ନୂଆଦିଲ୍ଲୀ: ଉନ୍ନତ ଚିକିତ୍ସା ନିମନ୍ତେ ଆଜି ଋଷଭ ପନ୍ତଙ୍କୁ ଡେରାଡୁନ୍‌ରୁ ମୁମ୍ବାଇକୁ ସ୍ଥାନାନ୍ତରଣ କରାଯିବ ବୋଲି ‘ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟ୍‌ କ୍ରିକେଟ୍‌ ଆସୋସିଏସନ୍‌’ର (ଡିଡିସିଏ) ନିର୍ଦେଶକ ଶ୍ୟାମ ଶର୍ମା କହିଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।

Advertisment

ଡିସେମ୍ବର ୩୦ ତାରିଖ ପ୍ରତ୍ୟୁଷରେ ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ନିଜେ କାର୍‌ ଚଳାଇ ରୁଡ୍‌କୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପନ୍ତ ଡେରାଡୁନ୍‌ସ୍ଥିତ ‘ମ୍ୟାକ୍ସ୍‌ ହସ୍ପିଟାଲ୍‌’ରେ ଚିକିତ୍ସାଧୀନ ଅଛନ୍ତି।

ଗଣମାଧ୍ୟମକୁ ଶର୍ମା କହିଛନ୍ତି, ମୁଁ ତାଙ୍କ ମାଆଙ୍କ ସହିତ ଯୋଗାଯୋଗ ରଖିଛି। ଛିଡ଼ି ଯାଇଥିବା ତାଙ୍କ ସ୍ନାୟୁତନ୍ତ୍ରୀର ଉନ୍ନତ ଚିକିତ୍ସା ନିମନ୍ତେ ଆମେ ପନ୍ତ୍‌ଙ୍କୁ ମୁମ୍ବାଇ ସ୍ଥାନାନ୍ତର କରିବୁ।

publive-image Image Courtesy of ANI

ଗତ ସପ୍ତାହରେ ଜାରି କରିଥିବା ବିବୃତିରେ ‘ବିସିସିଆଇ’ ମଧ୍ୟ କହିଥିଲା ଯେ, ପନ୍ତ୍‌ଙ୍କ କପାଳରେ ୨ଟି କ୍ଷତ ହୋଇଛି। ତାଙ୍କ ଡାହାଣ ଆଣ୍ଠୁରେ ସ୍ନାୟୁତନ୍ତ୍ରୀ କ୍ଷତାକ୍ତ ହୋଇଛି। ଏହାଛଡ଼ା, ତାଙ୍କର ଡାହଣ ହାତ ମଣିବନ୍ଧ, ଗୋଡ଼ ବଳାଗଣ୍ଠି ଓ ବୁଢ଼ା ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଛି। ତାଙ୍କ ପିଠି ମଧ୍ୟ ରାମ୍ପି ହୋଇ କ୍ଷତାକ୍ତ ହୋଇଛି।

ଏକାକୀ କାର୍‌ ଚଳାଇ ଯାଉଥିବା ବେଳେ ପନ୍ତ ଢୁଳାଇ ପଡ଼ିବାରୁ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା କୁହାଯାଉଛି। ସେହି ସମୟରେ ବିପରୀତ ଦିଗରୁ ହରିୟାଣା ରୋଡ୍‌ୱେଜ୍‌ର ବସ୍‌ ନେଇ ଆସୁଥିବା ଜଣେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ ପନ୍ତ୍‌ଙ୍କୁ ଦୁର୍ଘଟଣା ପରେ ନିଆଁ ଲାଗିଯାଇଥିବା କାର୍‌ରୁ ବାହାରକୁ ଆସିବାରେ ସହାୟତା କରିଥିଲେ। ସେଥିପାଇଁ, ଦୁହିଁଙ୍କୁ ହରିୟାଣା ରୋଡ୍‌ୱେଜ୍‌ ସମ୍ମାନୀତ କରିଛି।

publive-image Image Courtesy of Daily Pioneer

ଶର୍ମା କହିଛନ୍ତି, ‘ବିସିସିଆଇ’ ମଧ୍ୟ ପନ୍ତଙ୍କ ଚିକିତ୍ସା ଉପରେ ଧ୍ୟାନ ନିବେଶ କରି ମେଡିକାଲ୍‌ ଟିମ୍‌ ସହିତ ଯୋଗସୂତ୍ର ରଖିଛି। ସ୍ନାୟୁତନ୍ତ୍ରୀ ଆଘାତ ପାଇଥିବାରୁ ଭଲ ହେବା ପାଇଁ ସମୟ ଲାଗିବ। ସେଥିପାଇଁ ତାଙ୍କୁ ଯଥାସମ୍ଭବ ସର୍ବୋତ୍ତମ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯିବ।