧୋନିଙ୍କ କ୍ୟାରିୟର ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ଆମେ ଏବେ ବିରାଟ କୋହଲି ଓ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରୁଛୁ ଯେ, ଆଗକୁ କ’ଣ ହୋଇପାରିବ। ଆମେ ଉପଯୁକ୍ତ ସମୟରେ ଧୋନିଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବୁ।

ସୌରଭ ଗାଙ୍ଗୁଲି କହିଛନ୍ତି, ମହେନ୍ଦ୍ର ସିଂହ ଧୋନି ଆପଣଙ୍କ ପାଇଁ ସବୁବେଳେ ଖେଳିବେ ନାହିଁ। ସେ ଦେଶ ପାଇଁ ଅନେକଗୁଡ଼ିଏ ଅଭିଜ୍ଞତା ହାସଲ କରିଛନ୍ତି। ସେ ଯାହା ହାସଲ କରିଛନ୍ତି, ତାହା ପାଇବା ପାଇଁ ପନ୍ତଙ୍କୁ ଅତି କମରେ ୧୫ ବର୍ଷ ସମୟ ଲାଗିବ। ଏହା ପୂର୍ବରୁ ଗୁରୁବାର ବିରାଟ କୋହଲି କହିଛନ୍ତି, ପନ୍ତଙ୍କୁ ଏକାକୀ ଛାଡ଼ି ଦେବାର ଅଛି। ତାଙ୍କୁ ସଂପୂର୍ଣ୍ଣ ରୂପେ ସ୍ୱାଧୀନତା ଦେବାର ଅଛି। ସେ ଜଣେ ମ୍ୟାଚ୍‌ ବିଜେତା ବୋଲି ବିରାଟ କହିଛନ୍ତି।

ସମ୍ବନ୍ଧିତ ଖବର