ରୋଜର ଫେଡେରରଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ : ଟେନିସ ଜଗତର ଅନ୍ୟତମ ସର୍ବକାଳୀନ ମହାନ ଖେଳା​ଳି ରୋଜର ଫେଡେରନ ଅନ୍ତର୍ଜାତୀୟ ଟେନିସରୁ ଅବସର ଘୋଷଣା କରିଛନ୍ତି । ଆଗାମୀ ଲାଭେର କପ୍ ତାଙ୍କ କ୍ୟାରିୟରର ଶେଷ ଏଟିପି ଟୁର୍ଣ୍ଣାମେଣ୍ଟ ହେବ । ନିଜର ଅବସର ସଂପର୍କରେ ସେ ଏକ ଟୁଇଟ କରି ଘୋଷଣା କରିଛନ୍ତି ।

ଆସନ୍ତା ସପ୍ତାହରେ ଲଣ୍ଡନଠାରେ ଲାଭେର କପ ଅନୁଷ୍ଠିତ ହେବ। ଏହା ପରେ ଫେଡେରର ଆଉ ଏଟିପି ( ଆସୋସିଏସନ ଅଫ ଟେନିସ ପ୍ରଫେସନାଲସ) ଟୁର୍ଣ୍ଣାମେଣ୍ଟ ଓ ଟୁର୍ ଖେଳିବେ ନାହିଁ । ତେବେ ଅନ୍ୟ ପ୍ରକାରର ଅଣ-ଏଟିପି ଟେନିସ ଖେଳିବା ଜାରି ରଖିବେ ।

ନିଜ ଟୁଇଟରେ ଏହି ୪୧ ବର୍ଷୀୟ ଖେଳା​ଳି ଲେଖିଛନ୍ତି, ଗତ କିଛି ବର୍ଷ ହେଲା ଆହତ ହେବା ଓ ସର୍ଜରି ତାଙ୍କ ଜୀବନ ଏକ ଅଂଗ ପାଲଟିଯାଇଛି । ଏହି ବୟସରେ ନିଜର କ୍ଷମତା ଓ ସୀମାକୁ ମାପିବା ପରେ ସେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ବୋଲି ଲେଖିଛନ୍ତି ।

ରୋଜର ଫେଡେରର ନିଜର ଟେନିସ କ୍ୟାରିୟରରେ ମୋଟ ୨୦ଟି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି । ଗତ ବର୍ଷ ଓ୍ବିମ୍ବିଲଡନର କ୍ବାର୍ଟର ଫାଇନାଲ ମ୍ୟାଚରେ ପରାଜୟ ପରେ ତାଙ୍କର ଆଣ୍ଠୁ ଅପରେସନ ହୋଇଥିଲା । ସେବେଠାରୁ ସେ କୌଣସି ମ୍ୟାଚ ଖେଳିନଥିଲେ । ପୂର୍ବରୁ ମଧ୍ୟ ତାଙ୍କର କେତୋଟି ଅପରେସନ ହୋଇଥିଲା । ସେ ପ୍ରଥମ ଥର ପାଇଁ ୨୦୦୩ରେ ଓ୍ବିମ୍ବିଲଡନ ଜିତି ନିଜର ଗ୍ରାଣ୍ଡସ୍ଲାମ ବିଜୟ ଯାତ୍ରା ଆରମ୍ଭ କରିଥିଲେ ।

ସୂଚନାଯୋଗ୍ୟ ଯେ, ୪ଟି ଟେନିସ ଟୁର୍ଣ୍ଣାମେଣ୍ଟକୁ ଗ୍ରାଣ୍ଡସ୍ଲାମ କୁହାଯାଏ-ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ, ଓ୍ବିମ୍ବିଲଡନ ଓ ୟୁଏସ ଓପନ ।

 

 

ସମ୍ବନ୍ଧିତ ଖବର