ସାଥୀ ଅଭାବରୁ ‘ବାଇ’ ଚୟନ ପ୍ରକ୍ରିୟାରୁ ଓହରିଲେ ଋତାପର୍ଣ୍ଣା: ଆଗକୁ ମହିଳା ଯୁଗଳରେ ଭଉଣୀ ଶ୍ବେତପର୍ଣ୍ଣାଙ୍କୁ ନୂଆ ସାଥୀ କରିବେ

କଟକ: ଓଡ଼ିଶାର ଏକମାତ୍ର ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତାପର୍ଣ୍ଣା ପଣ୍ତା ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଭାରତୀୟ ବ୍ୟାଡମିଣ୍ଟନ ସ˚ଘ (ବାଇ)ର ଚୟନ ପ୍ରକ୍ରିୟାରୁ ଓହରିଯାଇଛନ୍ତି। ମହିଳା ଯୁଗଳରେ ବାରମ୍ବାର ତାଙ୍କର ସାଥୀ ଖେଳାଳି ପରିବର୍ତ୍ତନ କରାଯାଉଥିବାରୁ ଋତାପର୍ଣ୍ଣା ଚିନ୍ତାରେ ଥିଲେ। ଏଥର ଚୟନ ପ୍ରକ୍ରିୟାରେ ତାଙ୍କୁ ଯେଉଁ ସାଥି ଦିଆଯାଇଥା’ନ୍ତା, ତାଙ୍କ ସହିତ ବର୍ଷେ ପର୍ଯ୍ୟନ୍ତ ଏକାଠି ହୋଇ ଖେଳିପାରିବେ ବୋଲି ସର୍ତ୍ତ ରଖାଯାଇଥିଲା। ହେଲେ ଏଥିରେ ଋତାପର୍ଣ୍ଣା ସହମତି ନଦେଇ ଏକ ସ୍ଥାୟୀ ସାଥୀଙ୍କୁ ସାଙ୍ଗରେ ନେଇ ଖେଳିବାକୁ ଆଗ୍ରହ ରଖିଛନ୍ତି। ତେଣୁ ସାନ ଭଉଣୀ ଶ୍ବେତପର୍ଣ୍ଣାଙ୍କୁ ନିଜର ସ୍ଥାୟୀ ସାଥୀ କରି ଆଗକୁ ସମସ୍ତ ପ୍ରତିଯୋଗିତାରେ ଖେଳିବାକୁ ଲକ୍ଷ୍ୟ ରଖିଥିବାରୁ ଋତାପର୍ଣ୍ଣା ଏହି ଚୟନ ପ୍ରକ୍ରିୟାରୁ ଓହରିଯିବାକୁ ବାଧ୍ୟ ହୋଇଛନ୍ତି।

ପୂର୍ବ ମାନ୍ୟତାକୁ ଆଧାରକରି ଚୟନ ପ୍ରକ୍ରିୟାକୁ ଖେଳାଳିଙ୍କୁ ମନୋନୀତ କରାଯାଇଥିଲା। ସେଥିମଧ୍ୟରେ ଋତାପର୍ଣ୍ଣା ସ୍ଥାନ ପାଇଥିଲେ। କିନ୍ତୁ ଶ୍ବେତପର୍ଣ୍ଣା କନିଷ୍ଠ ସ୍ତରରେ ଖେଳୁଥିବାରୁ ତାଙ୍କର ଆବଶ୍ୟକତା ମାନ୍ୟତା ନଥିଲା। ତେଣୁ ଆଗକୁ ଆନ୍ତର୍ଜାତିକସ୍ତରରେ ହେବାକୁଥିବା ଓପନ୍‌ ରୢାଙ୍କିଙ୍ଗ୍‌ ପ୍ରତିଯୋଗିତାରେ ଦୁଇ ଭଉଣୀ ଅ˚ଶଗ୍ରହଣ କରି ସେମାନଙ୍କ ମାନ୍ୟତାରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ପୂର୍ବରୁ ଏହି ଦୁଇ ଭଣଣୀ ୧୯ ବର୍ଷରୁ କମ୍‌ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରି ବିଜେତା ହୋଇଥିଲେ। ଏହାବ୍ୟତୀତ ରାଜ୍ୟ ବିଜେତା ମଧ୍ୟ ଥିଲେ। କିନ୍ତୁ ୨୦୧୬ରେ ଋତାପର୍ଣ୍ଣା ଗୋପୀଚାନ୍ଦ ଏକାଡେମୀରେ ଯୋଗଦେବା ପରଠୁ ଏହି ଯୋଡ଼ି ଭାଙ୍ଗିଥିଲା ଓ ସେ ନୂଆ ସାଥୀଙ୍କୁ ନେଇ ମହିଳା ଯୁଗଳରେ ଖେଳିଥିଲେ। ଏବେ ସେ ଗୋପୀଚାନ୍ଦ ଏକାଡେମୀ ଛାଡ଼ି ପ୍ରକାଶ ପାଦୁକୋନଙ୍କ ଏକାଡେମୀରେ ଯୋଗଦେଇଛନ୍ତି। ଏଠାରେ ଦୁଇ ଭଉଣୀ ଏକାଠି ଅଭ୍ୟାସ କରିବା ସହ ଦୁଇଟି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଖେଳିସାରିଲେଣି। ନିକଟରେ ପୋଲାଣ୍ତରେ ହୋଇଥିବା ପୋଲିସ୍‌ ଓପନ୍‌ ଓ ଫ୍ରାନ୍ସରେ ହୋଇଥିବା ୟେର୍ଲିନ୍ସ ମାଷ୍ଟର୍ସରେ ଉଭୟ ଖେଳିଥିଲେ। ତେବେ ପ୍ରଥମ ରାଉଣ୍ତରୁ ହିଁ ସେମାନଙ୍କୁ ବିଦାୟ ନେବାକୁ ପଡ଼ିଥିଲା। ଆଗକୁ ଅଭ୍ୟାସ ଜୋରଦାର କରି ଆନ୍ତର୍ଜାତିକସ୍ତରରେ ନୂଆ ଉଦାହରଣ ସୃଷ୍ଟି କରିବାକୁ ଦୁଇ ଭଉଣୀ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର