ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ବିପକ୍ଷ ଆହ୍ବାନପୂର୍ଣ୍ଣ ଶୃଙ୍ଖଳା ଦଳର ଦୁଇ ବରିଷ୍ଠ ତଥା ସଫଳ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିନା ଖେଳିବ। ଉଭୟ ଏକସଙ୍ଗରେ ଟେଷ୍ଟ୍ କ୍ରିକେଟ୍କୁ ଅଲବିଦା କହିଛନ୍ତି। ଉଭୟଙ୍କ ଅବସର ପରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ଭରଣା କରିବା ଭାରତ ପାଇଁ ନିଶ୍ଚିତ ଭାବେ କାଠିକର ପାଠ ହେବ। ଭାରତ ଶେଷ ଥର ପାଇଁ ୨୦୨୧-୨୨ରେ ଇଂଲଣ୍ଡରେ ଶୃଙ୍ଖଳା ଖେଳିଥିଲା ବେଳେ ସେହି ଚାରି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ରୋହିତ ୫୭.୫୦ ହାରରେ ୩୪୫ ରନ୍ କରିଥିଲେ। ଏଣୁ ନୂଆ ଓପନିଂ ଯୋଡ଼ି ନେଇ ଖେଳିବା ଭାରତକୁ ନିଶ୍ଚିତ ଭାବେ ପରୀକ୍ଷାରେ ପକାଇବ। ସେହିଭଳି ନିଜ ୧୪ ବର୍ଷର ଟେଷ୍ଟ୍ କ୍ୟାରିୟରରେ କୋହଲି ଅଧିକାଂଶ ସମୟ ୪ନମ୍ବର ସ୍ଥାନରେ ବ୍ୟାଟିଂ କରି ଭାରତକୁ ବହୁ ମ୍ୟାଚ୍ରେ ଜିତାଇଛନ୍ତି। ଏଣୁ ତାଙ୍କ ସ୍ଥାନ କିଏ ନେବ? ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଏହି ଦୁଇଜଣଙ୍କ ସହ ବରିଷ୍ଠ ସ୍ପିନର ଆର୍ ଅଶ୍ବିନଙ୍କ ଅବସର ମଧ୍ୟ ଭାରତର ସ୍ପିନ୍ ବାହିନୀକୁ ଦୁର୍ବଳ କରିଛି। ଏଣୁ ଦଳୀୟ ଖେଳାଳିଙ୍କ ସହ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ଭାରତର ଇଂଲଣ୍ଡ ଗସ୍ତ ବେଶ୍ ଆହ୍ବାନପୂର୍ଣ୍ଣ ରହିବ।
ଜୁନ୍ ୬ରେ ଇଂଲଣ୍ଡ ଯିବ ପ୍ରଥମ ଦଫା ଭାରତୀୟ ଦଳ
ମୁମ୍ବାଇ, ୧୫/୫: ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ୨୦୨୫-୨୭ ଚକ୍ର ପାଇଁ ଭାରତ ତା’ର ଅଭିଯାନ ଇଂଲଣ୍ଡ ବିପକ୍ଷରୁ ଆରମ୍ଭ କରିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ଜୁନ୍ ୨୦ରେ ଇଂଲଣ୍ଡରେ ଖେଳାଯିବ। ଏଥିଲାଗି ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ପ୍ରଥମ ଦଫା ଭାରତୀୟ ଦଳ ଜୁନ୍ ୬ ତାରିଖରେ ସେଠାକୁ ଯାତ୍ରା କରିବ। ଅନ୍ୟଖେଳାଳିମାନେ ଆଇପିଏଲ୍ର ସ୍ଥିତି ଅନୁସାରେ ପର୍ଯ୍ୟାୟକ୍ରମେ ସେଠାକୁ ଯିବେ। ବିସିସିଆଇ ଏଥିନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇ ନଥିଲେ ମଧ୍ୟ ଜୁନ୍ ୧୦ ସୁଦ୍ଧା ଦଳର ସମସ୍ତ ଖେଳାଳି ଇଂଲଣ୍ଡରେ ଏକାଠି ହେବାର ଯୋଜନା କରାଯାଇଛି। ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁ ଖେଳାଳିଙ୍କ ଅଭିଯାନ ଆଇପିଏଲ୍ର ଲିଗ୍ ପର୍ଯ୍ୟାୟରୁ ଶେଷ ହୋଇଯିବ ସେମାନେ ଗମ୍ଭୀରଙ୍କ ସହ ଜୁନ୍ ୬ରେ ଇଂଲଣ୍ଡ ଯିବେ। ଅନ୍ୟମାନେ ପ୍ଲେ ଅଫ୍ ଓ ଫାଇନାଲ୍ ସରିଲା ପରେ ସେଠାକୁ ଯାତ୍ରା କରିବେ। ସଂପ୍ରତି ଭାରତୀୟ ଦଳର ଅଧିକାଂଶ ସପୋର୍ଟ ଷ୍ଟାଫ୍ ବିଦେଶରେ ଅଛନ୍ତି। ସେମାନେ ସମସ୍ତେ ସିଧାସଳଖ ଇଂଲଣ୍ଡ ଯିବେ। ଟେଷ୍ଟ୍ ଦଳ ଘୋଷଣା ହେବା ପରେ ପ୍ରତ୍ୟେକ ଖେଳାଳିଙ୍କୁ ମଧ୍ୟ ସେମାନଙ୍କ ଇଂଲଣ୍ଡ ଯାତ୍ରାର ସୂଚୀ ଜଣାଇ ଦିଆଯିବ। ସୂଚନାଯୋଗ୍ୟ ଯେ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ ଜୁନ୍ ୨୦ ତାରିଖରୁ ଲିଡ୍ସ, ଦ୍ବିତୀୟ ଜୁଲାଇ ୨ରୁ ବର୍ମିଂହାମ, ତୃତୀୟ ଜୁଲାଇ ୧୦ରୁ ଐତିହାସିକ ଲର୍ଡସ ଷ୍ଟାଡିୟମ୍, ଚତୁର୍ଥ ଜୁଲାଇ ୨୩ରୁ ମାଞ୍ଚେଷ୍ଟର ଏବଂ ପଞ୍ଚମ ତଥା ଶେଷ ମୁକାବିଲା ଦ ଓଭାଲଠାରେ ଜୁଲାଇ ୩୧ରୁ ଆରମ୍ଭ ହେବ।
୨୫ରେ ଯିବ ଭାରତ-ଏ’
ବରିଷ୍ଠ ଦଳର ଶୃଙ୍ଖଳା ପୂର୍ବରୁ ଭାରତୀୟ ‘ଏ’ ଦଳ ମଧ୍ୟ ଇଂଲଣ୍ଡ ଗସ୍ତ କରି ସେଠାରେ ଶୃଙ୍ଖଳା ଖେଳିବ। ଭାରତୀୟ-ଏ’ ଦଳର ଖେଳାଳିମାନେ ଚଳିତ ମେ ୨୫ରୁ ପର୍ଯ୍ୟାୟକ୍ରମେ ଏବଂ ଆଇପିଏଲ୍ର ସ୍ଥିତି ଅନୁଯାୟୀ ସେଠାକୁ ଯିବେ। ଯେଉଁମାନେ ଆଇପିଏଲ୍ ଖେଳୁ ନାହାନ୍ତି କିମ୍ବା ସେମାନଙ୍କ ଦଳ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଯିବ, ସେମାନେ ଆଗୁଆ ଇଂଲଣ୍ଡ ଯିବେ। ଅନ୍ୟମାନେ ଟିକେ ବିଳମ୍ବରେ ସେଠାରେ ପହଞ୍ଚିବେ। ଭାରତ ‘ଏ’ ଦଳ ଘୋଷଣା ପରବର୍ତୀ ଦିନେ ଦୁଇ ଦିନ ଭିତରେ ହେବାର ଅଛି। ଭରତ-ଏ’ ତା’ ଇଂଲଣ୍ଡ ଅଭିଯାନ ଆସନ୍ତା ୩୦ ତାରିଖରୁ ଆରମ୍ଭ କରିବ।