ରନ୍‌ କରିପାରୁନଥିବାରୁ ହତାଶ ଥିଲି: ପନ୍ତ

ଗୟନା : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦୁଇ ଟ୍ବେଣ୍ଟି-୨୦ରେ ବିଫଳ ହୋଇଥିବା ଭାରତୀୟ ଯୁବ ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଋଷବ ପନ୍ତ ତୃତୀୟ ମ୍ୟାଚ୍‌ରେ (୬୫ ରନ୍‌, ୪୨ ବଲ୍‌) ଧୁଆଁଧାର ଅର୍ଧଶତକ ହାସଲ କରିଥିଲେ। ଏହି ପାଳି ଯୋଗୁ ଭାରତ ୩-୦ରେ ଶୃଙ୍ଖଳା ପୋଛି ନେଇଥିଲା। ପ୍ରଥମ ଦୁଇ ମ୍ୟାଚ୍‌ରେ ରନ୍‌ କରିପାରିନଥିବାରୁ ମୁଁ ହତାଶ ହୋଇଯାଇଥିଲି, ହେ‌ଲେ ମୋର ପରିଶ୍ରମ ଜାରି ରହିଥିଲା। ଯାହା ଫଳରେ ମୁଁ ଆଜି ସଫଳ ହେଲି ବୋଲି ଶେଷ ‌ଟ୍ବେଣ୍ଟି-୨୦ ପରେ କହିଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌। କୋହଲିଙ୍କ ସହ ୧୦୬ ରନ୍‌ର ଭାଗୀଦାରି ଉପରେ ‌୨୧ ବର୍ଷୀୟ ପନ୍ତ କୁହନ୍ତି, ବ୍ୟାଟିଂ ବେଳେ ମୁଁ ଏବଂ ବିରାଟ ଭାଇ ଚିନ୍ତାକଲୁ ବଡ଼ ଭାଗୀଦାରି କରିବୁ ଏବଂ ମ୍ୟାଚ୍‌ ଆଗକୁ ବଢ଼ାଇବୁ। ଶେଷ ୭-୮ ଓଭରରେ ଆକ୍ରମଣତ୍ମକ ‌ଖେଳିବୁ ବୋଲି ଭାବିଥିଲୁ। ବହୁଥର ମୁଁ ହତାଶାଭାବ ଅନୁଭବ କରିଛି, ଯେତେବେଳେ ଦଳ ପାଇଁ କିଛି କରି ନପାରେ। ଏହା ପରେ ମୁଁ ଅଲଗା ଚିନ୍ତା‌ କରେ ଏବଂ ଭଲ ପ୍ରଦର୍ଶନ ଦେବାକୁ ଚେଷ୍ଟା କରେ। ବେଳେବେଳେ ମୁଁ ଚାପରେ ରହେ‌ ଏବଂ ବେଳେବେଳେ ଉପଭୋଗ କରେ। ଯାହାହେଲେ ବି ପୁରା ଦଳ, ବରି‌ଷ୍ଠ ଖେଳାଳିମାନେ ମୋ ଉପରେ ବିଶ୍ବାସ ରଖିଥାନ୍ତି ଏବଂ ଭଲ କରିବା ଲାଗି ମୋର ଆତ୍ମବିଶ୍ବାସ ବଢ଼ାଇଥାନ୍ତି। ସେମାନଙ୍କ ସହଯୋଗ ହିଁ ମନୋବଳ ଯୋଗାଇଥାଏ ବୋଲି ପନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର