ଇଂଲଣ୍ଡ ବିରୋଧରେ ଋଷଭ ପନ୍ଥକୁ ପ୍ରଥମ ଥର ଟେଷ୍ଟରେ ସୁଯୋଗ, ପ୍ରଥମ ୩ଟିରେ ଖେଳିବେନି ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଯୁବ ଓ୍ଵିକେଟ୍‌କିପର ଓ ବ୍ୟାଟସ୍‌ମ୍ୟାନ ଋଷଭ ପନ୍ଥଙ୍କୁ ପ୍ରଥମ ଥର ଟେଷ୍ଟ ଟିମ୍‌ରେ ସ୍ଥାନ ମିଳିଛି। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ଟେଷ୍ଟ ମ୍ୟାଚ ଶୃଙ୍ଖଳାର ପ୍ରଥମ ୩ଟି ଟେଷ୍ଟ ପାଇଁ ବୁଧବାର ଭାରତୀୟ ଟିମ ଘୋଷଣା ହୋଇଛି, ଯେଉଁଥିରେ ପନ୍ଥଙ୍କ ନାମ ସାମିଲ ରହିଛି। ଦ୍ରୁତ ବୋଲର ମହମ୍ମଦ ସାମି ଟିମ୍‌କୁ ଫେରିଛନ୍ତି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ବୁଧବାର ଟିମ୍‌ ଘୋଷଣା କରିଛି।

ଇଂଲଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ବାହାରେ ଥିବା ଯଶପ୍ରୀତ ବୁମରାଙ୍କୁ ଟିମ୍‌ରେ ସ୍ଥାନ ମିଳିଛି କିନ୍ତୁ ସେ ଆଘାତ ଯୋଗୁଁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ। ଟେଷ୍ଟ ଟିମର ନିୟମିତ ଓ୍ଵିକେଟକିପର-ବ୍ୟାଟସ୍‌ମ୍ୟାନ ଋଦ୍ଧିମାନ ସାହ ସଂପୂର୍ଣ୍ଣ ରୂପେ ଆଘାତରୁ ଭଲ ହୋଇ ନାହାନ୍ତି। ସାହ ଆଘାତ ହେବା ପରେ ଆଫଗାନିସ୍ଥାନ ବିପକ୍ଷରେ ଟେଷ୍ଟରେ ଦିନେଶ କାର୍ତ୍ତିକ ୮ ବର୍ଷ ପରେ ଫେରିଥିଲେ।

ଅନ୍ତିମ ତଥା ୩ୟ ଦିନିକିଆରେ ଭୁବନେଶ୍ୱର କୁମାରଙ୍କୁ ଆଘାତ ଲାଗିଛି। ଏଥି ପାଇଁ ତାଙ୍କୁ ଟିମରେ ଚୟନ କରାଯାଇ ନାହିଁ। ଫିଟନେସ ଟେଷ୍ଟ ଆଧାରରେ ତାଙ୍କୁ ଚୟନ କରାଯିବ। ବିସିସିଆଇ ବରିଷ୍ଠ ଚୟନ ସମିତି କରୁଣ ନାୟରଙ୍କୁ ଟିମ୍‌ରେ ସ୍ଥାନ ଦେଇଛି। ରେହିତ ଶର୍ମା ଖେଳିବେନି।

ଭାରତ ବନାମ ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା- କାର୍ଯ୍ୟକ୍ରମ

ପ୍ରଥମ ଟେଷ୍ଟ: ଅଗଷ୍ଟ ୧ରୁ ୫, ବର୍ମିହାମ
ଦ୍ୱିତୀୟ ଟେଷ୍ଟ: ଅଗଷ୍ଟ ୯ରୁ ୧୩, ଲଡସ୍‌
ତୃତୀୟ ଟେଷ୍ଟ: ଅଗଷ୍ଟ ୧୮ରୁ ୨୨, ନଟିଂହାମ୍‌
ଚତୁର୍ଥ ଟେଷ୍ଟ: ଅଗଷ୍ଟ ୩୦ରୁ ସେପଟେମ୍ବର ୩, ସାଉଥ୍‌ମଟନ୍‌
ପଞ୍ଚମ ଟେଷ୍ଟ: ସେପଟେମ୍ବର ୭ରୁ ୧୧, ଦ ଓଭାଲ

ବିସିସିଆଇ ଏକ ବୟାନ ଜାରି କରି କହିଛି, ଅଖିଳ ଭାରତୀୟ ସିନିୟର ଚୟନ ସମିତି ଲିଡସରେ ବୈଠକ କରି ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ୫ରୁ ୩ ମ୍ୟାଚ ପାଇଁ ଭାରତୀୟ ଟିମ ଚୟନ କରିଛି। ବୟାନରେ ଭୁବନେଶ୍ୱର କୁମାରଙ୍କ ସଂପର୍କରେ କୁହାଯାଇଛି ଯେ, ସେ ୩ୟ ଦିନିକିଆରେ ଆଘାତ ପାଇଛନ୍ତି। ବିସିସିଆଇର ମେଡିକାଲ ଟିମ ଯାଞ୍ଚ କରିବ। ଏହା ପରେ ଟିମରେ ତାଙ୍କୁ ସାମିଲ କରାଯିବା ନେଇ ନିଷ୍ପତ୍ତି ନିଆଯିବ। ସେହିଭଳି ବୁମରା ଓ ପନ୍ଥଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର