ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫିରେ ମହାରା‌ଷ୍ଟ୍ର ଅଧିନାୟକ ଋତୁରାଜ ଗାଏକ୍ବାଡ ୫ ମ୍ୟାଚ୍‌ରୁ ୪ ଶତକ ହାସଲ କରିଛନ୍ତି। ମଙ୍ଗଳବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ଏଲିଟ୍‌ ଗ୍ରୁ୍ପ୍‌ ଡି’ର ଚଣ୍ଡିଗଡ଼ ବିପକ୍ଷ ମ୍ୟାଚ୍‌ରେ ୨୪ ବର୍ଷ ବୟସ୍କ ଭାରତୀୟ କ୍ରିକେଟ୍‌ର ଚର୍ଚ୍ଚିତ ବ୍ୟାଟ୍‌ସମ୍ୟାନ୍‌ ଋତୁରାଜ ଶତକ ଜମାଇଥିଲେ। ୩୧୦ ରନ୍‌ର ପିଛା କରିଥିବା ମହାରାଷ୍ଟ୍ର ପକ୍ଷରୁ ସେ ୧୬୮ ରନ୍‌ର ପାଳି ଖେଳିଥିଲା ବେଳେ ଦଳ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା। ଫଳରେ ଋତୁରାଜଙ୍କ ପାଳି ଆଗରେ ମନନ ଭୋରାଙ୍କ ଷ୍ଟ୍ରୋକ୍‌ଭରା ୧୪୧ ରନ୍‌ର ପାଳି ମଳିନ ପଡ଼ିଯାଇଥିଲା।

Advertisment

ମହାରାଷ୍ଟ୍ର ମଧ୍ୟ ଚଳିତ ଋତୁରେ ଚତୁର୍ଥ ବିଜୟ ସହ ୧୬ ପଏଣ୍ଟ୍‌ ପାଇ ଗ୍ରୁପ୍‌ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଚଣ୍ଡିଗଡ଼ ବିପକ୍ଷ ଶତକୀୟ ପାଳି ପୂର୍ବରୁ ଋତୁରାଜ ମଧ୍ୟପ୍ରଦେଶ ବିପକ୍ଷରେ ୧୩୬, ଛତିଶଗଡ଼ ବିପକ୍ଷରେ ଅପରାଜିତ ୧୫୪ ଏବଂ କେରଳ ବିପକ୍ଷରେ ୧୨୪ ରନ୍‌ କରିଥିଲା ବେଳେ କେବଳ ଉତ୍ତରାଖଣ୍ଡ ବିପକ୍ଷରେ ୨୧ ରନ୍‌ କରିଥିଲେ। ଋତୁରାଜଙ୍କର ଏହାଥିଲା ଏକାଦଶ ଲିଷ୍ଟ୍‌-ଏ ଶତକ। ଚଳିତ ବିଜୟ ହଜାରେ ଟ୍ରଫି ଋତୁରେ ସେ ମଧ୍ୟ ୫ ମ୍ୟାଚ୍‌ରୁ ଚତୁର୍ଥ ଶତକ ସହାୟତାରେ ମୋଟ ୬୦୩ ରନ୍‌ କରିସାରିଲେଣି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ‌ଭେଙ୍କଟେଶ୍‌ ଆୟର ରହିଛନ୍ତି।

ତେବେ ୫ ମ୍ୟାଚ୍‌ରୁ ୪ ଶତକ ହାସଲ କରିବା ପରେ ଋତୁରାଜ ବିଜୟ ହଜାରେ ଟ୍ରଫି ଇତିହାସରେ ଗୋଟିଏ ସଂସ୍କରଣରେ ସର୍ବାଧିକ ସଂଖ୍ୟକ ଶତକ ହାସଲରେ ବିରାଟ କୋହଲି, ପୃଥ୍ବୀ ସ’ ଏବଂ ଦେବଦତ୍ତ ପଡ଼ିକଲଙ୍କ ସମ୍ମାନଜନକ ଏଲିଟ୍‌ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଛନ୍ତି। ଭାରତର ଏହି ପ୍ରମୁଖ ଘରୋଇ ୫୦ ଓଭରିଆ ପ୍ରତିଯୋଗିତାରେ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ କୋହଲି ୨୦୦୯-୧୦ ଋତୁରେ ଏହି ସଫଳତା ହାସଲ କରିଥିଲେ। କୋହଲିଙ୍କ ପରେ ୨୦୨୦-୨୧ ଋତୁରେ ଉଭୟ ସ’ ଓ ପଡ଼ିକଲ ମଧ୍ୟ ୪ ଲେଖାଏଁ ଶତକ ହାସଲ କରିଥିଲେ।