ଋଷଭ ପନ୍ତ୍‌ଙ୍କୁ ୧୨ ଲକ୍ଷ ଜରିମାନା

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍‌ସ ଅଧିନାୟକ ଋଷଭ ପନ୍ତଙ୍କ ପାଇଁ ବେଳା ଭଲ ଚାଲୁ ନାହିଁ। ଗତ ଦୁଇ ଋତୁରେ ଚମତ୍କାର ଖେଳିଥିବା ଏହି ଦଳ ଏଥର ପ୍ରଥମ ୩ ମ୍ୟାଚ୍‌ରୁ ୨ଟି ହାରିଯାଇଛି। ବ୍ୟକ୍ତିଗତ ଭାବେ ପନ୍ତ୍‌ଙ୍କ ବ୍ୟାଟ୍‌ ମଧ୍ୟ ଭଲ ଚାଲୁନାହିଁ। ବେଡ଼ି ଉପ‌ରେ କୋରଡ଼ା ମାଡ଼ ଭଳି ଗୁରୁବାର ରାତିରେ ପନ୍ତ୍‌ଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଗୁରୁବାର ରାତିରେ ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ମନ୍ଥର ବୋଲିଂ କରିଥିବାରୁ ଅଧିନାୟକ ପନ୍ତ୍‌ଙ୍କ ଉପରେ ଏଭଳି ଦଣ୍ଡ ଲାଗୁ କରାଯାଇଛି। ଦିଲ୍ଲୀ ପ୍ରଥମ ଥର ଏଭଳି ଦଣ୍ଡର ଶିକାର ହୋଇଥିବାରୁ ସର୍ବନିମ୍ନ ୧୨ ଲକ୍ଷ ଟଙ୍କା ଲାଗୁ କରାଯାଇଥିବା ବିସିସିଆଇ ପକ୍ଷରୁ ଏକ‌ ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏହି ମ୍ୟାଚ୍‌ରେ କ୍ବିଣ୍ଟନ୍ ଡି’କକ୍‌ଙ୍କ ଆକର୍ଷଣୀୟ ୮୦ ଏବଂ ଆୟୂଷ ବ‌ଦୋନୀଙ୍କ ୩ ବଲ୍‌ ୧୦ ରନ୍‌ ବଳରେ ଲକ୍ଷ୍ନୌ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା। ମ୍ୟାଚ୍ ପରେ ପନ୍ତ କହିଥିଲେ, ‘‘ଆମେ ବ୍ୟାଟିଂ ବେଳେ ୧୦-୧୫ ରନ୍‌ କମ୍ କରିଥିଲୁ, ତଥାପି ଶେଷ ଓଭର ପର୍ଯ୍ୟନ୍ତ ଲଢ଼ିଥିଲୁ’’।

ସମ୍ବନ୍ଧିତ ଖବର