ଟେଷ୍ଟ୍‌ ପଦାର୍ପଣ ପରେ ରବିନସନ୍ ନିଲମ୍ବିତ, ରଙ୍ଗଭେଦ ଟ୍ବିଟ୍ ମହଙ୍ଗା ସାବ୍ୟସ୍ତ

ଲଣ୍ଡନ: ଇଂଲଣ୍ଡର ଯୁବ ଦ୍ରୁତ ବୋଲର ଓଲି ରବିନସନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ ହେବାର ମାତ୍ର କିଛି ଦିନ ଭିତରେ ପଥଚ୍ୟୁତ ହୋଇଛି। ୯ ବର୍ଷ ତଳେ କରିଥିବା‌ ସିରିଜ୍ ଜାତିଆଣ ଓ ରଙ୍ଗଭେଦ ଟ୍ବିଟ୍ ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଭଳି ଆଚରଣ ଓ ବିଶୃଙ୍ଖଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ତାଙ୍କୁ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ନିଲମ୍ବିତ କରିଛି। ତା’ ସହ ରବିନସନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ଇସିବି ତାଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଯଥେଷ୍ଟ ଆଶଙ୍କା ରହିଛି।

ଏହି ଲଜ୍ଜାଜନକ ଟ୍ବିଟଗୁଡ଼ିକ ୨୭ ବର୍ଷୀୟ ରବିନସନ୍ ୨୦୧୨ ଓ ୧୩ ମସିହାରେ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଲର୍ଡସ ପଡ଼ିଆରେ ପଦାର୍ପଣ କରିବା ପରେ ଏଗୁଡ଼ିକ ସାମ୍ନାକୁ ଆସିଥିଲା। ଯାହା ଇସିବିକୁ ଲଜ୍ଜିତ କରିଥିଲା ଇସିବିର ଏହି ନିଷ୍ପତ୍ତି ଫଳରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରୁ ରବିନସନ୍ ବାଦ ପଡ଼ିଛନ୍ତି। ସେହିଭଳି ତୁରନ୍ତ ଇଂଲଣ୍ଡ ଦଳ ଛାଡ଼ିବାକୁ ଇସିବି ତାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି। ଏହି ମାମଲାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବୁଧବାର ରବିନସନ୍ ନିଜ କଲାକର୍ମ ପାଇଁ କ୍ଷମାପ୍ରାର୍ଥନା କରିଥିଲେ। ଏହା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରି ନାହାନ୍ତି। ସୂଚନାଯୋଗ୍ୟ ଯେ ରବିନସନ୍ କାଉଣ୍ଟି କ୍ରିକେଟ୍‌ରେ ଲଗାତାର ଭଲ ପ୍ରଦର୍ଶନ କରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ ଖେଳିବାର ସୁଯୋଗ ପାଇଥିଲେ। ଅମୀମାଂସିତ ରହିଥିବା ଏହି ଟେଷ୍ଟ୍‌ରେ ସେ ୭ ୱିକେଟ୍ କରାୟତ୍ତ କରିଥିଲେ। ପ୍ରଥମ ପାଳିରେ ୭୫ ରନ୍ ଦେଇ ୪ ଏବଂ ଦ୍ବିତୀୟରେ ୨୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ।

ସେ ମଧ୍ୟ ଇଂଲଣ୍ଡ ପ୍ରଥମ ପାଳିରେ ୪୨ ରନ୍ କରିଥିଲେ। ମ୍ୟାଚ୍ ଶେଷ ପରେ କିନ୍ତୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପୁଣି ଥରେ ସ୍ପଷ୍ଟ କରି ଦେଇଥିଲେ ଯେ ଇଂଲଣ୍ଡ କ୍ରିକେଟ୍ ଦଳ କୌଣସି ପରିସ୍ଥିତିରେ ବର୍ଣ୍ଣବୈଷମ୍ୟ କିମ୍ବା ଜାତିଆଣ ଭେଦଭାବକୁ ବରଦାସ୍ତ କରିବ ନାହିଁ। ଖେଳାଳିଙ୍କୁ ଏହି କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ହେବାକୁ ପଡ଼ିବ। ଇସିବିକୁ ଏହି ଦିଗରେ କୌଣସି ଠୋସ୍ ପଦକ୍ଷେପ ନେବାକୁ ହେବ ବୋଲି କହିଥିଲେ। ସେପଟେ ୧୮ ବର୍ଷ ବୟସରେ କରିଥିବା ଟ୍ବିଟ୍ ପାଇଁ ରବିନସନ୍‌ଙ୍କୁ କୌଣସି ବଡ଼ ଦଣ୍ଡ ଦେବା ଠିକ୍ ହେବ ନାହିଁ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ କହିଛନ୍ତି। ତେବେ ରବିନସନ୍ କରିଥିବା ଟ୍ବିଟ୍‌କୁ ସେ ଲଜ୍ଜାଜନକ ଆଖ୍ୟା ଦେଇଛନ୍ତି।

ସମ୍ବନ୍ଧିତ ଖବର