‘ପନ୍ତ ହିଁ ଧୋନିଙ୍କ ଶ୍ରେଷ୍ଠ ବିକଳ୍ପ’

ନୂଆଦିଲ୍ଲୀ: ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ପରେ ଯୁବ ତାରକା ଋଷବ ପନ୍ତ ହିଁ ତାଙ୍କର ଶ୍ରେଷ୍ଠ ବିକଳ୍ପ ହେବେ ବୋଲି ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ କହିଛନ୍ତି। ପନ୍ତ୍‌ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ନିଜକୁ ପ୍ରମାଣିତ କରିସାରିଛନ୍ତି। ଏଥିଲାଗି ମୁଁ ଭାବୁଛି ସେ ହିଁ ଧୋନିଙ୍କ ବିକଳ୍ପ ହୋଇପାରିବେ ବୋଲି ଏକ ସାକ୍ଷାତକାରରେ ସେହବାଗ କହିଛନ୍ତି। ୨୦୧୪‌‌ରେ ଧୋନି ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲା ବେଳେ ତାଙ୍କର ସ୍ଥାୟୀ ବିକଳ୍ପ ‌ସନ୍ଧାନରେ ଚୟନ ସମିତି ରହିଛି। ରିଦ୍ଧିମାନ ସାହାଙ୍କୁ ଏହି ଫର୍ମାଟ୍‌ରେ ସ୍ଥାୟୀ କରିବା ଲାଗି ବହୁ ସୁଯୋଗ ମିଳି ସାରିଛି। ହେଲେ ଆହତ ସମସ୍ୟା ହିଁ ତାଙ୍କ ବାଟ ଓଗାଳୁଛି। ତାଙ୍କ ବଦଳରେ ଦୀନେଶ କାର୍ତିକ ଓ ପାର୍ଥିବ ପଟେଲଙ୍କୁ ଚୟନ ସମିତି ସୁଯୋଗ ଦେଇଥିଲେ ମଧ୍ୟ ଏମାନେ ବିଫଳ ରହିଛନ୍ତି। କିନ୍ତୁ ପନ୍ତ ପାଇଥିବା ସ୍ବଳ୍ପ ସୁଯୋଗରେ ନିଜର ଚମତ୍କାରିତା ଦେଖାଇ ସାରିଛନ୍ତି। ସେ ୨୦୧୮ରେ ଟ୍ରେଣ୍ଟ୍‌ବ୍ରିଜ୍‌ଠାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍‌ ପଦାର୍ପଣ କରିଥିଲେ। ଏହା ମଧ୍ୟରେ ୯ ଟେଷ୍ଟ୍‌ (୧୫ ପାଳି) ଖେଳି ଦୁଇଟି ଲେଖାଏଁ ଶତକ ଓ ଅର୍ଧଶତକ ସହ ୪୯.୭୧ ହାରରେ ୬୯୬ ରନ୍‌ କରିସାରିଲେଣି। ଏଥି‌ସହ ୱିକେଟ୍‌ ପଛରେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ରହିଛି। ପନ୍ତ୍‌ଙ୍କୁ ଅଧିକ ସୁଯୋଗ ମିଳିବା ଦରକାର। ଏହାଦ୍ବାରା ସେ ନିଜ ସଟ୍‌ ଚୟନକୁ ଠିକ୍‌ କରିପାରିବେ। ଫଳରେ ଅଧିକ ଦିନ ଭାରତୀୟ ଦଳକୁ ସେବା ଦେଇପାରିବେ। ମୋର ବିଶ୍ବାସ ଆଗାମୀ ୩-୪ ବର୍ଷ ମଧ୍ୟରେ ପନ୍ତ ସୀମିତ ଓଭର‌ କ୍ରିକେଟ୍‌ରେ ପାଳି ଆରମ୍ଭ କରିପାରିବେ ବୋଲି ସେହବାଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର