ନୂଆଦିଲ୍ଲୀ: ରବିଚନ୍ଦ୍ରନ ଅଶ୍ବିନଙ୍କ ଅପ୍ରତ୍ୟାଶିତ ଅବସର ପରେ ଭାରତୀୟ ଟେଷ୍ଟ୍ ଦଳ ଏକ ପରିବର୍ତ୍ତନ କାଳ ଦେଇ ଗତି କରିବାକୁ ଯାଉଥିବା ସୂଚନା ମିଳିଛି। ଚଳିତ ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି) ଶୃଙ୍ଖଳା ଶେଷ ହୋଇଯିବା ପରେ ଭାରତୀୟ କ୍ରିକେଟ୍ରେ ଦୁଇ ବ୍ୟାଟିଂ କିଂବଦନ୍ତି ରୋକୋ (ରୋହିତ ଶର୍ମା ଓ ବିରାଟ କୋହଲି) ଅବସର ନେଇଯିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ୍ ନିକଟରୁ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ମୂଳପୋଛ (୦-୩) ହେବାର ଲଜ୍ଜା ପରେ ଏବେ ବିଜିଟିରେ ଉଭୟ ସଂଘର୍ଷ କରୁଥିବାରୁ ସେମାନଙ୍କ ଟେଷ୍ଟ୍ ଜୀବନ ବି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଯାଇଥିବା ବିଶ୍ବାସ କରାଯାଉଛି। ଉଭୟ ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଏହି ଫର୍ମାଟକୁ ଛାଡ଼ିଦେଇଥିଲେ। ସମାନ କଥା ବିଜିଟି ଶୃଙ୍ଖଳା ପରେ ଘଟିବ ବୋଲି ସେମାନଙ୍କ ପ୍ରଶଂସକ ଆଶା କରିଛନ୍ତି। ଭାରତ ଯଦି ଏଥର ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ ନାହିଁ ତେବେ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ରବୀନ୍ଦ୍ର ଜାଡ଼େଜାଙ୍କ ଭବିଷ୍ୟତ ମଧ୍ୟ ଚୟନକର୍ତ୍ତାଙ୍କ ସ୍କାନରରେ ରହିବ। ଯୁବ ଖେଳାଳିଙ୍କ ପାଇଁ ଅଭିଜ୍ଞ ଖେଳାଳିଙ୍କୁ ବାଟ ଛାଡ଼ିବାକୁ ହେବ ବୋଲି କ୍ରିକେଟ୍ ପଣ୍ଡିତମାନେ ବି କହିବା ଆରମ୍ଭ କଲେଣି।
ବିଜିଟି ପରେ ଭାରତ ଇଂଲଣ୍ଡ ସହ ଘରୋଇ ମାଟିରେ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳିବ। ଫେବ୍ରୁଆରିରେ ଏହା ଆରମ୍ଭ ହେବ। ଚାମ୍ପିଅନ୍ସ ଟ୍ରଫି ପରେ ଭାରତ ପୁଣି ଏକ ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ଖେଳିବ ଇଂଲଣ୍ଡ୍ ବିପକ୍ଷରେ। ଇଂଲଣ୍ଡରେ ଏହା ଖେଳାଯିବାକୁ ଥିବାରୁ ଅଧିକ ପରିବର୍ତ୍ତନର ସମ୍ଭାବନା ବି ରହିଛି। ଆଉ ଏକ ମିଡିଆ ରିପୋର୍ଟ ବି ଶୁକ୍ରବାର ନଜରକୁ ଆସିଛି। ହାଇବ୍ରିଡ୍ ମଡେଲ୍ରେ ଖେଳାଯିବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଖେଳିବା ନିଶ୍ଚିତ ହୋଇନାହିଁ। ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଫର୍ମାଟରେ ଖେଳାଯାଉଥିବାବେଳେ ଏଥର ଟ୍ବେଣ୍ଟି-୨୦ରେ କରାଯିବାକୁ ଆଲୋଚନା ଚାଲିଛି। ଯଦି ପରିବର୍ତ୍ତନ ହୁଏ ତେବେ ବିରାଟ କୋହଲି ଓ ରୋହିତ ଶର୍ମା ଖେଳିପାରିବେ ନାହିଁ। କାହିଁକି ନା ଉଭୟ ଟ୍ବେଣ୍ଟି-୨୦ରୁ ଅବସର ନେଇ ସାରିଛନ୍ତି। ଏ ସମ୍ପର୍କରେ କିନ୍ତୁ କିଛି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।
ଲଣ୍ଡନ୍ରେ କାହିଁକି ରହିବେ କୋହଲି?
ମେଲ୍ବର୍ଣ୍ଣ: ଦୁଇ ଦିନ ହେବ ବିରାଟ କୋହଲିଙ୍କ ନୂଆ ଜୀବନଯାତ୍ରାକୁ ନେଇ ଚାଲିଛି ଚର୍ଚ୍ଚା। ବିରାଟଙ୍କ ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା ଗୁରୁବାର ସ୍ପଷ୍ଟ କରି ଦେଇଥିଲେ, ବିରାଟ ତାଙ୍କ ପରିବାର ସହ ସ୍ଥାୟୀ ଭାବେ ଲଣ୍ଡନ୍ରେ ରହିବାକୁ ଯୋଜନା କରିଛନ୍ତି। ବିଗତ କିଛି ବର୍ଷ ହେବ ବିରାଟ ତାଙ୍କ ବଲିଉଡ୍ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଓ ପିଲାଙ୍କ ସହ ଲଣ୍ଡନ୍ରେ ଢେର ସମୟ କାଟିଥିଲେ। ଏପରିକି ଦ୍ବିତୀୟ ସନ୍ତାନ ଅକାୟଙ୍କ ଜନ୍ମ ପରଠାରୁ ଅନୁଷ୍କା ଲଣ୍ଡନ୍ରେ ଅଛନ୍ତି। କୋହଲିଙ୍କ ଖେଳ ଜୀବନ ସରିସରି ଆସୁଥିବାରୁ ସେ ଏହା ପରବର୍ତ୍ତୀ ଜୀବନ ବ୍ରିଟେନ୍ରେ କାଟିବାକୁ ନିଷ୍ପତ୍ତି ନେଇଥିବା ଆଭାସ ମିଳୁଛି। କେବଳ ଭାରତ ନୁହେଁ କ୍ରିକେଟ୍ଠାରୁ ଦୂରେଇ ରହି କୋହଲି ପରିବାର ପ୍ରତି ଅବଶିଷ୍ଟ ଜୀବନର ସମୟ ସମର୍ପଣ କରିବେ ବୋଲି ବିଶ୍ବାସ ଆସୁଛି। ବିଶେଷ କରି ଦୁଇ ପିଲାଙ୍କ ଭବିଷ୍ୟତକୁ ଗଢ଼ିବା ପର୍ଯ୍ୟନ୍ତ କୋହଲି ଲଣ୍ଡନ୍ରେ ଅବସ୍ଥାପନ କରିବେ। ଏଥି ପାଇଁ ତାଙ୍କୁ ବ୍ରିଟିସ୍ ନାଗରିକତ୍ବ କିମ୍ବା ଦ୍ବୈତ ନାଗରିକତା ଗ୍ରହଣ କରିବାକୁ ପଡ଼ିବ।
ଛତିଶ ବର୍ଷୀୟ କୋହଲି ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ସ୍ବପ୍ନ ସାକାର କରିବା ପରେ ଏହି ଫର୍ମାଟରୁ ଅବସର ନେଇ ସାରିଛନ୍ତି। ଟେଷ୍ଟ୍ କ୍ରିକେଟ୍ରେ ସଂଘର୍ଷ କରୁଥିବାରୁ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ଲାଗି ରହିଛି। ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ ବି ଖୁବ୍ ଶୀଘ୍ର ସରିଯିବ ବୋଲି ଅନେକ ବିଶ୍ବାସ କରୁଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ କୋହଲି ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ରେ ନିଜ ଅବସର ସମ୍ପର୍କରେ ସ୍ପଷ୍ଟ ଆଭିମୁଖ୍ୟ ରଖିଥିଲେ। ‘ଏହା ଅତି ସରଳ କଥା। ଜଣେ ଖେଳାଳି ଭାବେ ଆମ ସମସ୍ତଙ୍କ କ୍ୟାରିୟରର୍ ଏକ ଶେଷ ତାରିଖ ଅଛି। ତେବେ କିଛି ଅନୁତାପ କି ଅବସୋସ ଛାଡୁନାହିଁ। ଏମିତି ବି ଖେଳକୁ ସବୁଦିନ ପାଇଁ ଜାରି ରଖାଯାଇପାରିବ ନାହିଁ। ସେହି ଦୃଷ୍ଟିରୁ କୌଣସି କାର୍ଯ୍ୟକୁ ଅଧାରୁ ଛାଡ଼ିଯିବା ପରେ ଏଥି ପାଇଁ ଅନୁଶୋଚନା କରିବାର ନାହିଁ। ଥରେ ମୁଁ ହାସଲ କରିସାରିଲେ ଆପଣ ଆଉ ମୋତେ ଦେଖିପାରିବେ ନାହିଁ। ଖେଳୁଥିବା ଯାଏ ମୁଁ ସବୁକିଛି ହାସଲ କରିବାକୁ ଚାହେ। ମୁଁ ନିଶ୍ଚିତ ଏହା କରିପାରିବି’ ବୋଲି କୋହଲି ପ୍ରକାଶ କରିଥିଲେ।
ଶେଷ ଦୁଇ ଟେଷ୍ଟ୍ ଦଳରେ ୧୯ ବର୍ଷୀୟ କୋଣ୍ଟାସ୍
ସିଡ୍ନି: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ୨ ମ୍ୟାଚ୍ ଲାଗି ଶୁକ୍ରବାର ଅଷ୍ଟ୍ରେଲିଆ ଦଳ ଘୋଷିତ ହୋଇଛି। ଏହି ୧୫ ଜଣିଆ ଦଳରେ ୧୯ ବର୍ଷୀୟ ସାମ କୋଣ୍ଟାସ୍ ସାମିଲ ହୋଇଛନ୍ତି। ପ୍ରଥମ ୩ ଟେଷ୍ଟ୍ରେ ଖେଳିଥିବା ପ୍ରାରମ୍ଭିକ ବ୍ୟାଟର୍ ନାଥନ ମ୍ୟାକ୍ସ୍ବିନୀଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଯଦି କୋଣ୍ଟାସ୍ ୨୬ ତାରିଖରୁ ଆରମ୍ଭ ହେବାକୁଥିବା ବକ୍ସିଂ ଡେ’ ଟେଷ୍ଟ୍ରେ ଖେଳନ୍ତି ତେବେ ପ୍ରାୟ ୭୦ ବର୍ଷ ପରେ ଅଷ୍ଟ୍ରେଲିଆର ସର୍ବକନିଷ୍ଠ ବ୍ୟାଟର୍ ଭାବେ ଟେଷ୍ଟ୍ ପଦାର୍ପଣ କରିବେ। କୋଣ୍ଟାସ୍ ଚଳିତ ଋତୁରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନ୍ୟୁ ସାଉଥ୍ ୱେଲ୍ସରୁ ଖେଳୁଥିବା କୋଣ୍ଟାସ୍ ସାଉଥ୍ ଅଷ୍ଟ୍ରେଲିଆ ବିପକ୍ଷ ସେଫିଲ୍ଡ ସିଲ୍ଡ ଉଦ୍ଘାଟନୀ ମୁକାବିଲାର ଦୁଇ ପାଳିରେ ୧୫୨ ଓ ୧୦୫ ରନ୍ କରିଥିଲେ। ସେ ଭାରତ ଏ’ ବିପକ୍ଷ ମ୍ୟାଚ୍ରେ ଅପରାଜିତ ୭୩ ରନ୍ର ପାଳି ଖେଳିଥିଲେ। ୨୦୨୧-୨୨ ଆସେସ୍ ଟେଷ୍ଟ୍ ଶୃଙ୍ଖଳା ଶେଷ ଥର ଲାଗି ଖେଳିଥିବା ଝାଏ ରିଚାର୍ଡସନ୍ ଏବେ ଦଳକୁ ଫେରିଛନ୍ତି। ତାଙ୍କ ସହ ସିନ୍ ଆବୋଟ ମଧ୍ୟ ମେଲ୍ବର୍ଣ୍ଣ ଓ ସିଡ୍ନି ଟେଷ୍ଟ୍ ଦଳକୁ ଫେରିଛନ୍ତି। ବ୍ରିସ୍ବେନ୍ ଟେଷ୍ଟ୍ରେ ଆହତ ହୋଇଥିବା ତାରକା ଦ୍ରୁତ ବୋଲର ଜୋସ ହାଜେଲଉଡ୍ ଏହି ଦୁଇ ଟେଷ୍ଟ୍ରୁ ବାଦ୍ ପଡ଼ିଛନ୍ତି।
ଅଷ୍ଟ୍ରେଲିଆ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ଟ୍ରାଭିସ୍ ହେଡ୍ (ଉପଅଧିନାୟକ), ଷ୍ଟିଭ୍ ସ୍ମିଥ୍ (ଉପଅଧିନାୟକ), ସିନ୍ ଆବୋଟ, ସ୍କଟ ବୋଲାଣ୍ଡ୍, ଆଲେକ୍ସ କ୍ୟାରି, ଜୋସ ଇଂଲିସ୍, ଉସ୍ମାନ ଖୱାଜା, ସାମ୍ କୋଣ୍ଟାସ୍, ମାର୍ନସ ଲବୁସେନ, ନାଥନ ଲାୟନ, ମିଚେଲ ମାର୍ସ, ଝାଏ ରିଚାର୍ଡସନ୍, ମିଚେଲ ଷ୍ଟାର୍କ, ବିଉ ୱେବ୍ଷ୍ଟାର।
ଅଶ୍ବିନଙ୍କୁ ଖେଳରତ୍ନ ଲାଗି ସାଂସଦଙ୍କ ଦାବି
ନୂଆଦିଲ୍ଲୀ: ବୁଧବାର ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେଇଥିବା ଅଫ୍ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ ଲାଗି କଂଗ୍ରେସ ସାଂସଦ ବିଜୟ ବସନ୍ତ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଅନୁରୋଧ କରିଛନ୍ତି। ବ୍ରିସ୍ବେନ ଟେଷ୍ଟ୍ ଅମୀମାଂସିତ ଭାବେ ଶେଷ ହେବା ପରେ ଅଶ୍ବିନ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଗୋଟିଏ ଦଶନ୍ଧି ଧରି ଭାରତୀୟ ଦଳର ପ୍ରମୁଖ ଅଂଶ ହୋଇଥିବା ଅଶ୍ବିନ ୧୦୬ ଟେଷ୍ଟ୍ ଖେଳି ୩୭ ଥର ୫ ୱିକେଟ୍ ସଫଳତା ସହ ୫୩୭ ୱିକେଟ୍ ନେଇଛନ୍ତି। ଏଥିସହ ସେ ୩୫୦୩ ରନ୍ କରିଛନ୍ତି। ଭାରତର ସର୍ବାଧିକ ଟେଷ୍ଟ୍ ୱିକେଟ୍ ନେବାରେ ସେ ଅନିଲ କୁମ୍ବଲେ (୬୧୯)ଙ୍କ ପଛକୁ ଦ୍ବିତୀୟ ରହିଛନ୍ତି। ସେହିଭଳି ବିଶ୍ବରେ ସର୍ବାଧିକ ଥର ୫ ୱିକେଟ୍ ସଫଳତା ପାଇବାରେ ତାଙ୍କ ଆଗରେ କେବଳ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ (୬୭) ରହିଛନ୍ତି। ଟେଷ୍ଟ୍ ବାଦ୍ ଅଶ୍ବିନ ସୀମିତ ଓଭର କ୍ରିକେଟ୍ରେ ୧୮୧ ମ୍ୟାଚ୍ରୁ ୨୨୮ ୱିକେଟ୍ ଅକ୍ତିଆର କରିଛନ୍ତି। ୧୧୬ ଦିନିକିଆରୁ ୧୫୬ ଏବଂ ୬୫ ଟ୍ବେଣ୍ଟି-୨୦ରୁ ୭୨ ୱିକେଟ୍ ପାଇଛନ୍ତି ସେ। ମୋଟ ଉପରେ ସେ ୭୬୫ ୱିକେଟ୍ ନେଇ କୁମ୍ବଲେ (୯୫୩)ଙ୍କ ପରେ ଦ୍ବିତୀୟରେ ଅଛନ୍ତି। ଭାରତର ୨୦୧୧ ବିଶ୍ବକପ୍ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜୟରେ ତାଙ୍କର ପ୍ରମୁଖ ଯୋଗଦାନ ରହିଥିଲା।