ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ରବିବାର ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଷ୍ଟାର ଖେଳାଳି ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ରୁ ବିଦା ହୋଇଯାଇଛନ୍ତି। ଏଣିକି ଆଗାମୀ ଆଇପିଏଲ୍ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ ନେଇଛି। ଏଥି ସହିତ ଋଷଭ ପନ୍ତ ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି।
୨୭ବର୍ଷୀୟ ଋଷଭ ପନ୍ତ ୧.୯୦ କୋଟି ଟଙ୍କାରେ ଜଣେ ଯୁବା ଖେଳାଳି ଭାବେ ୨୦୧୬ରେ ସେ ଦିଲ୍ଲୀ ଟିମରେ ପ୍ରବେଶ କରିଥିଲେ। ପନ୍ତଙ୍କ ପାଇଁ ଆଇପିଏଲ ଆକସନ ସମୟରେ ଦିଲ୍ଲୀ ରାଇଟ ଟୁ ମ୍ୟାଚର କାର୍ଡ ବ୍ୟବହାର କରାଯାଇଥିଲା। କିନ୍ତୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବୋଲି ବଢ଼ାଇ ୨୭କୋଟି ଟଙ୍କା କରି ଦେଇଥିଲା।
ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଆଗାମୀ ଆଇପିଏଲ୍ ଖେଳିବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଜଡ଼ିତ ଖଟାମିଠା ଅନୁଭବର ଯାତ୍ରାକୁ ନେଇ ଋଷଭ ଏକ ଭିଡିଓ ସେୟାର କରିଛନ୍ତି।
ପନ୍ତ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଯାତ୍ରା ଅଦ୍ଭୁତ ରହିଥିଲା। ମୁଁ ଏହି ଦଳରେ ଜଣେ ଟିନଏଜର ଭାବେ ପ୍ରବେଶ କରିଥିଲି। ଦୀର୍ଘ ୯ବର୍ଷ ହେବ ଆମେ ଏକାଠି ଆଗକୁ ବଢ଼ି ଚାଲିଥିଲୁ। ମୋର ଏହି ଯାତ୍ରାକୁ ସଫଳ କରିବାର ଶ୍ରେୟ ମୁଁ ମୋର ଫ୍ୟାନ୍ସମାନଙ୍କୁ ଦେବାକୁ ଚାହିଁବି।
ମୋେତେ ଉତ୍ସାହିତ କରିଛନ୍ତି, ସ୍ନେହ କରିବା ସହିତ ମୋ ଜୀବନର ସବୁଠାରୁ କଠିନ ସମୟରେ ମୋ ସହିତ ଛିଡ଼ା ହୋଇଥିଲେ। ମୁଁ ଯେତେ ଆଗକୁ ବଢ଼ିଲେ ବି ଫ୍ୟାନ୍ସମାନଙ୍କ ଭଲପାଇବା ଓ ସ୍ନେହକୁ ଛାତିରେ ଜାବୁଡ଼ି ଧରି ଆଗକୁ ବଢ଼ିବି। ଯେତେବେଳେ ବି ମୁଁ ପଡ଼ିଆକୁ ଓହ୍ଲାଇବି ଆପଣମାନଙ୍କ ମନୋରଞ୍ଜନ କରିବା ପାଇଁ ସର୍ବଦା ଚେଷ୍ଟା କରିବି।’
ଦିଲ୍ଲୀ କ୍ୟାପିଟାଲ୍ସର ସହମାଲିକ ପାର୍ଥ ଜିନ୍ଦଲ ମଙ୍ଗଳବାର ଋଷଭ ପନ୍ତ ଟିମରୁ ଅଲଗା ହେବା ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିବା ସହିତ ଭବିଷ୍ୟତରେ ପୁଣି ଏକାଠି ଆସିବେ ତାହାକୁ ନେଇ ଆଶା ରଖିଛନ୍ତି।