ଗୁଜରାଟରେ ମୁଷ୍ଟିଯୋଦ୍ଧା ଗଢ଼ୁଛନ୍ତି ଓଡ଼ିଆ ପ୍ରଶିକ୍ଷକ ‘ଖେଳ ଦେଇଛି ସ୍ବତନ୍ତ୍ର ପରିଚୟ’

ଓଡ଼ିଶାରେ ଏକାଡେମି ପ୍ରତିଷ୍ଠା ଲକ୍ଷ୍ୟ

ବ୍ରହ୍ମପୁର: ପିଲାଦିନୁ ପିତାଙ୍କ ସହ ସେ ସୁରତ ପଳାଇଥିଲେ। କବାଡ଼ି, କରାଟେ ପରେ ମୁଷ୍ଟିଯୋଦ୍ଧାରେ ନିଜ ପ୍ରତିଭା ଦେଖାଇଥିଲେ। ସଂଘର୍ଷମୟ ଜୀବନକୁ କିନ୍ତୁ କ୍ରୀଡ଼ା ବାଟ ଦେଖାଇଦେଲା। ସେଇ ଓଡ଼ିଆ ପୁଅ ପ୍ରତାପ କୁମାର ପାତ୍ର ଏବେ ଗୁଜୁରାଟ ସେବାରେ ନି‌‌‌‌ୟୋଜିତ। ନିଜ ଅଧୁରା ସ୍ବପ୍ନକୁ ସାକାର କରିବାକୁ ବି ରଖିଛନ୍ତି ଅଭିଳାଷ। ଗୁଜରାଟ କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକ ପ୍ରତାପ ଚନ୍ଦ୍ର ପାତ୍ର ବି ରାଜ୍ୟରେ ମୁଷ୍ଟିଯୁଦ୍ଧ ଏକାଡେମି ଖୋଲି ଅନ୍ତର୍ଜାତୀୟ ସଫଳତା ଦେବା ଯୋଜନାରେ ରହିଛନ୍ତି।

ଘର ଆସ୍କା ବ୍ଲକ୍‌ ଅନ୍ତର୍ଗତ ପାଣ୍ଡିଆପଦରରେ। ପିଲାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ରୋଜଗାର ପାଇଁ ତାଙ୍କ ବାପା ରାଧାଶ୍ୟାମ ପାତ୍ର ସୁରତ ଚାଲିଯାଇ ଏକ ଲୁମ୍‌ କାରଖାନାରେ କାମ କରୁଥିଲେ। ପ୍ରତାପ ତୃତୀୟ ଶ୍ରେଣୀ ପଢ଼ୁଥିବା ବେଳେ ବାପାଙ୍କ ସହ ସୁରତ ଚାଲିଯାଇଥିଲେ। ସେଠାରେ ପାଠପଢ଼ା କରି ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପାଠପଢ଼ା ସହ ବାପାଙ୍କ ସହ କାରଖାନାକୁ ଯାଇ ଶ୍ରମିକ ଭାବେ କାମ କରିଥିଲେ। ତେବେ ପିଲା ବେଳୁ ଖେଳ ପ୍ରତି ଥିବା ପ୍ରବଳ ଆଗ୍ରହ ତାଙ୍କ କ୍ୟାରିୟର ଗଠନରେ ସହାୟକ ହୋଇଥିଲା।ପଂଚମ ଶେଣୀରେ ପଢ଼ିଲା ବେଳେ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେଇ ସେ ସ୍ବର୍ଣ୍ଣପଦକ ଜିତିଥିଲେ। ତାଙ୍କ ପ୍ରତିଭାକୁ ଚିହ୍ନି କରାଟେ ପ୍ରଶିକ୍ଷକ ରାମ୍‌ଜୀ ମକ୍‌ୱାନା ନିଜ ପାଖରେ ରଖି କରାଟେ ତାଲିମ୍ ଦେଇଥିଲେ। ଏଇଠୁ ତାଙ୍କ ଜୀବନର ମୋଡ଼ ବଦଳିଥିଲା। ଦଶମ ଶ୍ରେଣୀ ପଢ଼ିବା ବେଳକୁ ସେ କରାଟେରେ ବ୍ଲାକ୍‌ବେଲ୍ଟ ହାସଲ କରି ନେଇଥିଲେ। ୨୦୦୬ରେ ମୁମ୍ବାଇରେ ଅନୁଷ୍ଠିତ ଜାତୀୟ କରାଟେରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୦୭ରେ ଅନ୍ତଃଦେଶୀୟ କରାଟେରେ ରୌପ୍ୟପଦକ ହାସଲ କରିଥିଲେ। ଅନ୍ୟପକ୍ଷେ ୨୦୦୫ରେ ସୁରତ ମୁ‌ଷ୍ଟିଯୁଦ୍ଧ ସଂଘ ପକ୍ଷରୁ ଏକ ଖବରକାଗଜରେ ବିଜ୍ଞାପନ ବାହାରିଥିଲା। ଏହାକୁ ଦେଖି ସେ ଯୋଗାଯୋଗ କରିଥିଲେ। ‌ସେଠାରେ ମାତ୍ର ୧୦ଦିନ ଅଭ୍ୟାସ କରି ରାଜକୋଟରେ କନିଷ୍ଠ ମୁ‌ଷ୍ଟିଯୁଦ୍ଧ ପ୍ରତିଯୋଗିତାରେରୌପ୍ୟ ପଦକ ହାସଲ କରିଥିଲେ। ଯାହାକି ମୁ‌ଷ୍ଟିଯୁଦ୍ଧ ପ୍ରଶିକ୍ଷକ ଜୟନ୍ତ ଶୁକ୍ଳାଙ୍କୁ ପ୍ରଭାବିତ କରିଥିଲା। ସେ ତାଙ୍କୁ ମାଗଣା ମୁ‌ଷ୍ଟିଯୁଦ୍ଧ ତାଲିମ୍‌ ଦେଇଥିଲେ। ୨୦୦୮ରେ ସେ ଗୁଜୁରାଟ ବରିଷ୍ଠ ମୁ‌ଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ରୌପ୍ୟ ପଦକ, ୨୦୧୦ରେ ସ୍ବର୍ଣ୍ଣ ପଦକ, ୨୦୦୯ରେ ଜାତୀୟ ପଶ୍ଚିମାଂଚଳ‌ ମୁ‌ଷ୍ଟିଯୁଦ୍ଧରେ ଗୁଜରାଟ ପାଇଁ ପ୍ରତିନିଧିତ୍ବ କରି କାଂସ୍ୟ ପଦକ ହାସଲ କରିଥିଲେ। ୨୦୧୫ରେ ଗୁଜରାଟରେ ଆୟୋଜିତ ଜାତୀୟ ଓପନ୍‌ ମୁ‌ଷ୍ଟିଯୁଦ୍ଧରେ ୪୯ କେଜି ବର୍ଗରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ତେବେ ସେ ନିଜର ଶ୍ରେ‌ଷ୍ଠ ପ୍ରଦର୍ଶନ କରୁଥିବା ବେଳେ ଜାତୀୟ ମୁ‌ଷ୍ଟିଯୁଦ୍ଧ ସଂଘରେ ଫାଟ ସୃଷ୍ଟି ହେଲା। ଫଳରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ପ୍ରତିନିଧିତ୍ବ କରିବାର ସ୍ବପ୍ନ ତାଙ୍କର ଅଧୁରା ରହିଗଲା ବୋଲି ପ୍ରତାପ ପ୍ରକାଶ କରିଛନ୍ତି।

ଏଥିରେ କିନ୍ତୁ ପ୍ରତାପ ବିଚଳିତ ନହୋଇ ପ୍ରଶିକ୍ଷକ ବୃତ୍ତିକୁ ଆପଣାଇ ନେଇଥିଲେ। ଯେଉଁ ସ୍ବପ୍ନ ନିଜେ ଦେଖିଥିଲେ ତାହା ପ୍ରଶିକ୍ଷାର୍ଥୀମାନଙ୍କ ଦ୍ବାରା ହାସଲ କରିବା ପାଇଁ ବର୍ତ୍ତମାନ ସେ ନରୋଡ଼ା ଛାତ୍ରାବାସରେ ମୁ‌ଷ୍ଟିଯୁଦ୍ଧ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଭାରତୀୟ ବିଦ୍ୟାଳୟ ସମୂହ କ୍ରୀଡ଼ାରେ ତାଙ୍କ ତତ୍ତ୍ବାବଧାନରେ ଗୁଜରାଟ ମୁ‌ଷ୍ଟିଯୁଦ୍ଧରେ ୨୦୧୩-୧୪ରୁ ୨୦୧୬-୧୭ ଲଗାତାର୍‌ ତିନିଟି କ୍ରୀଡ଼ାବର୍ଷରେ ପଦକ ହାସଲ କରିଥିଲା। ଆଗକୁ ଅନ୍ତର୍ଜାତୀୟସ୍ତରର ଖେଳାଳି ଗଢ଼ି ତୋଳିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ନିଜେ ମଧ୍ୟ ଅଭ୍ୟାସ ଜାରି ରଖିଛନ୍ତି। ତେବେ ଯେଉଁଠିକି ଗଲେ ମଧ୍ୟ ମୁଁ ଓଡ଼ିଆ ବୋଲି ପରିଚୟ ଦିଏ। ଓଡ଼ିଶାର ଗ୍ରାମାଂଚଳରେ ବହୁ ପ୍ରତିଭା ଅଛନ୍ତି, କିନ୍ତୁ ସୁଯୋଗ ବହୁତ୍ କମ୍। ତେଣୁ ଭବିଷ୍ୟତରେ ଏଭଳି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଓଡ଼ିଶାରେ ଏକ ଏକାଡେମି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। ଗୁଜୁରାଟରୁ ଫେରିଥିବାରୁ ପ୍ରତାପ ଏବେ ଆସ୍କା ନିକଟ ରାଇପଲ୍ଲୀ ସ୍ଥିତ ଏକ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଅଛନ୍ତି। କିନ୍ତୁ ଉକ୍ତ କେନ୍ଦ୍ରର ଅବ୍ୟବସ୍ଥା, ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ସ୍ବର ଉତ୍ତୋଳନ କଲା ପରେ ଏବେ ସ୍ଥିତି ବଦଳିଛି। ସ୍ଥାନୀୟ ସରପଞ୍ଚ ଆସି ରବିବାର ସେମାନଙ୍କ ଭଲମନ୍ଦ ବୁଝିଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର