ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ପିଲ୍ଲାଇ ଏବଂ ଟେନିସ ଖେଳାଳି ଲିଆଣ୍ଡର ପେସ ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି । ନିକଟରେ ଲିଆଣ୍ଡର ପେସଙ୍କ ପୂର୍ବତନ ପ୍ରେମିକା ରିୟା ପିଲ୍ଲାଇ ପେସଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହା ସହିତ ପିଲ୍ଲାଇ ମଧ୍ୟ ଲିଆଣ୍ଡର ପେସଙ୍କ ବିରୋଧରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛନ୍ତି। ତାଙ୍କ ଆବେଦନରେ ରିୟା ପିଲ୍ଲାଇ, ଲିଆଣ୍ଡର ପେସଙ୍କଠାରୁ ଠକାମିର ଶିକାର ହୋଇଥିବାର ଅଭିଯୋଗ କରିଛନ୍ତି। ପିଲ୍ଲାଇ ତାଙ୍କ ପିଟିସନରେ କହିଛନ୍ତି ଯେ ସେ (ଲିଆଣ୍ଡର ପେସ୍) ତାଙ୍କ ଗର୍ଲଫ୍ରେଣ୍ଡ କିମ ଶର୍ମାଙ୍କ ସହ ବୁଲାବୁଲି କରୁଥିଲେ ବି କୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ କରିବାକୁ ତାଙ୍କୁ ସମୟ ମିଳି ନଥିଲା। ସେ କୋର୍ଟରେ ଲିଆଣ୍ଡର ପେସ ଓ ତାଙ୍କ ବାନ୍ଧବୀଙ୍କ ଫଟୋ ମଧ୍ୟ ଉପସ୍ଥାପନ କରିଛନ୍ତି।
ଅଭିନେତ୍ରୀ କହିଛନ୍ତି ଯେ ଟେନିସ୍ ତାରକା ଜାଣିଶୁଣି କୋର୍ଟରେ ହାଜର ହୋଇନଥିଲେ। ରିୟା ଗତ ଏକ ମାସ ଧରି ଲିଆଣ୍ଡର ପେସଙ୍କଠାରୁ ଭରଣପୋଷଣ ଦାବି କରିଆସୁଛନ୍ତି। ବାସ୍ତବରେ, ଗତ ମାସରେ ମାଜିଷ୍ଟ୍ରେଟ୍ କୋର୍ଟ ରିୟା ଏବଂ ତାଙ୍କ ମାଙ୍କୁ ମାସିକ ଭରଣପୋଷଣ ବାବଦରେ ୧ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଲିଆଣ୍ଡର ପେସ୍ ତାଙ୍କ ତରଫରୁ କୌଣସି ଆବେଦନ କରିନଥିଲେ । ଏହାର କିଛି ଦିନ ପରେ ପେସ୍ କୋର୍ଟରେ କ୍ଷମା ମାଗି ଏକ ଆବେଦନ କରିଥିଲେ ଏବଂ କହିଥିଲେ ଯେ ସେ ଅସୁସ୍ଥ ପିତାଙ୍କ ଯତ୍ନ ନେବାରେ ବ୍ୟସ୍ତ ଥିଲେ । ଏହି ଆବେଦନ ଦେଖି ରିୟା ଆହୁରି ରାଗିଯାଇଥିଲେ | ଏନେଇ ପିଲ୍ଲାଇ କହିଥିଲେ ଯେ ପେସ୍ ତାଙ୍କ ଗର୍ଲଫ୍ରେଣ୍ଡ କିମ ଶର୍ମାଙ୍କ ସହ ଛୁଟିରେ ବୁଲିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, କିନ୍ତୁ କୋର୍ଟରେ ହାଜର ହୋଇନଥିଲେ। ଉଲ୍ଲେଖ ଥାଉ କି ମଡେଲ ଏବଂ ଅଭିନେତ୍ରୀ ରିୟା ପିଲ୍ଲାଇ ହେଉଛନ୍ତି ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପୂର୍ବତନ ପତ୍ନୀ। ୨୦୦୫ ରେ ସଞ୍ଜୟ ଦତ୍ତଙ୍କ ଛାଡପତ୍ର ପରେ ରିୟା ଲିଆଣ୍ଡର୍ ପେସଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ।