ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍। କୋଟି କୋଟି କ୍ରିକେଟ୍-ପାଗଳ ଭାରତୀୟଙ୍କ କିଛି ମାସର ହୃତ୍ସ୍ପନ୍ଦନ। ଏହି ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ର ଶ୍ରେଷ୍ଠ ୪ଟି ଦଳରେ ତୃତୀୟ ବା ଚତୁର୍ଥ ସ୍ଥାନରେ ଥାଇ ମଧ୍ୟ କ୍ରମାଗତ ତିନିଟି ମ୍ୟାଚ୍ ଖେଳି ଚାମ୍ପିଆନ୍ ହେବାର ଦୁର୍ବାର କ୍ରୀଡ଼ା ପ୍ରଦର୍ଶନ ବିଷୟରେ ମନେପକାଇଦେଲେ ହୁଏତ ଆପଣ ଚମକି ପଡ଼ିବେ! କାରଣ ଏଭଳି ଅନନ୍ୟ ସଫଳତା କେବଳ ଦୁଇଟି ଦଳ ହିଁ କରିଛନ୍ତି।
ବିଶ୍ବର ସବୁଠାରୁ ଧନୀ ତଥା ଲୋକ୍ରପିୟ କ୍ରିକେଟ୍ ଲିଗ୍ ଆଇପିଏଲ୍ ପ୍ରଥମ ଥର ପାଇଁ ୨୦୦୮ ମସିହାରେ ଖେଳାଯାଇଥିଲା। ପ୍ରଥମ ତିନିବର୍ଷ ଏହି ୮ ଦଳୀୟ ପ୍ରତିଯୋଗିତା ଲିଗ୍ ପର୍ଯ୍ୟାୟ ଡବଲ୍ ରାଉଣ୍ଡ ରବିନ ପଦ୍ଧତ୍ତିରେ ଖେଳାଯିବା ପରେ ଶୀର୍ଷ ୪ ସ୍ଥାନରେ ରହୁଥିବା ଦଳକୁ ନେଇ ସେମିଫାଇନାଲ୍ ଏବଂ ଫାଇନାଲ୍ ଖେଳାଯାଉଥିଲା। ଚତୁର୍ଥ ଋତୁ ଅର୍ଥାତ୍ ୨୦୧୧ରୁ କିନ୍ତୁ ଆଇପିଏଲ୍ ଫର୍ମାଟରେ କିଛିଟା ଅଦଳ ବଦଳ କରାଯାଇଥିଲା। ଡବଲ୍ ରାଉଣ୍ଡ ରବିନ ଲିଗ୍ ପଦ୍ଧତି ବଳବତ୍ତର ରହିଥିଲା। ହେଲେ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ପର୍ଯ୍ୟାୟ ଆରମ୍ଭ କରାଯାଇଥିଲା। ଅର୍ଥାତ୍ ପଏଣ୍ଟ ତାଲିକାର ଶୀର୍ଷ ୪ ଦଳ ସେମିଫାଇନାଲ୍ ପରିବର୍ତ୍ତେ ପ୍ଲେ ଅଫକୁ ଗଲେ। ସେଠାରେ ଶୀର୍ଷ ଦୁଇ ଦଳ ପ୍ରଥମ କ୍ବାଲିଫାୟର ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନ ଦଳ ଏଲିମିନେଟର ଖେଳିଲେ। କ୍ବାଲିଫାୟର-୧ର ବିଜେତା ସିଧାସଳଖ ଫାଇନାଲକୁ ଯାଉଥିଲା। ପରାଜିତ ଦଳକୁ ଫାଇନାଲ ଯିବା ଲାଗି ଆଉ ଏକ ସୁଯୋଗ ମିଳୁଥିଲା। ଅର୍ଥାତ୍ ଏଲିମିନେଟର ମ୍ୟାଚ୍ର ବିଜେତା ଦଳ ଏବଂ କ୍ବାଲିଫାୟର-୧ର ପରାଜିତ ଦଳକୁ ନେଇ ଖେଳାଯାଉଥିବା ଦ୍ବିତୀୟ କ୍ବାଲିଫାୟରରୁ ଦ୍ବିତୀୟ ଫାଇନାଲିଷ୍ଟ ବଛାଯାଉଥିଲା। ଏଲିମିନେଟର ହାରୁଥିବା ଦଳ ସେହିଠାରୁ ବିଦାୟ ନେଉଥିଲା। ଏହି ଧାରା ଆଜି ବି ଜାରି ରହିଛି।
/sambad/media/post_attachments/wp-content/uploads/2021/10/sfh45sf6h4sf4hsf646f4sh65sfhsfhsfhsfhsfhf.jpg)
ଆଇପିଏଲ୍ ଇତିହାସର ଅଧିକାଂଶ ବିଜେତା ହେଉଛନ୍ତି କ୍ବାଲିଫାୟର ଖେଳିଥିବା ଦଳ। ହେଲେ ଏମିତି ବି କିଛି ଦଳ ଅଛନ୍ତି ଯିଏ ଏଲିମିନେଟର ଖେଳି ବା ପଏଣ୍ଟ ତାଲିକାର ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହି ବିଜେତା ହେବାର ଅନନ୍ୟ କୀର୍ତ୍ତିମାନ ଲାଭ କରିଛନ୍ତି। ସେମିତି ତିନିଟି ଦଳ ହେଲେ ଡେକାନ୍ ଚାର୍ଜର୍ସ (ପ୍ଲେ ଅଫ୍ ପୂର୍ବରୁ), ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗ୍ସ। ଚେନ୍ନାଇ ଏକମାତ୍ର ଦଳ ଭାବେ ଏଭଳି ସଫଳତା ଦୁଇ ଥର ଲାଭ କରିଛି। ଡେକାନ୍ ଚାର୍ଜର୍ସ ଭାଙ୍ଗିବା ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଅବଶ୍ୟ ଏଭଳି ସଫଳତା ପାଇଥିଲା। ଏବେ କୋଲକାତା ନାଇଟ୍ ରାଡର୍ସ ପାଖରେ ସେହି ଅନନ୍ୟ ସୁଯୋଗ ଉପନୀତ ହୋଇଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ଏହି ଦଳ ଚଳିତବର୍ଷ ଦ୍ବିତୀୟ କ୍ବାଲିଫାୟର ଲାଗି ଯୋଗ୍ୟତା ଅର୍ଜନ କରିଛି। ଆସନ୍ତା ଦୁଇ ମ୍ୟାଚ୍ରେ ଅର୍ଥାତ୍ ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏବଂ ଫାଇନାଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିପାରିଲେ ଏହି ଏଲିଟ୍ କ୍ଲବ୍ରେ କୋଲକାତା ଯୋଗଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ipl-BCCI.jpg)