କଟକରେ ଅଟକିଛନ୍ତି ରିତୁ; ପଢ଼ୁଛନ୍ତି ଓ ପଢ଼ାଉଛନ୍ତି

ଭୁବନେଶ୍ବର: କ୍ରିକେଟ୍‌ ପଡିଆରୁ ଓଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚର୍ଚାରେ ଥିବା ମହିଳା କ୍ରିକେଟର୍‌ ରିତୁ ସିଂହଙ୍କୁ ବି କରୋନା ମହାମାରୀ ଗୃହାବଦ୍ଧ କରିଛି। ଜାନୁଆରିରେ ଓଏଏସ୍‌ ପରୀକ୍ଷା ଫଳ ବାହାରିଥିଲେ ମଧ୍ୟ ଅଦ୍ୟାବଧି ତାଲିମ କିମ୍ବା କାର୍ଯ୍ୟରେ ଯୋଗଦେଇ ନଥିବାରୁ ରିତୁ ଭଉଣୀ ଘରେ ରହିଛନ୍ତି। ‘କରୋନା କାରଣରୁ ମୁଁ କଟକରେ ଦିଦି ଘରେ ଅଟକି ରହିଛି। ସକାଳେ କିଛି ବହି ପଢ଼ୁଛି, ଏହା ପରେ ଘର କାମ ଏବଂ ରୋଷେଇରେ ସହାୟତା କରୁଛି। କହିବାକୁ ଗଲେ ମୁଁ ରୋଷେଇ ଶିଖୁଛି, ଘର ସଫା କରୁଛି ଏବଂ ବାସନ ମାଜୁଛି’ ବୋଲି କହିଥିଲେ ରିତୁ। ପିଲାଙ୍କ ସହ ଖେଳୁଛି ଏବଂ ତାଙ୍କୁ ମଧ୍ୟ ପାଠ ପଢ଼ାଉଛି ବୋଲି ପ୍ରକାଶ କରିଥିଲେ ଜୟପୁରରୁ ସଂଘର୍ଷମୟ ଜୀବନ ଆରମ୍ଭ କରିଥିବା ରିତୁ। ବାସ୍ତବରେ ମୁଁ ଓଏଏସ୍‌ ପାଇଁ ଆବଶ୍ୟକ ମେଡିକାଲ୍‌ ଫିଟନେସ୍‌ ପାଇଁ କଟକ ଆସିଥିଲି। କିନ୍ତୁ ଲକ୍‌ଡାଉନ୍ କାରଣରୁ କଟକରେ ଅଟକିଯିବାରୁ କୋରାପୁଟ ଏସ୍‌ପିଙ୍କ ଅନୁମତି ନେଇ କଟକରେ ଅଟକିରହିଛି। ଏଠାରେ ଭିଣୋଇ ଦେବୀପ୍ରସାଦ ଶତପଥୀ, ଭଉଣୀ ରେଣୁ ସିଂହ, ତାଙ୍କ ଶାଶୁ ଉମାମଣୀ କର ଏବଂ ଦୁଇ ପିଲା ଅଗ୍ରୀୟ ଓ ଦିବ୍ୟାଙ୍କଙ୍କ ସହ ମୁଁ ଭଲ ସମୟ କାଟୁଛି ବୋଲି ପ୍ରକାଶ କରିଥିଲେ ରିତୁ।

ସୂଚନାଯୋଗ୍ୟ, ଓଡ଼ିଶା ପାଇଁ ଖେଳି ସବର୍ଭାରତୀୟ ସଫଳତା ଅର୍ଜନ ପରେ ରିତୁ ୨୦୧୫ରେ ଓଡ଼ିଶା‌ ପୁଲିସ୍‌ରେ କନଷ୍ଟେବଳ ଭାବେ ନିଯୁକ୍ତ ହୋଇଥିଲେ। ଏତିକିରେ ତାଙ୍କ ତୃଷ୍ଣା ମେଣ୍ଟିନଥିଲା। ଗତ ଜାନୁଆରିରେ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ।
ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ପରବେଦା ଶ୍ରୀରାମ କଲୋନିରେ ରହୁଥିବା ଗ୍ୟାରେଜ୍‌ ମିସ୍ତ୍ରୀ ରାଜାରାମ ସିଂହ ଏବଂ ରଞ୍ଜୁଦେବୀ ସିଂହଙ୍କ କନ୍ୟା ରିତୁ ମଡର୍ନ ଇଂଲିସ ସ୍କୁଲ୍‌ରେ ପଢ଼ିଥିଲେ। ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଶେଷ କରିଥିଲେ। ଜଣେ ଡାହାଣହାତୀ ସୁଇଙ୍ଗ ବୋଲର, ମଧ୍ୟକ୍ରମ ବ୍ୟାଟସଓମ୍ୟାନ୍‌ ଏବଂ ବିଚକ୍ଷଣ କ୍ଷେତ୍ରରକ୍ଷକ ଭାବେ ଓଡ଼ିଶା ଦଳରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ଅନ୍ତଃଜିଲ୍ଲାରେ ଶତକ ହାସଲ କରିବାର ମୁହୂର୍ତଠାରୁ ଆଗକୁ ବଢ଼ି ଓଡ଼ିଶା କନିଷ୍ଠ ଓ ବରିଷ୍ଠ ଦଳର ଜଣେ ପ୍ରତିଷ୍ଠିତ ପେସ୍‌ ବୋଲର ହୋଇଥିଲେ। ୨୦୦୭-୦୮ ଋତୁରେ ହାଇଦ୍ରାବାଦଠାରେ ଖେଳାଯାଇଥିବା ସର୍ବଭାରତୀୟ ନକ୍‌ ଆଉଟ୍ ପ୍ରତିଯୋଗିତାରେ ଖେଳିବା ପରଠାରୁ ଦୀର୍ଘ ଗୋଟିଏ ଦଶନ୍ଧି ଧରି ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ୨୦୧୧-୧୨ରେ ଓଡ଼ିଶା ୧୯ ବର୍ଷରୁ କମ୍‌ ଦଳର ଅଧିନାୟକତ୍ବ କରିବା ଏବଂ ୨୦୧୩ରେ କଟକରେ ପାକିସ୍ତାନ ବିପକ୍ଷରେ ଆଇସିସି ବିଶ୍ବକପ୍‌ ୱାର୍ମ ଅପ୍‌ ମ୍ୟାଚ୍‌ରେ ଓଡ଼ିଶାର ସ୍ମରଣୀୟ ବିଜୟରେ ସାମିଲ ରହିବାର ଅନେକ ଅଭୁଲା ମୁହୂର୍ତକୁ ସାଉଣ୍ଟିଛନ୍ତି ଏହି ଶାଣୀତ କ୍ରିକେଟର୍‌। କନିଷ୍ଠ ବର୍ଗରେ ଥାଇ ମଧ୍ୟ ଓଡ଼ିଶା ବରିଷ୍ଠ ଦଳରୁ ସୀମିତ ଓଭର କ୍ରିକେଟ୍ (ଦିନିକିଆ ଏବଂ ଟି-୨୦) ଖେଳିଥିଲେ। ୨୦୧୩-୧୪ ଏବଂ ୨୦୧୪-୧୫ ଋତୁରେ ଓଡ଼ିଶା ଦଳର ସର୍ବଭାରତୀୟ ସଫଳତା ଆଧାରରେ ରାଜ୍ୟ ସରକାରଙ୍କ ପୁଲିସ୍ ବିଭାଗରେ ରିତୁଙ୍କୁ ‌କନଷ୍ଟେବଳ ଚାକିରି ପ୍ରଦାନ କରିବା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ୨୦୧୭-୧୮ ଋତୁ ପର୍ଯ୍ୟନ୍ତ ରିତୁ ଓଡ଼ିଶା ଦଳରେ ଥିଲେ, କିନ୍ତୁ ନିଜ ପ୍ରଦର୍ଶନର ଅବନତିକୁ ନିଜେ ପରଖି‌ ନେବାରୁ ନିଜ ଗତିପଥ ବଦଳାଇ ଦେଇଥିଲେ। ନିଜ ଆଡୁ କ୍ରିକେଟ୍‌ଠୁ ଦୂରେଇ ପ୍ରଶାସନିକ ସେବାରେ ମନୋନିବେଶ କରିଥିଲେ। ଆର୍ଥିକ ସ୍ବଚ୍ଛଳତା ନ ଥିବାରୁ ସେ ଏଥିପାଇଁ କୌଣସି ପ୍ରଶିକ୍ଷଣ ମଧ୍ୟ ନେଇ ନଥିଲେ। ଘରେ ପଢ଼ିବା ଏବଂ ଇଣ୍ଟରନେଟ୍‌ର ସହାୟତା ବଳରେ ନିଜକୁ ପ୍ରସ୍ତୁତ କରି ସଫଳ ହୋଇଛି ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ ୨୭ ବର୍ଷୀୟା ରିତୁ ସିଂହ।

ସମ୍ବନ୍ଧିତ ଖବର