ରାସ୍ତା ଦୁର୍ଘଟଣାରେ କ୍ରିକେଟ୍‌ ଅମ୍ପାୟାରଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ)ର ଜଣେ ଅମ୍ପାୟାରଙ୍କର ରାସ୍ତା ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ଘଟିଛି। କ୍ରିକେଟ୍‌ ସହିତ ଚେସ୍‌ ପ୍ରତି ଆଗ୍ରହ ରଖିଥିବା ମୁଲୁନ୍ଦ ନିବାସୀ ୬୭ ବର୍ଷ ବୟସ୍କ ଡ. ପ୍ରକାଶ ଭାଜେ ଶୁକ୍ରବାର ନିଜ ସ୍କୁଟରରେ ଥାନେରୁ ମୁମ୍ବାଇ ଯାଉଥିଲା ବେଳେ ତାଙ୍କୁ ଏକ ଅଟୋରିକ୍ସା ଧକ୍କା ଦେଇଥିଲା। ଦୁର୍ଘଟଣାଟି ଅପରାହ୍ନ ୧.୧୫ ମିନିଟ୍‌ରେ ଇଷ୍ଟର୍ନ ଏକ୍ସପ୍ରେସ୍‌ ହାଇେଓ୍ଵର ଆନନ୍ଦନଗର ତନଖି ଫାଟକ ନିକଟରେ ଘଟିଥିଲା। ପ୍ରକାଶଙ୍କ ସହ ତାଙ୍କ ସ୍କୁଟରରେ ତାଙ୍କର ଜଣେ ସହକାରୀ ହନୁମନ୍ତ ହେଗେଡେ ମଧ୍ୟ ବସିଥିଲେ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା ବେଳେ ହନୁମନ୍ତ ଗୁରୁତର ଆହତ ହୋଇଥିଲେ। ସେ ଏବେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଛନ୍ତି। ପୁଲିସ ଅଟୋ ରିକ୍ସା ଚାଳକ ନୀଳକଣ୍ଠ ଚଭନକୁ ଗିରଫ କରିଛି।

ସମ୍ବନ୍ଧିତ ଖବର