ଏବେ ରୋହିତଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ ଉଠାଇଲେ ବିଦେଶୀ ଖେଳାଳି, ଋଷଭଙ୍କ ସପକ୍ଷରେ ମତ ରଖିଲେ

ନୂଆଦିଲ୍ଲୀ:  ଟି-୨୦ ବିଶ୍ୱକପରେ ସେମିଫାଇନାଲ ରେସରୁ ଭାରତ ବାଦ୍ ପଡିବା ପରେ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି । ଟିମରେ ବଡ ଧରଣର ପରିବର୍ତ୍ତନ କରାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ରୋହିତ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । କାରଣ ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ଛାଡିଛନ୍ତି କୋହଲି । ଏପରିକି କୋହଲିଙ୍କ ଦିନିକିଆ ଅଧିନାୟକତ୍ୱକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଲାଣି । ଏ ନେଇ ବିସିସିଆଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି । କାରଣ ଆଗକୁ ୨୦୨୩ ବିଶ୍ୱକପ ରହିଛି ।

ଏସବୁ ଭିତରେ ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବାକୁ ନେଇ ବଡ ବୟାନ ରଖିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରେମ ସ୍ୱାନ । ଇଂଲଣ୍ଡର ଏହି ପୂର୍ବତନ ସ୍ପିନର କହିଛନ୍ତି, ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବା ଉଚିତ ନ ଥିଲା । ବୟସକୁ ଦୃଷ୍ଟିରେ ରଖି ରୋହିତଙ୍କ ବଦଳରେ ରିଷଭ ପନ୍ତଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରିବା କଥା । ରୋହିତ ଜଣେ ଭଲ ଖେଳାଳି, କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆର ଅଧିନାୟକ ରହିପାରିବେ ନାହିଁ । ଅନ୍ୟପଟେ ରିଷଭ ପନ୍ତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳର ମଙ୍ଗ ସମ୍ଭାଳି ପାରିବେ । ଆଇପିଏଲରେ ମଧ୍ୟ ରିଷଭ ପନ୍ତ ଅଧିନାୟକ ଭାବେ ଦମଦାର ପ୍ରଦର୍ଶନ କରିଛନ୍ତି । ଅଧିନାୟକ ଭାବେ ନିଜ ଖେଳରେ ଅନେକ ସୁଧାର ଆଣିଛନ୍ତି ରିଷଭ । ଉଭୟ ଧୋନୀ ଓ କୋହଲିଙ୍କ ଗୁଣ ରିଷଭଙ୍କ ଠାରେ ଭରି  ରହିଛି । ବିରାଟଙ୍କ ଭଳି ରିଷଭ ପଡିଆ ମଝିରେ ଜୋଶର ସହ ଖେଳିଥାନ୍ତି । ସେହିଭଳି ୱିକେଟ ପଛରେ ବୋଲରଙ୍କୁ ଉତ୍ସାହିତ କରିବାର ସୁଯୋଗ ଛାଡନ୍ତି ନାହିଁ ରିଷଭ ।

ଚଳିତ ଆଇପିଏଲରେ ଶ୍ରେୟସ ଆୟର ଆହତ ହେବା ପରେ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ମିଳିଥିଲା । ଆଉ ଅଧିନାୟକ ହେବା ପରେ ଦିଲ୍ଲୀକୁ ପ୍ଲେ-ଅଫରେ ପହଞ୍ଚାଇଥିଲେ ରିଷଭ ପନ୍ତ । ତେବେ ଦଳ ଚାମ୍ପିୟନ ହୋଇ ନ ଥିଲେ ମଧ୍ୟ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ରହିଥିଲା । ଏହାଛଡା ରିଷଭ ପନ୍ତ ୩ଟି ଫର୍ମାଟରେ ଖେଳି ଆସୁଥିବାରୁ ଅଧିନାୟକ ପଦ ପାଇଁ ସବୁଠୁ ଯୋଗ୍ୟ ଥିଲେ । ଏହାଛଡା ୱିକେଟ ପଛରେ ପନ୍ତଙ୍କ ଠାରେ ଧୋନୀଙ୍କ ଝଲକ ଦେଖିବାକୁ ମିଳିଥାଏ । ୨୦୦୭ରେ ଯେତେବେଳେ ଧୋନୀଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ସେତେବେଳେ ଏହା ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦୁଇଟି ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିବାରେ ସକ୍ଷମ ହୋଇଥିଲା । ତେଣୁ ପନ୍ତଙ୍କୁ ମଧ୍ୟ ଟିମ୍ ଇଣ୍ଡିଆ ଧୋନୀଙ୍କ ବିକଳ୍ପ ଭାବେ ବାଛୁ ବୋଲି କ୍ରିକେଟପ୍ରେମୀ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର