ଧୋନିଙ୍କ କୀର୍ତ୍ତିମାନ ଭାଙ୍ଗିଲେ ପନ୍ତ

ୱିକେଟ୍‌ରକ୍ଷକ ଭାବେ ଗୋଟିଏ ଟ୍ବେଣ୍ଟି-୨୦ ପାଳିରେ ସର୍ବାଧିକ ବ୍ୟକ୍ତିଗତ ରନ୍

ଗାୟନା : ଭାରତୀୟ ଦଳର ଯୁବ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତ ମଙ୍ଗଳବାର ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଅବସରରେ ଏକ ଭାରତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ପନ୍ତ ଏହି ମ୍ୟାଚ୍‌ରେ ୪୨ ବଲ୍‌ରୁ ଅପରାଜିତ ୬୫ ରନ୍‌ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଏଥି ସହିତ କୌଣସି ଭାରତୀୟ ୱିକେଟ୍‌ରକ୍ଷକ ଭାବେ ସେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରି ମହେନ୍ଦ୍ର ସିଂହ ଧୋନିଙ୍କ କୀର୍ତ୍ତିମାନକୁ ଟପି ଯାଇଛନ୍ତି। ପୂର୍ବରୁ ୨୦୧୭ରେ ଇଂଲଣ୍ଡ ବିପକ୍ଷ ବେଙ୍ଗାଲୁରୁ ମ୍ୟାଚ୍‌ରେ ୫୬ ରନ୍‌ ଧୋନିଙ୍କ କୀର୍ତ୍ତିମାନ ଭାବେ ଅତୁଟ ରହିଥିଲା। ଏବେ ଭାରତୀୟ ୱିକେଟ୍‌ରକ୍ଷକ ଭାବେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍‌ କରିବାରେ ପନ୍ତ ଶୀର୍ଷରେ ରହିଥିଲା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଧୋନିଙ୍କ ୫୨ ରନ୍‌ ତୃତୀୟ ସର୍ବାଧିକ ରହିଛି। ପନ୍ତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ‌ବେଳେ ଦ୍ବିତୀୟ ମ୍ୟାଚ୍‌ରେ ୪ ରନ୍‌ କରିଥିଲେ। ହେଲେ ତୃତୀୟ ମ୍ୟାଚ୍‌‌ରେ ଅପରାଜିତ ଅର୍ଧଶତକ ସାଙ୍ଗକୁ ଅଧିନାୟକ ବିରାଟ କୋହଲିଙ୍କ ସହ ୧୦୬ ରନ୍‌ ଯୋଡ଼ି ଭାରତକୁ ୩-୦ର ଶୃଙ୍ଖଳା ବିଜୟ ଦେଇଥିଲେ। ଭାରତ ମଧ୍ୟ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ଦ୍ବିତୀୟ ଥର ୩-୦ର ଶୃଙ୍ଖଳା ବିଜୟ ହାସଲ କରିଥିଲା।

ରୋହିତଙ୍କ ସମକକ୍ଷ କୋହଲି
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ୫୯ ରନ୍‌ କରିଥିଲେ। ଏହା ଥିଲା ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ତାଙ୍କର ୨୧ତମ ଅର୍ଧଶତକ। ଏହି ପାଳି ମଧ୍ୟ ଭାରତକୁ ମ୍ୟାଚ୍‌ ଜିତିବାରେ ପ୍ରମୁଖ ଭୂମିକା ନେଇଥିଲା। ଏଥି ସହିତ କୋହଲି ‌ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ଥର ୫୦ରୁ ଅଧିକ ସ୍କୋର୍‌ କରିବାର କୀର୍ତ୍ତିମାନ ସମକକ୍ଷ ହୋଇଛନ୍ତି। ଏହି କୀର୍ତ୍ତିମାନ ପୂର୍ବରୁ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମାଙ୍କ ନାମରେ ଥିଲା। ରୋହିତ ୯୬ ମ୍ୟାଚ୍‌ରେ ୨୧ ଥର ୫୦ରୁ ଅଧିକ ସ୍କୋର୍‌ କରିଥିଲା ବେଳେ ଏବେ କୋହଲି ତା’ର ସମକକ୍ଷ ହୋଇଛନ୍ତି। ହେଲେ କୋହଲି ୭୦ ମ୍ୟାଚ୍‌ରୁ ୨୧ତମ ଅର୍ଧଶତକ ହାସଲ କରି ଶୀର୍ଷକୁ ଉଠି ଯାଇଛନ୍ତି। ସଂଯୋଗବଶତଃ ରୋହିତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ମ୍ୟାଚ୍‌ ଖେଳିନଥିଲେ। ସର୍ବାଧିକ ଅର୍ଧଶତକ ହାସଲ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମାର୍ଟିନ୍‌ ଗପ୍ଟିଲ। ସେ ୧୬ ଥର ୫୦ରୁ ଅଧିକ ସ୍କୋର୍‌ କରିଛନ୍ତି। ତେବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ରୋହିତ ୪ ଶତକ ମାରିଥିଲା ବେଳେ କୋହଲିଙ୍କ ନାମରେ ଗୋଟିଏ ବି ଶତକ ନାହିଁ।

ସମ୍ବନ୍ଧିତ ଖବର