ସବୁ ପ୍ରକାରର କ୍ରିକେଟରୁ ଅବସର ନେଲେ ରବିନ ଉଥପ୍ପା

ମୁମ୍ବାଇ : ରବିନ ଉଥାପ୍ପା କ୍ରିକେଟର ସବୁପ୍ରକାରର ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି । ଆଇପିଏଲର ଗତ ସିଜିନରେ ସେ ଚେନ୍ନାଇ ସୁପରକିଙ୍ଗସ ଓ ଘରୋଇ କ୍ରିକେଟରେ କେରଳ ପକ୍ଷରୁ ଖେଳିଥିଲେ ।

ବୁଧବାରଦିନ ଏକ ଟୁଇଟ୍ କରି ସେ ନିଜର ଅବସର ଗ୍ରହଣ କରିବା ସଂପର୍କରେ ଘୋଷଣା କରିଛନ୍ତି । ଏହି ଟୁଇଟରେ ସେ ଲେଖିଛନ୍ତି  “ଗତ ୨୦ ବର୍ଷ ହେଲା ମୁଁ ପେସାଦାର କ୍ରିକେଟ ଖେଳୁଛି ଓ ମୋ ଦେଶ ଓ ରାଜ୍ୟ କର୍ଣ୍ଣାଟକର ପ୍ରତିନିଧିତ୍ବ କରିବା ମୋ ପାଇଁ ସବୁଠାରୁ ବଡ଼ ସମ୍ମାନ ଥିଲା । କିନ୍ତୁ ସବୁ ଭଲ କଥାର ଗୋଟିଏ ଶେଷ ଥାଏ । ଏଣୁ ଅତ୍ୟନ୍ତ କୃତଜ୍ଞତାର ସହ ମୁଁ ସବୁ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରୁଛି । ଅବସର ପରେ ନିଜ ପରିବାର ସହ ସମୟ କଟାଇବି ଓ ନିଜ ଜୀବନର ଏକ ନୂଆ ଆରମ୍ଭ କରିବି । “

ଏହା ସହିତ ସେ ବିସିସିଆଇ ସଭାପତି ଓ ଅନ୍ୟ କର୍ମକର୍ତ୍ତା, ନିଜର ପୂର୍ବତନ ଟିମମେଟ୍, ସେ ଖେଳିଥିବା ଆଇପିଏଲ ଫ୍ରାଞ୍ଚାଇଜି, ନିଜର ପରିବାର ସଦସ୍ୟ, କର୍ଣ୍ଣାଟକ, ସୌରାଷ୍ଟ୍ର ଓ କେରଳ କ୍ରିକେଟ ଆସୋସିଏସନକୁ କୃତଜ୍ଞତା ଜଣାଇଛନ୍ତି ।

ରବିନ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ୪୬ଟି ଦିନିକିଆ ମ୍ୟାଚ ଖେଳି ମୋଟ ୯୩୪ ରନ କରିଛନ୍ତି । ଏହା ସହିତ ସେ ୧୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମୂହୂର୍ତ୍ତ ଥିଲା  ୨୦୦୭ ରେ ବିଶ୍ବ ଟି-୨୦ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।

 

ସମ୍ବନ୍ଧିତ ଖବର