ଦୁବାଇ : ଗୁରୁବାର ରାତିରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ପାକିସ୍ତାନର ପରାଜୟ ପରେ ଏକ ଚାଞ୍ଚଲ୍ୟକର ଖବର ଏବେ ଚର୍ଚ୍ଚାକୁ ଆସିଛି। ପାକିସ୍ତାନ ପାଳିର ସର୍ବାଧିକ ରନ୍ କରିଥିବା ମହମ୍ମଦ ରିଜୱାନ ଛାତି ସଂକ୍ରମଣରେ ଶିକାର ହୋଇ ପୂର୍ବ ଦୁଇ ରାତି ଆଇସିୟୁରେ ବିତାଇବା ପରେ ନିଜ ଆଡୁ ସେମିଫାଇନାଲ୍ ଖେଳିବାକୁ ଆଗ୍ରହ ଦେଖାଇଥିବା ଦଳର ଡାକ୍ତର ନଜୀବ ସୋମ୍ରୁ ଶୁକ୍ରବାର ପ୍ରକାଶ କରିଛନ୍ତି। ଦେଶ ପାଇଁ ଖେଳିବାକୁ ସେ ଅସମ୍ଭବ ସଙ୍କଳ୍ପ ଦେଖାଇଥିଲେ ଏବଂ ପ୍ରଦର୍ଶନ ଜରିଆରେ ଏହା ଦେଖାଇ ଦେଇଥିଲେ’ ବୋଲି ସୋମରୁ ପ୍ରକାଶ କରିଥିଲେ।
ରିଜୱାନ ସେମିଫାଇନାଲରେ ଖେଳିବାକୁ ନିଜେ ଆଗ୍ରହ ଦେଖାଇଥିଲେ ବୋଲି ଅଧିନାୟକ ବାବର ଆଜମ ପ୍ରକାଶ କରିଛନ୍ତି। ‘ମୁଁ ଯେତେବେଳେ ରିଜୱାନଙ୍କୁ ଦେଖିଲି ସେ ସାମାନ୍ୟ ତଳମୁହାଁ ଥିଲେ, କିନ୍ତୁ ସ୍ବାସ୍ଥ୍ୟ କଥା ପଚାରିବା ମାତ୍ରେ ‘ମୁଁ ନିଶ୍ଚିତ ଖେଳିବି’ ବୋଲି କହିଥିଲେ। ସେ ଜଣେ ଦଳୀୟ ଖେଳାଳି, ଆଉ ସେ ଯେଭଳି ଖେଳିଲେ ସବୁଠୁ ବ୍ୟତିକ୍ରମ ଥିଲା’ ବୋଲି ବାବର ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ରିଜୱାନ ୫୨ ବଲ୍ରୁ ୬୭ ରନ୍ କରିଥିଲେ। ତେବେ ତାଙ୍କ ଅସୁସ୍ଥତା ଖବରକୁ ଗୋପନ ରଖାଯାଇଥିଲା। ରିଜୱାନଙ୍କ ସାହସକୁ ଦେଖି ତାଙ୍କୁ ଜଣେ ଯୋଦ୍ଧା ସହ ତୁଳନା କରିଛନ୍ତି ପ୍ରଶିକ୍ଷକ ମାଥ୍ୟୁ ହେଡେନ୍। ରିଜୱାନଙ୍କ ଏହି ନିଷ୍ପତ୍ତି ପରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ସମସ୍ତଙ୍କ ହୃଦୟ ଜିତିଛନ୍ତି ରିଜୱାନ। ରିଜୱାନଙ୍କୁ ଜଣେ ଭାରତୀୟ ଡାକ୍ତର ସାହିନ ସୈନାଲାବଦିନ ଚିକିତ୍ସା କରି ସେମିଫାଇନାଲ୍ ପାଇଁ ଫିଟ୍ କରିଥିବା ଖବର ମଧ୍ୟ ମିଳିଛି।