ଭୁବନେଶ୍ବର: ଓଡ଼ିଶା ଫୁଟ୍ବଲ୍ ଏକ ସଂଘର୍ଷମୟ ସମୟ ଦେଇ ଗତି କରୁଥିବା ବେଳେ ଏକ ବଡ଼ ଖବର ଏବେ ଖୁସିର କାରଣ ହୋଇଛି। ଭୁଟାନର ଥିମ୍ପୁରେ ଅନୁଷ୍ଠିତ ଦକ୍ଷିଣ ଏସୀୟ ଫୁଟ୍ବଲ୍ ମହାସଂଘ (ସାଫ୍) ୧୭ ବର୍ଷରୁ କମ୍ ବାଳିକା ପ୍ରତିଯୋଗିତାରେ ଉଭୟ ମ୍ୟାଚ୍ ଜିତି ଭାରତୀୟ ଯୁବା ଦଳ ଆସନ୍ତାବର୍ଷର ଏଏଫ୍ସି ଏସିଆନ୍ କପ୍ ଯୋଗ୍ୟତା ଅର୍ଜନ କରି ନୂଆ ଇତିହାସ ରଚିଛି। ପୂର୍ବରୁ ଭାରତୀୟ ଦଳ କେବେ ବି ଏହି ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ଗୌରବ ବଢ଼ାଇଥିବା ଏହି ଦଳରେ ଓଡ଼ିଶାରୁ ଏକମାତ୍ର ଝିଅ ରିତୁ ବଡ଼ାଇକ ଖେଳିଥିଲେ। ଭାରତୀୟ ଦଳ ଦାୟିତ୍ବ ଶେଷ କରି ଓଡ଼ିଶା ଫେରିବା ପରେ ରବିବାର ରିତୁଙ୍କୁ କଳିଙ୍ଗ ଷ୍ଟାଡିୟମ୍ରେ ଭୁବନେଶ୍ବର ସିଟି କ୍ଲବ୍ ପକ୍ଷରୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ରିତୁ ସାମ୍ବାଦିକଙ୍କ ସହ ଅନୌପଚାରିକ ଭାବେ କଥା ହେବାବେଳେ ନିଜ ଖୁସି ଓ ଭବିଷ୍ୟତ ସ୍ବପ୍ନର କଥା ପ୍ରକାଶ କରିଥିଲେ।
ଏସିଆନ୍ କପ୍ ଯୋଗ୍ୟତା ପରେ ବେଶ ଖୁସି ଅଛନ୍ତି ରିତୁ। ଜାତୀୟ ଉପ କନିଷ୍ଠ ବର୍ଗରେ ଭଲ ଖେଳିବା ପରେ ରିତୁଙ୍କ ଇଚ୍ଛା ଏବେ ଜାତୀୟ ସିନିୟର୍ ମହିଳା ଫୁଟ୍ବଲ୍ ପ୍ରତିଯୋଗିତା ଦେଇ ଭାରତୀୟ ମହିଳା ଦଳର ସଦସ୍ୟ ହେବା। ‘ନିଜ ଗୋଡ଼ରେ ଛିଡ଼ା ହୋଇ ମୁଁ ଅନ୍ତର୍ଜାତୀୟସ୍ତରରେ ଖେଳିବାକୁ ଆଶା ରଖିଛି’ ବୋଲି ପ୍ରକାଶ କରିଥିଲେ କୁଆରମୁଣ୍ଡାର ଏହି ଫୁଟ୍ବଲ୍ କଢ଼ି। ଭାରତୀୟ ବରିଷ୍ଠ ଦଳର ଓଡ଼ିଆ ଝିଅ ପ୍ୟାରୀ ଖା ଖାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ରିତୁ। ସଂଯୋଗବଶତଃ ରିତୁ ଓ ପ୍ୟାରୀ ରାଉରକେଲାର ସେହି ମହିଳା ଫୁଟ୍ବଲ୍ର ଏନ୍ତୁଡିଶାଳ ‘କୁଆରମୁଣ୍ଡା’ର ମୂଳ ଅଧିବାସୀ। ସେହିଠାରେ ପିତାଙ୍କ ଉତ୍ସାହ ଓ ପ୍ୟାରୀଙ୍କ ପ୍ରେରଣା ପାଇ ରିତୁ ଆଗକୁ ବଢ଼ିଛନ୍ତି। ବାପା ବିଜୟ ନିଜ ଜୀବନ ଫୁଟ୍ବଲ୍ ଓ କ୍ରିକେଟ୍ ଖେଳିଥିଲେ ଏବଂ ମା’ ଜ୍ୟୋତି ବି ଆଥଲେଟିକ୍ସରେ ସ୍କୁଲ୍ର ପ୍ରତିନିଧିତ୍ବ କରିଥିଲେ। ଦୁଇ ଭଉଣୀରେ ବଡ଼ ରିତୁଙ୍କୁ କୁଆରମୁଣ୍ଡର ଜଣାଶୁଣା ଫୁଟ୍ବଲ୍ ଗୁରୁ ଚିତ୍ତ ମହାକୁଡ଼ ମୌଳିକ ଶିକ୍ଷା ପ୍ରଦାନ କରିଥିଲେ। ପ୍ରତିଭା ଅନ୍ବେଷଣ ଜରିଆରେ ନୀତା ଅମ୍ବାନି ଫୁଟ୍ବଲ୍ ଏକାଡେମୀରେ ସାମିଲ ହେବା ପରେ ସେ ଜାତୀୟ ୧୪ ବର୍ଷରୁ କମ୍ ବର୍ଗରେ ଜାତୀୟ ପ୍ରତିଯୋଗିତା ଖେଳିବା ପରଠାରୁ ଆଗକୁ ବଢ଼ିଚାଲିଛନ୍ତି। ୨୦୨୩ ଓ ୨୦୨୪ରେ ସେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଉପକନିଷ୍ଠ ଦଳରେ ଖେଳିଥିଲେ। ୨୦୨୪ରେ ମଧ୍ୟପ୍ରଦେଶର ନିମୁଚରଠାରେ ଅନୁଷ୍ଠିତ ଜାତୀୟ ଉପକନିଷ୍ଠ ବାଳିକା ପ୍ରତିଯୋଗିତାରେ ରିତୁଙ୍କ ନେତୃତ୍ବରେ ଖେଳିଥିବା ଓଡ଼ିଶା ଦଳ ଉପବିଜେତା ହୋଇ ରୌପ୍ୟ ପଦକ ମଧ୍ୟ ଜିତିଥିଲା। ସେହିବର୍ଷ ନେପାଳର ଲଳିତପୁଠାରେ ଅନୁଷ୍ଠିତ ସାଫ୍ ୧୬ ବର୍ଷରୁ କମ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳରେ ମଧ୍ୟ ପ୍ରତିନିଧିତ୍ବ କରିଥିଲେ। ଲେଫ୍ଟ ଫୁଲ୍ ବ୍ୟାକ୍ (ଡିଫେଣ୍ଡର) ଭାବେ ଖେଳୁଥିବା ରିତା ଏବେ ବଡ଼ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ନୀତା ଫୁଟ୍ବଲ୍ ଏକାଡେମିରେ ରହି ନିଜ ଖେଳ ଜୀବନକୁ ଶାଣିତ କରୁଛନ୍ତି।
ଥିମ୍ପୁରେ ଶେଷ ହୋଇଥିବା ଏଏଫ୍ସି ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଦଳ ସମାନ ୨-୧ ବ୍ୟବଧାନରେ କିର୍ଗିଜସ୍ତାନ ଓ ଉଜବେକିସ୍ତାନକୁ ପରାସ୍ତ କରିଥିଲା। ଏହି ପ୍ରତିଯୋଗିତାର ଅନୁଭୂତି ସମ୍ପର୍କରେ ରିତୁ କହିଥିଲେ ‘ଆମ ପ୍ରତିଦ୍ବନ୍ଦ୍ବୀ ଭାରି ଲଢ଼ୁଥିଲେ। ଆମକୁ ବି କଡ଼ା ପରିଶ୍ରମ କରିବାକୁ ପଡୁଥିଲା। ମୁଁ ଉଭୟ ମ୍ୟାଚ୍ରେ ଯଥାକ୍ରମେ ୯୦ ଓ ୪୫ ମିନିଟ୍ ଖେଳି ଦଳର ବିଜୟରେ ଯୋଗଦାନ ରଖିଥିବାରୁ ଅଭିଜ୍ଞତା ପାଇଛି। ପ୍ରତି ମ୍ୟାଚ୍ ପୂର୍ବରୁ ଆମକୁ ପ୍ରଶିକ୍ଷକ ପ୍ରତିଦ୍ବନ୍ଦ୍ବୀ ଦଳର ଭିଡିଓ ଦେଖାଇ ଏହାକି ପ୍ରତିହତ କରିବାର କୌଶଳ ଶିଖାଉଥିଲେ। ବିଜୟ ପରେ ଆଶୀର୍ବାଦ କରିଛନ୍ତି ଏବଂ ଶିବିରରେ ସାମିଲ ହୋଇ ଏସିଆନ୍ କପ୍ ପାଇଁ ଏବେ ପ୍ରସ୍ତୁତ ହେବାକୁ କହିଛନ୍ତି’।
କଦର୍ଯ୍ୟ ପଡ଼ିଆରୁ ଅଧାଡଜନ୍ ଅନ୍ତର୍ଜାତୀୟ ଖେଳାଳି
ରିତୁଙ୍କ ସଫଳତାକୁ ନେଇ ତାଙ୍କ ପ୍ରଶିକ୍ଷକ ଚିତ୍ତ ମହାକୁଡ଼ ଅତ୍ୟନ୍ତ ଗର୍ବିତ। ତେବେ ଏସବୁର ଶ୍ରେୟ ସେ ତାଙ୍କ ପରିବାରକୁ ଦେଇଛନ୍ତି। ‘ରିତୁର ବାପାମା ନିଜ ଆଡ଼ୁ ଆଗ୍ରହ ଦେଖାଇ ତାକୁ କୁଆରମୁଣ୍ଡା ୟଙ୍ଗ୍ ଆସୋସିଏସନ୍କୁ ଆଣିଥିଲେ। ଏଠାରେ ତା’ ପ୍ରତିଭାକୁ ଗଢ଼ିତୋଳିବା ପରେ ମୁଁ ଜଣେ ବଂଧୁଙ୍କ ଜରିଆରେ ତାକୁ ନୀତା ଫୁଟ୍ବଲ୍ ଏକାଡେମୀକୁ ପଠାଇଥିଲି। ଏବେ ସେ କ୍ରମେ ଅନ୍ତର୍ଜାତୀୟ ଖେଳାଳି ହୋଇପାରିଛି ଏବଂ ସଫଳତା ପରେ ସଫଳତା ପାଉଛି। କିନ୍ତୁ ବଡ଼ ଦୁଃଖର କଥା ହେଉଛି ୟଙ୍ଗ୍ ଆସୋସିଏସନ୍ର ପଡ଼ିଆ ଅତି ଖରାପ ସ୍ଥିତିରେ ଥିଲେ ବି ଆମେ ଏପର୍ଯ୍ୟନ୍ତ ଅଧାଡଜନ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିପାରିଛୁ। ପଡ଼ିଆର ବିକାଶ ପାଇଁ ଆସୋସିଏସନ୍ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ତଥାପି ଆମେ ନିରଂତର ଅଭ୍ୟାସ ଜାରି ରଖିଛୁ’ ବୋଲି କହିଥିଲେ ଚିତ୍ତ ସାର୍। ଚିତ୍ତ ସାର୍ଙ୍କ ପ୍ରଶିକ୍ଷଣରେ ଏଠାରୁ ମନୀଷା ପାନ୍ନା, ଅମିତା ମୁଣ୍ଡା, ପ୍ୟାରୀ ଖାଖା, ଜୁଲି କିଷାନ, ଇଭା ପାନ୍ନାଙ୍କ ପରେ ରିତୁଙ୍କ ଆବିର୍ଭାବ ହୋଇଛି। ଏଭଳି ଅନେକ ପିଲା ବି ଅଛନ୍ତି ବୋଲି ଚିତ୍ତ ସାର୍ ପ୍ରକାଶ କରିଥିଲେ।