କୋହଲିଙ୍କୁ ଫେଡେରରଙ୍କ ଆହ୍ବାନ: ଘରେ ଟେନିସ୍‌ ଖେଳ

ଲୁସାନେ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସ୍ବିଜରଲାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରର ‘ଟେନିସ୍ ଆଟ୍ ହୋମ୍’ ବା ଘରେ ଟେନିସ୍ ଖେଳିବାକୁ ଆହ୍ବାନ ଦେଇଛନ୍ତି। ୨୦ ଗ୍ରାଣ୍ଡସ୍ଲାମ୍ ବିଜୟ ସହ ଟେନିସ୍ ଦୁନିଆର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଖେଳାଳିର ମାନ୍ୟତା ଲାଭ କରିଥିବା ଫେଡେରର କରୋନା ଆତଙ୍କ ପାଇଁ ଗୃହାବଦ୍ଧରେ ଥିଲା ବେଳେ ଭିଡିଓ ଜାରି କରି ‌‌କୋହଲିଙ୍କୁ ଏହି ନିଆରା ଆହ୍ବାନ ପ୍ରଦାନ କରିଛନ୍ତି। ସଂପୃକ୍ତ ଭିଡିଓରେ ଫେଡେରର ସଂପୂର୍ଣ୍ଣ ଧଳା ପୋଷାକ ଓ ଏକ ସୁନ୍ଦର ଟୋପି ପିନ୍ଧି ଏକାକୀ ନିଜ ଘର କାନ୍ଥରେ ଟେନିସ୍ ବଲକୁ ଡ୍ରିଭଲିଂ କରୁଥିବା ଦେଖିବାକୁ ମିଳୁଛି। ଭିଡିଓ ତଳେ ‌ସେ ଲେଖିଛନ୍ତି ଯେ ଏହା ଏକୁଟିଆ କରି ହେଉଥିବା ଏକ ଅଭ୍ୟାସ, ଦେଖାଯାଉ ଆପଣମାନଙ୍କ ପାଖରେ କଣ ଅଛି? ଭିଡିଓ ଜରିଆରେ ଏହାର ଉତ୍ତର ରଖନ୍ତୁ। ଉତ୍ତରରେ ମୁଁ ଆପଣଙ୍କୁ କିଛି ପରାମର୍ଶ ଦେବି। ହଁ ନିଜ ଟୋପିକୁ ବିଜ୍ଞତାର ସହ ବାଛନ୍ତୁ। କୋହଲିଙ୍କ ସହ ଏହି ଭିଡିଓକୁ ଫେଡେରର ଟୋନି କ୍ରୁଜ୍, ଜିଆନଲୁଗି ବଫନ, କ୍ରିଷ୍ଟିଆନୋ ରୋନାଲଡୋ, ଟମ୍ ବ୍ରାଡି, ଷ୍ଟିଫେନ କରି, ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଦି ରକଙ୍କ ଭଳି କିଂବଦନ୍ତି କ୍ରୀଡ଼ା ତାରକାଙ୍କ ପାଖକୁ ମଧ୍ୟ ପଠାଇଛନ୍ତି। କୋହଲି କିନ୍ତୁ ଏହାର ଉତ୍ତର ଦେଇ ନାହାନ୍ତି। ଏହା ପୂର୍ବରୁ ଫେଡେରର ଆଉ ଏକ ଭିଡିଓ ଜାରି କରି କରୋନାର ମୁକାବିଲା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ବାନ କରିଥିଲେ। ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ। ସେ ମଧ୍ୟ କରୋନା ଲଢ଼େଇ ପାଇଁ ୮ କୋଟିରୁ ଅଧିକ ଟଙ୍କା ଦାନ କରି ସାରିଛନ୍ତି।

ସମ୍ବନ୍ଧିତ ଖବର