ନୂଆଦିଲ୍ଲୀ: ସଂକ୍ରମଣ ହେବାର ଆଶଙ୍କା ଏଡ଼ାଇବା ଲାଗି ଭାରତୀୟ ୱିକେଟ୍‌କିପର୍‌ ତଥା ବ୍ୟାଟସ୍‌ମ୍ୟାନ୍‌ ଋଷଭ ପନ୍ତଙ୍କୁ ଡେରାଡୁନ୍‌ ଡାକ୍ତରଖାନାର ‘ଆଇସିୟୁ’ରୁ ‘ପ୍ରାଇଭେଟ୍‌ ୱାର୍ଡ’କୁ ସ୍ଥାନାନ୍ତର କରାଯାଇଛି।

Advertisment

ଡିସେମ୍ବର ୩୦ ତାରିଖ ଦିନ କାର୍‌ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ୨୫ ବର୍ଷିୟ ଋଷଭ ଚଞ୍ଚଳ ସୁସ୍ଥ ହେଉଛନ୍ତି ବୋଲି ‘ଡେଲି ଆଣ୍ଡ୍‌ ଡିଷ୍ଟ୍ରିକ୍ଟ୍‌ କ୍ରିକେଟ୍‌ ଆସୋସିଏସନ୍‌’ର (ଡିଡିସିଏ) ନିର୍ଦେଶକ ଶ୍ୟାମ ଶର୍ମା ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି, ସଂକ୍ରମଣ ହେବାର ଆଶଙ୍କା ଥିବା ଦୃଷ୍ଟିରୁ ଋଷଭ ପନ୍ତଙ୍କୁ ଗତ ସନ୍ଧ୍ୟାରେ ଡାକ୍ତରଖାନାର ‘ପ୍ରାଇଭେଟ୍‌ ରୁମ୍‌’କୁ ସ୍ଥାନାନ୍ତର କରାଯାଇଛି। ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (ବିସିସିଆଇ) ପନ୍ତ୍‌ଙ୍କର ସ୍ନାୟୁତନ୍ତ୍ରୀ (ଲିଗାମେଣ୍ଟ୍‌) ଚିକିତ୍ସା ପାଇଁ ବ୍ୟବସ୍ଥା କରିବ।

publive-image Image Courtesy of India Posts English

ବିବୃତି ଦେଇ ‘ବିସିସିଆଇ’ କହିଛି ଯେ, ପନ୍ତ୍‌ଙ୍କ କପାଳରେ ଦୁଇଟି କ୍ଷତ ହୋଇଛି। ତାଙ୍କ ଡାହଣ ଆଣ୍ଠୁରେ ସ୍ନାୟୁତନ୍ତ୍ରୀ ଛିଡ଼ିଯାଇଛି। ତାଙ୍କ ଡାହଣ ମଣିବନ୍ଧ, ବଳାଗଣ୍ଠି, ପାଦ ବୁଢ଼ା ଆଙ୍ଗୁଠି ଓ ପିଠିରେ ମଧ୍ୟ ଆଘାତ ଲାଗିଛି। କିନ୍ତୁ, ଏଥିପାଇଁ ତାଙ୍କୁ ବିଦେଶ ନେବାକୁ ପଡ଼ିବ କି, ନାହିଁ ସ୍ଥିର କରାଯିବ। ସେହି ଅନୁସାରେ ତାଙ୍କର ପ୍ଲାଷ୍ଟିକ୍‌ ସର୍ଜରି ବ୍ୟବସ୍ଥା ନିମନ୍ତେ ବି ନିଷ୍ପତ୍ତି ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ପନ୍ତଙ୍କୁ ଦେଖିବା ପାଇଁ ଶନିବାର ଦିନ ଶ୍ୟାମ ଶର୍ମା ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ପନ୍ତ୍‌ଙ୍କୁ ଦେଖାକରି ଫେରିବା ବ‌େଳେ ସେ କହିଥିଲେ, ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ସେ ସୁସ୍ଥ ହେଉଛନ୍ତି। ‘ବିସିସିଆଇ’ର ଡାକ୍ତରମାନେ ବି ଏଠାକାର ଡାକ୍ତରମାନଙ୍କ ସହିତ ଯୋଗାଯୋଗ ରଖିଛନ୍ତି। ଜୟ ଶାହା ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅନୁଧ୍ୟାନ କରୁଛନ୍ତି।